ଭଦ୍ରକ, ୧୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ ନିଜର ମନମାନୀରେ ହାଇସ୍କୁଲ ପରୀକ୍ଷା କେନ୍ଦ୍ର ସ୍ଥାପନା କରିବାକୁ ନେଇ କରିଥିବା ଚିଠିକୁ ନେଇ ଧାମରା ଅଂଚଳରେ ଅଭିଭାବକ ମାନଙ୍କ ମଧ୍ୟରେ ଉତେଜନା ସୃଷ୍ଟି ହୋଇଛି।ପ୍ରାପ୍ତ ଖବରରୁ ପ୍ରକାଶ ଓଡିଶା ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଅନୁଯାୟୀ ହାଇସ୍କୁଲ ଛାତ୍ରଛାତ୍ରୀ ଏସ ଏ ୨ ପରୀକ୍ଷା ପାଇଁ ନିଜ ଅଧ୍ୟୟନରତ ବିଦ୍ୟାଳୟରେ ପରୀକ୍ଷା ଦେବାକୁ ଏହି ଚିଠିରେ ଉଲ୍ଲେଖ ଥିବା ବେଳେ କୌଣସି ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ୱଳ୍ପ ସମୟ ମଧ୍ୟରେ ଅଥବା ପାଦଚଲା ରାସ୍ତାରେ ନିକଟସ୍ତ ସରକାରୀ ବିଦ୍ୟାଳୟରେ ଏହି ପରୀକ୍ଷା ଦେବେ ବୋଲି ମଧ୍ୟ ଏହି ପତ୍ରରେ ଉଲ୍ଲେଖ ଅଛି। ମାତ୍ର ଏହି ନିୟମକୁ ସଂପୂର୍ଣ୍ଣ ଜଳାଞ୍ଜଳି ଦିଆଯାଇ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନିଜ ବିଦ୍ୟାଳୟ ଠାରୁ ୧୨-୨୫ କି.ମି ଦୂର ବିଦ୍ୟାଳୟରେ ପରୀକ୍ଷା ଦେବାକୁ ଜିଲ୍ଲା ଶିକ୍ଷାଧିକାରୀ ସଂପୃକ୍ତ ବେସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଚିଠି କରିଛନ୍ତି। ସୂଚନା ଅନୁଯାୟୀ କରଣପଲ୍ଲୀ ପଂଚାୟତରେ ଥିବା ଜିପି ହାଇସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ନିଜ ବିଦ୍ୟାଳୟ ଠାରୁ ୨୫ କି.ମି ଦୂର ଦୋସିଙ୍ଗା ହାଇସ୍କୁଲରେ ପରୀକ୍ଷା ଦେବା ପାଇଁ ଆଦେଶ ଦେଇଥିବା ବେଳେ କଇଥଖୋଲା ଠାରେ ଥିବା ବିବେକାନନ୍ଦ ଉଚ୍ଚ ବିଦ୍ୟାପୀଠର ଛାତ୍ରଛାତ୍ରୀ ମାନଙ୍କୁ ନିଜ ନିକଟରେ ଥିବା ୩ଟି ବିଦ୍ୟାଳୟକୁ ଛାଡି ୧୨ କି.ମି ଦୂର ଧାମରାଇ ନୋଡାଲ ହାଇସ୍କୁଲକୁ ଟ୍ୟାଗ କରାଯାଇଛି। ଏହା ଫଳରେ ପ୍ରଚଣ୍ଡ ରୋଦ୍ର ତାପରେ କିପରି ଛାତ୍ରଛାତ୍ରୀ ମାନେ ଦୀର୍ଘ ରାସ୍ତା ଅତିକ୍ରମ କରିବା ସହ ଦୀର୍ଘ ସମୟ ନଷ୍ଟ କରି ପରୀକ୍ଷା ଦେବାକୁ ଯିବେ ତାହା ଚିନ୍ତାର କାରଣ ପାଲଟିଛି। ଅନ୍ୟ ପକ୍ଷରେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ ନିଜର ନିଷ୍ପତି ବଦଳାଇ ତୁରନ୍ତ ଏହି ୨ଟି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ନିଜର ନିକଟବର୍ତ୍ତୀ ବିଦ୍ୟାଳୟ ସହ ଟ୍ୟାଗ କରିବାକୁ ଅଂଚଳବାସୀ ନିବେଦନ କରିଛନ୍ତି, ଅନ୍ୟଥା ଏହି ୨ଟି ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କ ପିତାମାତା ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଫିସ ଆଗରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି।।ଏ ବାବଦରେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ରଙ୍କ ସହ ଯୋଗାଯୋଗ କରିବାରୁ ସେ କରୋନା ଭୟାବହତାକୁ ଆଖି ଆଗରେ ରଖି ସାମାଜିକ ଦୂରତା ଦୃଷ୍ଟିରେ ରଖି ଏହି ପ୍ରକାର ନିଷ୍ପତି ନେଇଥିବା କଥା କହିଥିଲେ ମଧ୍ୟ ତୁରନ୍ତ ଏହି ନିଷ୍ପତିର ପୁର୍ନବିଚାର କରି ନିକଟସ୍ଥ ବିଦ୍ୟାଳୟରେ ଏହି ୨ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଏସ ଏ ପରୀକ୍ଷା ଦେବାକୁ ସୁବିଧା କରାଯିବ ବୋଲି କହିଥିଲେ।
Home ଜିଲ୍ଲା ପରିକ୍ରମା ଧାମରା ଅଂଚଳରେ ହାଇସ୍କୁଲ ପରୀକ୍ଷା କେନ୍ଦ୍ରକୁ ନେଇ ଉତ୍ତେଜନା, ଜିଲ୍ଲା ଶିକ୍ଷାଧିକାରୀଙ୍କ ମନୋମୁଖୀ କାର୍ଯ୍ୟକଳାପକୁ ବିରୋଧ...