Home ଜିଲ୍ଲା ପରିକ୍ରମା ସ୍ୱାସ୍ଥ୍ୟସେବା ଏକ ମୌଳିକ ଅଧିକାର ଦାବିରେ ରାଜ୍ୟରେ ଗଠନ ହେଲା ଜନ ସ୍ୱାସ୍ଥ୍ୟ ଅଧିକାର ମଞ୍ଚ

ସ୍ୱାସ୍ଥ୍ୟସେବା ଏକ ମୌଳିକ ଅଧିକାର ଦାବିରେ ରାଜ୍ୟରେ ଗଠନ ହେଲା ଜନ ସ୍ୱାସ୍ଥ୍ୟ ଅଧିକାର ମଞ୍ଚ

37

ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ସମ୍ବିଧାନ ଏହାର ନାଗରିକମାନଙ୍କୁ ଜୀବନ ବଞ୍ଚିବାର ଅଧିକାର ପ୍ରଦାନ କରିଛି । ହେଲେ ପ୍ରତିଟି ମଣିଷକୁ ସ୍ୱାସ୍ଥ୍ୟସେବା ଯୋଗାଇ ନଦେଲେ ଏହି ମୌଳିକ ଅଧିକାର କାର୍ଯ୍ୟକ୍ଷମ ହେବା ସମ୍ଭବପର ନୁହେଁ । ଚଳିତ କୋଭିଡ ମହାମାରୀ କାଳରେ ଏହାର ପରିଚାଳନାରେ ସରକାର ଅନେକ କ୍ଷେତ୍ରରେ ବିଫଳତାର ସ୍ୱାଦ ଚାଖିଛନ୍ତି । କୋଭିଡ ଚିକିତ୍ସା କ୍ଷେତ୍ରରେ ଘରୋଇ ଡାକ୍ତରଖାନାମାନଙ୍କୁ କୋଟିକୋଟି ଟଙ୍କା ଦେବା ସତ୍ତ୍ୱେ ସେମାନେ ଉତ୍ତମ ସେବା ଯୋଗାଇବାରେ ବିଫଳ ହୋଇଥିବା କଥା ମୟୁରଭଞ୍ଜ କୋଭିଡ କେୟାର ହସପିଟାଲ ଭଳି ଅନେକ ଘଟଣାରୁ ଜଳଜଳ ଦେଖାଯାଉଛି । ସରକାର ଯେତିକି ଅର୍ଥ ଘରୋଇ ଡାକ୍ତରଖାନାମାନଙ୍କୁ ଦେଇଛନ୍ତି, ସେତିକି ସରକାରୀ ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ସଜାଡିବାରେ ଖର୍ଚ୍ଚ କରିଥିଲେ, ଆମେ ବି କେରଳ ଓ ଦିଲ୍ଲୀ ଭଳି ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ରାଜ୍ୟରେ ପରିଣତ ହୋଇଥାନ୍ତୁ । ଅନେକ ରାଜ୍ୟ କୋଭିଡ ଜନିତ ମୃତ୍ୟୁ ସଂଖ୍ୟାକୁ ଅନୁଶୀଳନ କରି ଏହାର ସଠିକ୍ ରିପୋର୍ଟ ପ୍ରଦାନ କରିବାକୁ ଚେଷ୍ଟା କରିଛନ୍ତି ।

ଏକ ବେସରକାରୀ ତଥ୍ୟ ଅନୁସାରେ ଚଳିତ ବର୍ଷ କରୋନାର ଦ୍ୱିତୀୟ ଲହର ସମୟରେ ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ଼ ବ୍ଲକରେ କାରୋନା ଲକ୍ଷଣ ଥାଇ ୧୩୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କରୋନା ପରୀକ୍ଷା କରିଥିବା କେବଳ ଛଅ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବରେ ଘୋଷଣା ହୋଇଛି । ରାଜ୍ୟର ଗୋଟିଏ ବ୍ଲକର ସ୍ଥିତି ଯଦି ଏପରି, ତେବେ ସମଗ୍ର ରାଜ୍ୟରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟାର ସ୍ଥିତି କେତେ ଭୟଙ୍କର ତାହା ଅନୁମେୟ । ପର୍ଯ୍ୟାପ୍ତ ପରୀକ୍ଷା, ଟୀକାକରଣ, ଅଣକୋଭିଡ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ହେଉଥିବା ଅସୁବିଧା ତଥା ବେସରକାରୀ ଡାକ୍ତରଖାନାମାନଙ୍କୁ ଅନୁଧ୍ୟାନ କରିବା ପାଇଁ ଗଠନ କରାହୋଇଥିବା ଏକ୍ସପର୍ଟ କମିଟିର ରିପୋର୍ଟ ଆଦିକୁ ସରକାର ବିଶେଷ ପ୍ରାଧାନ୍ୟ ଦେଉଥିବା ଜଣାପଡୁ ନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି, ପ୍ରଥମ ଲହର ସମୟରେ ସ୍ୱାସ୍ଥ୍ୟ ବିଭାଗ ରୋଗ, ରୋଗୀ ତଥା ଚିକିତ୍ସା ସମ୍ବନ୍ଧରେ ନିଜ ୱେବସାଇଟରେ ସବିଶେଷ ତଥ୍ୟ ଦେଉଥିବା ବେଳେ ଚଳିତ ଲହର ସମୟରେ ତାହା ବନ୍ଦ ରଖିଛନ୍ତି । ସେହିଭଳି ଗତଥର ସରପଞ୍ଚମାନଙ୍କୁ ଜିଲ୍ଲାପାଳ ଦାୟିତ୍ୱ ପ୍ରଦାନ କରି କ୍ୱାରେଣ୍ଟାଇନ ସେଣ୍ଟର ଗାଁ ଗାଁରେ ଗଢି ରୋଗକୁ ରୋକିବା ଦିଗରେ ଯେଭଳି ସଫଳ ପ୍ରୟାସ କରାହୋଇଥିଲା, ଏଥର କେବଳ ଧର୍ମକୁ ଆଖିଠାର ମାରିବା ଭଳି ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରାଯାଇଥିଲେ ବି ରୋଗ ରୋକିବା ଦିଗରେ କୌଣସି ପଦକ୍ଷେପ ନେବାକୁ ସେମାନଙ୍କୁ ଦାୟିତ୍ୱ ଦିଆଯାଇ ନାହିଁ ।

