କଟକ ୨୬/୧୧ (ଓଡ଼ିଆ ପୁଅ /ଅଭୟ ଜେନା ) ଜରୁରୀ ସଂସଦ ଡାକି ୩ଟି କଳା କୃଷି ଆଇନକୁବାତିଲ କରିବା, କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନସମ୍ମତ କରିବା, ବିଦ୍ୟୁତ୍ (ସଂଶୋଧନ)ବିଲ୍ ୨୦୨୧ ବାତିଲ୍ କରିବା ଦାବିରେ ତଥା ଏହି ଐତିହାସିକ କୃଷକ ଆନ୍ଦୋଳନର ଏକ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ବାମପନ୍ଥୀ ପାର୍ଟି ଏସ୍ୟୁସିଆଇ(ସି), ଛାତ୍ର ସଂଗଠନ ଏଆଇଡିଏସ୍ଓ, ଯୁବ ସଂଗଠନ ଏଆଇଡିୱାଇଓ, ମହିଳା ସଂଗଠନ ଏଆଇଏମ୍ଏସ୍ଏସ୍ ପକ୍ଷରୁ କଟକ ଜିଲ୍ଲାପଳଙ୍କ ଅଫିସ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏସ୍ ୟୁ ସି ଆଇ (ସି) କଟକ ଜିଲ୍ଲା କମିଟି ପକ୍ଷରୁ ଅଫିସ ସଂପାଦକ ଖଗେଶ୍ୱର ସେଠୀ, ଜିଲ୍ଲା କମିଟି ସଦସ୍ୟ ସିଦ୍ଧାର୍ଥ ରଥ, କର୍ମଚାରୀ ନେତା ସୌଭାଗ୍ୟ ସାମଲ, ରବିନ୍ଦ୍ର ନାୟକ, ଏଆଇଡିଏସ୍ଓ କଟକ ଜିଲ୍ଲା କମିଟିର ସଭାପତି ଭାଗ୍ୟରବି ଦାସ, ଉପସଭାପତି ତରୁଣସେନ ନାୟକ, ସମ୍ପାଦକ ବିନୋଦ ସେଠୀ, କୋଷାଧ୍ୟକ୍ଷ ଇଶା ଧର ଏଆଇଡିୱାଇଓର ସଂଗଠକ ପ୍ରତାପ ମିଶ୍ର, ଏଆଇଏମ୍ଏସ୍ଏସ୍ର ସଂଗଠିକା, ମାଳବିକା ସାମଲ, ସିପ୍ରା ମହାନ୍ତି, ସ୍ୱାଧିନୀ ବେହେରା, ଶ୍ରମିକ ନେତା ପ୍ରିୟଦର୍ଶନ ପାଭେଲ, ଛାତ୍ରନେତା ଶିବାନୀ ସାହୁ, ଜ୍ୟୋସ୍ନାରାଣୀ ଦାସ, ଅମରେନ୍ଦ୍ର ନାୟକ, ସରୋଜ ମାନସିଂ ଓ ଭାଗ୍ୟଶ୍ରୀ ପ୍ରଧାନ ପ୍ରମୁଖଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା।
ଏଠାରେ ସୂଚନାଯୋଗ୍ୟ ଯେ, ଦେଶର ଚାଷୀମାନେ ସେମାନଙ୍କର ନ୍ୟାଯ୍ୟ ଦାବି ପୂରଣ ଉଦ୍ଦେଶ୍ୟରେ ଦୀର୍ଘ ୧ ବର୍ଷ ଧରି ଆନ୍ଦୋଳନ ଜାରି ରଖିଛନ୍ତି। କେନ୍ଦ୍ର ବିଜେପି ସରକାରଙ୍କ ଉତ୍ପୀଡନ ଓ ଦମନ ଫଳରେ ୭୫୦ରୁ ଉର୍ଦ୍ଧ୍ୱ ଚାଷୀ ସେମାନଙ୍କର ଜୀବନ ବଳିଦାନ ଦେଇଛନ୍ତି। ଏତଦ୍ ସତ୍ତ୍ୱେ ଶୀତ, ଖରା ଓ ବର୍ଷାକୁ ଖାତିର ନକରି ଦୃଢ଼ ସଂକଳ୍ପ ନେଇ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେନି ବୋଲି ଘୋଷଣା କରି ଚାଷୀମାନେ ବୀରତ୍ୱପୂର୍ଣ୍ଣ ଲଢ଼େଇ ଜାରି ରଖିଛନ୍ତି। ଏହି ତିନୋଟି କୃଷି ଆଇନ୍ କୃଷକମାନଙ୍କର ଜମି ଓ ଉତ୍ପାଦିତ କୃଷିଦ୍ରବ୍ୟ ସମ୍ପୂର୍ଣ୍ଣ ଭାବେ ଏକଚାଟିଆ ପୁଞ୍ଜିପତିମାନଙ୍କ ଅକ୍ତିଆରକୁ ଟେକିଦେବା ପାଇଁ ଉଦ୍ଦିଷ୍ଟ। ସାର, ବିହନ, କୀଟନାଶକ ଔଷଧ, ଜଳ ଓ ବିଦ୍ୟୁତ୍ ଇତ୍ୟାଦି କ୍ଷେତ୍ରରେ ବହୁ ରାଷ୍ଟ୍ରୀୟ କମ୍ପାନୀମାନଙ୍କର ପ୍ରବେଶ ଘଟି ଚାଷୀକୂଳ ସର୍ବସ୍ୱାନ୍ତ କରିବାର ସମସ୍ତ ବ୍ୟବସ୍ଥା ରହିଛି। ଫଳରେ ଚାଷୀକୂଳ ସମେତ ସବୁ ସ୍ତରର ଜନସାଧାରଣଙ୍କର ବଞ୍ଚିବ ଦୁର୍ବିସହ ହୋଇଯିବାର ସମସ୍ତ ବ୍ୟବସ୍ଥା ଏହି ଆଇନ ମଧ୍ୟରେ ନିହିତ ରହଛି। କେନ୍ଦ୍ର ସରକାର ଆନ୍ଦୋଳନ ଚାପରେ ତିନୋଟି କଳା କୃଷି ଆଇନ୍କୁ ରଦ୍ଦ କରିବା ପାଇଁ ଘୋଷଣା କରିଛନ୍ତି। ମାତ୍ର ଯେ ପର୍ଯ୍ୟନ୍ତ ଏହି ତିନୋଟି କୃଷି ଆଇନ୍ ସମ୍ପୂର୍ଣ୍ଣଭାବେ ପ୍ରତ୍ୟାହର ନ ହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବା ସହ ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନ୍ ସମ୍ମତ କରିବା, ସ୍ୱାମିନାଥନ୍ କମିଟିର ସୁପାରିଶକୁ ଲାଗୁ କରିବା ଓ ବିଦ୍ୟୁତ(ସଂଶୋଧନ) ବିଲ ୨୦୨୧ ବିଦ୍ୟୁତ ସେବାକୁ ବାତିଲକରିବା ଦାବିରେ ଆନ୍ଦୋଳନକୁ ଶକ୍ତିଶାଳୀ କରିବା ପାଇଁ ବିକ୍ଷୋଭକାରୀମାନେ ଘୋଷଣା କରିଛନ୍ତି। ଏହି ଐତିହାସିକ ଆନ୍ଦୋଳନରୁ ଶିକ୍ଷା ନେଇ ଜନଜୀବନର ବିଭିନ୍ନ ସମସ୍ୟା ବିରୁଦ୍ଧରେ ଆନ୍ଦୋଳନ ଗଢିତୋଳିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦିଆଯାଇଛି।