ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଫିକା ପଡିଛି ଭଦ୍ରକର ଗଣପର୍ବ କାଳୀପୂଜା । କରୋନା ମହାମାରୀ ପାଇଁ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ କୋଭିଡ୍ କଟକଣା ମଧ୍ୟରେ ଗୁରୁବାର ନିଶାର୍ଦ୍ଧରେ ଆରମ୍ଭ ହୋଇଥିଲା ମା’ଙ୍କ ପାରମ୍ପରିକ ପୂଜାର୍ଚ୍ଚନା । ସହରର ୭ଟି ସ୍ଥାୟୀ ମଣ୍ଡପରେ ମା’ କାଳୀଙ୍କ ପୂଜା ଅନୁଷ୍ଠିତ ହୋଇଥିବାବେଳେ ପ୍ରଶାସନ ଓ ବିଭିନ୍ନ ପୂଜା କମିଟି କର୍ମକର୍ତ୍ତାଙ୍କ ମଧ୍ୟରେ ଅନୁଷ୍ଠିତ ପୂର୍ବ ନିର୍ଦ୍ଧାରିତ ବୈଠକର ନିଷ୍ପତ୍ତି ଅନୁଯାୟୀ ମା’ ଙ୍କ ବିସର୍ଜନ ପର୍ବ ଆରମ୍ଭ ହୋଇଛି । ଗତକାଲି ଚରମ୍ପାର ଟ୍ରାଫିକ୍ କାଳୀ ଓ ପିଡବ୍ଲ୍ୟୁଆଇ ମେଢର ଭସାଣି ହୋଇଥିବାବେଳେ ଆଜି ଅନ୍ୟ ସବୁ ମେଢର ଭସାଣି ହୋଇଥିବାର ଜଣାପଡିଛି । ଚଳିତବର୍ଷ କରୋନା ପ୍ରଭାବ କମ୍ ଥିବାବେଳେ ଏବଂ ବିଭିନ୍ନ ରାଜନୈତିକ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କୌଣସି ପ୍ରତିବନ୍ଧକ ନଥିବା ସ୍ଥଳେ କଳୀପୂଜା ଉପରେ ସରକାରଙ୍କ କଟକଣାକୁ ନେଇ ସନ୍ତୁଷ୍ଟ ନାହାଁନ୍ତି ଶ୍ରଦ୍ଧାଳୁଙ୍କ ସମେତ ସମସ୍ତ ପୂଜା କମିଟିର କର୍ମକର୍ତ୍ତା । କାରଣ ଏହି କଟକଣା ଶ୍ରଦ୍ଦାଳୁଙ୍କ ମନରୁ ଖୁସି ଛଡାଇ ନେଇଛି । କାରଣ କାଳୀପୂଜା ଭଦ୍ରକର ଗଣପର୍ବର ମାନ୍ୟତା ପାଇସାରିଛି । କେବଳ ସହରାଞ୍ଚଳ ନୁହେଁ, ଗ୍ରାମାଞ୍ଚଳରେ ମଧ୍ୟ ପୂଜା ମାହୌଲ ଜୋରଦାର ଅନୁଭୂତ ହୋଇଥାଏ । ଭଦ୍ରକ ସହର ଦୀର୍ଘ ୮ ଦିନ ଧରି ଚଳଚଞ୍ଚଳ ହୋଇଉଠେ । ବିଶେଷତଃ ଚରମ୍ପାରେ ପ୍ରତ୍ୟେକ ଦିନ ଲକ୍ଷାଧିକ ଲୋକଙ୍କ ଭିଡ ଜମିଥାଏ । ମୀନାବଜାର ଠାରୁ ଆରମ୍ଭ କରି ଅପେରା ପ୍ରଦର୍ଶନ ପର୍ଯ୍ୟନ୍ତ ଜିଲାବାସୀ ବେଶ୍ ମଜା ଉଠାଇଥାନ୍ତି । ମୋଟାମୋଟି ଭାବେ ସହରରେ ଏହି ୮ ଦିନ, ରାତି ଏକ ହୋଇଯାଇଥାଏ । ମାତ୍ର ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସେମିତି କିଛି ଦେଖିବାକୁ ମିଳିନାହିଁ । ଅପରପକ୍ଷେ ମା’ ଭଦ୍ରକାଳୀ ପୀଠ, ପଥରକାଳୀ ପୀଠ, ଦକ୍ଷିଣେଶ୍ୱର କାଳୀ ପୀଠ ଓ ପୁରୁଣାବଜାର ବାନାର୍ଜୀ ପରିବାର ପକ୍ଷରୁ ବିଧି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା ଚାଲିଛି ।