ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାର ଆଜି ସନ୍ଧ୍ୟାରେ ସଦ୍ଭାବନା ଗୃହରେ ୨୦୨୧-୨୨ ବର୍ଷ ପାଇଁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜଗନ୍ନାଥ ନନ୍ଦଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାର ସମସ୍ତ କୃଷି ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଚଳିତ ରବି ଋତୁରେ ଉତ୍ପାଦନ ବୃଦ୍ଧି ଜରିଆରେ କୃଷକ ସଶକ୍ତିକରଣ ଆଭିମୁଖ୍ୟରେ ସରକାରଙ୍କ ନିର୍ଦ୍ଦେଶ ମତେ ବିଭିନ୍ନ ଯୋଜନା କୃଷିନୀତିରେ ଅନ୍ତର୍ଭୁକ୍ତ କରାଯାଇଥିବା ବୈଠକରେ ପ୍ରକାଶ କରାଯାଇଥିଲା । ବଦଳ କୃଷିକୁ ପ୍ରୋତ୍ସାହନ ସହ ଉନ୍ନତ ପରିଚାଳନା ଜରିଆରେ କୃଷି ଉତ୍ପାଦନ ଖର୍ଚ୍ଚ ହ୍ରାସ କରାଯିବା, କୃଷକମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିବା ସହ ଉନ୍ନତ ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା ପାଇଁ ମୃତ୍ତିକା ପରୀକ୍ଷା ପାଇଁ ଚାଷୀମାନଙ୍କୁ ଉତ୍ସାହିତ କରିବା, ଅଧିକ ଆୟ ପାଇଁ ଧାନଚାଷ ଅଞ୍ଚଳରେ ରବି ଋତୁରେ ଡାଲି, ତୈଳ, ପରିବା ଆଦି ଅଣଧାନ ଚାଷକୁ ଆପଣାଇବା, ପ୍ରମାଣିକୃତ ଉନ୍ନତମାନର ବିହନ ବ୍ୟବହାର କରିବା, କୃଷି ପୋଖରୀ ଓ ସମନ୍ୱିତ କୃଷି ଜରିଆରେ କୃଷକ ମାନଙ୍କ ଆୟ ବୃଦ୍ଧି କରାଯିବା, ଅଣଋଣୀ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ କୃଷକ ବୀମା ଯୋଜନାରେ ବୀମାଭୁକ୍ତ କରାଯିବା, ରବି ଋତୁରେ ଡାଲି ଓ ତୈଳ ଜାତୀୟ ଫସଲ ପ୍ରକ୍ରିୟାକରଣ ଉପରେ ଗୁରୁତ୍ୱ ପ୍ରଦାନ କରାଯିବା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଜରିଆରେ କୃଷି କ୍ଷେତ୍ରରେ କୃଷି-ଉଦ୍ୟୋଗୀ ମାନଙ୍କୁ ପ୍ରତ୍ସୋହନ ଦିଆଯାଇ ଗ୍ରାମାଞ୍ଚଳରେ ଯୁବଗୋଷ୍ଠୀଙ୍କ ପାଇଁ ନିଯୁକ୍ତି ସୁବିଧା ସୃଷ୍ଟି କରାଯିବା, ବଳରାମ ଯୋଜନାରେ ଭୂମିହୀନ ଚାଷୀ ମାନଙ୍କୁ ଋଣ ପ୍ରଦାନ ଓ ଚାଷ ପାଇଁ ସୁଯୋଗ ଯୋଗାଇଦେଇ ସେମାନଙ୍କ ଆୟ ବୃଦ୍ଧି କରିବା, ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କୁ କୃଷି ଭିତ୍ତିକ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରାଯିବା ସହ ମହିଳା କୃଷକ ମାନଙ୍କ ସଶକ୍ତିକରଣ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯିବା ନେଇ ସୂଚନା ପ୍ରଦାନ କରାଯାଇଥିଲା ।
ଚଳିତ ରବି ଋତୁରେ ଜିଲ୍ଲାର ୩୬,୪୦୦ ହେକ୍ଟର ଜମିରେ ଚାଷ କରାଯିବାକୁ ଥିବାବେଳେ ସେଥିରୁ ୬୦୦ ହେ. ରେ ଆଖୁ, ୨୦୦୦ ହେ. ରେ ମସଲା ଜାତୀୟ, ୫,୪୫୦ ହେ. ରେ ସମୁଦାୟ ପରିବା, ୪,୩୦୦ ହେ. ରେ ସମୁଦାୟ ତୈଳ ଜାତୀୟ, ୧୯,୨୦୦ ହେ. ରେ ସମୁଦାୟ ଡାଲି ଜାତୀୟ, ୩୦୦ ହେ. ରେ ମକା, ୫୦ ହେ. ରେ ଗହମ, ୪,୫୦୦ ହେ. ରେ ଅଧିକ ଅମଳକ୍ଷମ ଧାନଚାଷ କରାଯିବା ନେଇ ସୂଚନା ଦିଆଯାଇଥିଲା । କୃଷିଜନିତ ଆୟ ବୃଦ୍ଧି ପାଇଁ ପ୍ରଣୀତ ହୋଇଥିବା ସମନ୍ୱିତ କୃଷି ଯୋଜନାରେ କ୍ଷୁଦ୍ର, ମଧ୍ୟମ ଓ ବୃହତ୍ ଏହି ୩ ମଡେଲରେ ୨୩ଟି ୟୁନିଟ୍ ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ୨୦୨୧-୨୨ ବର୍ଷରେ କାର୍ଯ୍ୟକାରୀ କରାଯିବା ନେଇ ମଧ୍ୟ ସୂଚନା ପ୍ରଦାନ କରାଯାଇଥିଲା । ବନ୍ତ ଏବଂ ତିହିଡ଼ି ବ୍ଲକ୍ରେ ୪ଟି ଲେଖାଏଁ ଏବଂ ଅନ୍ୟ ସମସ୍ତ ବ୍ଲକରେ ୩ଟି ଲେଖାଏଁ ୟୁନିଟ୍ ସ୍ଥାପନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।