Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲାରେ ମନରେଗା ଯୋଜନାରେ ହୋଇଥିବା ବ୍ୟାପକ ଦୁର୍ନୀତି ପ୍ରତିବାଦରେ ଗାଁସାଥୀ (ମେଟ୍‌) ସଂଘର ଧାରଣା...

ଭଦ୍ରକ ଜିଲାରେ ମନରେଗା ଯୋଜନାରେ ହୋଇଥିବା ବ୍ୟାପକ ଦୁର୍ନୀତି ପ୍ରତିବାଦରେ ଗାଁସାଥୀ (ମେଟ୍‌) ସଂଘର ଧାରଣା , ଜୁଲାଇ ୨୮ ରେ ବ୍ୟାପକ ଆନ୍ଦୋଳନ ଡାକରା

37

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲାରେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଏକାଧିକ ପ୍ରମାଣ ସହିତ ଅଭିଯୋଗ ଆଣିଛି ଗାଁ ସାଥୀ (ମେଟ୍‌) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି। ଓଡ଼ିଶା ପ୍ରଦେଶ ଶାଖା ଓ ଏହାର ଭଦ୍ରକ ଜିଲା କମିଟି ଆଜି ଅପରାହ୍ନରେ ସଂଘର ରାଜ୍ୟ ସଂଯୋଜକ ଲକ୍ଷ୍ମୀଧର ବିଶ୍ୱାଳଙ୍କ ନେତୃତ୍ୱରେ ଭଦ୍ରକ ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟାଳୟ ଘେରାଉ କରିଥିଲେ। ଗତ ୪ ମାସ ଧରି ସଂଘ ପକ୍ଷରୁ ବହୁ ଅନିୟମିତତାର ପ୍ରମାଣ ଦେବା ସତ୍ୱେ ମଧ୍ୟ ଜିଲା ପରିଷଦର ପ୍ରଶାସନିକ ମୁଖ୍ୟ ସିଡିଓ-କମ୍‌-ଇଓ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାଁନ୍ତି ବୋଲି ଶ୍ରୀ ବିଶ୍ୱାଳ ଗଣମାଧ୍ୟମକୁ କହିଛନ୍ତି। ପ୍ରମାଣ ସ୍ୱରୂପ ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ତେସିଙ୍ଗା ଗ୍ରାମରେ ହୋଇଥିବା ଖେଳ ପଡିଆର ଉନ୍ନତିକରଣ ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ଗତ ୩ ମାସ ପୂର୍ବରୁ ପ୍ରମାଣିତ ହୋଇଛି। ତଥାପି ସେମାନଙ୍କ ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ସଂଘ ପକ୍ଷରୁ କାହିଁକି ଦୁର୍ନୀତି ବିରୁଦ୍ଧରେ ପିଡିଙ୍କୁ ଲିଖିତ ଭାବେ ଜଣାଇଥିବା ବିଷୟ କହି ବାସୁଦେବପୁର ବ୍ଲକ୍‌ର ବ୍ରାହ୍ମଣୀଗାଁ ପଞ୍ଚାୟତର ଜିଆରଏସ ଲମ୍ବୋଦର ଦାସ ଓ ତାଙ୍କର ପରିବାର ଲୋକେ ମିଳିତ ଭାବେ ଗାଁ ସାଥୀ ସଂଘର ଭଦ୍ରକ ଜିଲା ସଂପାଦକ ମନୋଜ ପାଢୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ତାଙ୍କ ବିରୁଦ୍ଧରେ ୩୦୭ ଦଫାରେ ବାସୁଦେବପୁର ଥାନାରେ କେଶ୍ ନଂ ୨୭୯/୨୨ ରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ଜିଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି ବୋଲି ସଂଘ ଅଭିଯୋଗ କରିଛି। ଏଣୁ ଉପରୋକ୍ତ ଘଟଣାର ପ୍ରତିବାଦ ସହ ମନରେଗା ପ୍ରକଳ୍ପରେ ହୋଇଥିବା ଶତାଧିକ ଦୁର୍ନୀତିର ପ୍ରମାଣ ପାଇଥିଲେ ମଧ୍ୟ ଏହି ଜିଲାର ୪ଟି ପ୍ରମୁଖ ବିକାଶ ମୂଳକ ପ୍ରସଙ୍ଗରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସଂଘ ପକ୍ଷରୁ ପତ୍ର ଦିଆଯାଇଛି। ଏବଂ ଏ ପ୍ରସଙ୍ଗରେ ଚଳିତ ଜୁଲାଇ ୨୮ ତାରିଖ ଦିନ ସକାଳ ୯ଟାରେ ଏକ ବିଶାଳ ଶୋଭାଯାତ୍ରା ସହ ଜିଲାପାଳ ଓ ପରେ ଜିଲା ପରିଷଦ କାର୍ଯ୍ୟାଳୟ ଠାରେ ଦାବି ପୂରଣ ନହେବା ଯାଏ ଗଣଧାରଣା ଜାରି ରହିବ ବୋଲି ଶ୍ରୀ ବିଶ୍ୱାଳ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.