ଫଳସ୍ୱରୂପ ଚଳିତଥର ଗାଁ ଗହଳି ଏପରିକି ନିୟମଗିରି ଓ ବଣ୍ଡାହିଲରେ ସୁଦ୍ଧା ଏହି ରୋଗର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟସେବାକୁ ପ୍ରତିଟି ମଣିଷ ନିକଟରେ ପହଞ୍ଚାଇବା ତଥା ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ମୌଳିକ ଅଧିକାର ରୂପରେ ଗ୍ରହଣ କରିବା ପାଇଁ ସରକାରଙ୍କ ସହ ଚର୍ଚ୍ଚା କରିବା ଲକ୍ଷରେ ଏକ ଆଭାସୀ ବୈଠକରେ ରାଜ୍ୟସ୍ତରରେ ଜନସ୍ୱାସ୍ଥ୍ୟ ଅଧିକାର ମଞ୍ଚ ନାମରେ ଏକ ସଂଗଠନ ଗଢାଯାଇଅଛି । ଜନସ୍ୱାସ୍ଥ୍ୟ ଅଭିଯାନର ରାଜ୍ୟ ଆବାହକ ଗୌରାଙ୍ଗ ମହାପାତ୍ରଙ୍କ ଆବାହାକତ୍ୱରେ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ବ୍ଲକ ସ୍ତରରେ କାର୍ଯ୍ୟରତ ସମାଜସେବୀ, ବୁଦ୍ଧିଜୀବୀ ଆଦିଙ୍କୁ ନେଇ ଏହି ମଞ୍ଚ ଗଢାହୋଇଛି । ଏହି ମଞ୍ଚରେ ଅଭିଯାନର ଷ୍ଟିଅରିଂ କମିଟି ସଦସ୍ୟ ଡା. ବିଶ୍ୱଜିତ, ସାମାଜିକ କର୍ମୀ ମାନସ ରଞ୍ଜନ ମିଶ୍ର, ସନ୍ଦୀପ ପଟ୍ଟନାୟକ, ଜୟନ୍ତ କୁମାର ଦାସ, ରାମ ଶଙ୍କର ରାମ, ଅନନ୍ତ, ତ୍ରିଲୋଚନ ପୁଞ୍ଜି, ରାକେଶ ସିଂ, ଅମିତାଭ ପାତ୍ର, କୈଳାଶ ଦଣ୍ଡପାଟ, ଗୟାଧର ଧଳ, ସୁଧାଂଶୁ ଶେଖର ଦେଓ, ଅବନୀ ଗୟା, ପ୍ରଭାତ କୁମାର ସାହୁ, ଆଦିକନ୍ଦ ରାଉଳ, ତୁଷାରକାନ୍ତ ମହାନ୍ତି, ରଘୁନାଥ ସାହୁ, ସ୍ୱପ୍ନା ଷଡ଼ଙ୍ଗୀ, ଅରୁଣ ଦିହୁଡି, ପୂର୍ଣ୍ଣଚନ୍ଦ୍ର ସାହୁ, ସମିତ ପଣ୍ଡା, ବିଘ୍ନେଶ୍ୱର ସାହୁ ପ୍ରମୁଖ ସାମିଲ ହୋଇଥିବା ବେଳେ ପ୍ରଚାର ବିଭାଗ କମିଟିରେ ସାମାଜିକ କର୍ମୀ ମଧୁସୂଦନ ସେଠୀ, ଭୁବନ ଚାନ୍ଦ ହାତୀ, ସୂର୍ଯ୍ୟ ନାରାୟଣ ନାଥ, ଜ଼ାହିର ଖାଁ ସ୍ଥାନ ପାଇଛନ୍ତି । ଆଭାସୀ ସଭାକୁ ମଞ୍ଚର ସହ ଆବାହକ ମାନସ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଏଥିରେ ହରିହର ନନ୍ଦୀ ପୌରୋହିତ୍ୟ କରିଥିଲେ । ବକ୍ତା ଭାବେ ବୈଲୋଚନ ବେହୁରିଆ, ବିଧିବକ୍ତା ଜୁଲଫିକର, ସମ୍ପାଦକ ତୁଷାରକାନ୍ତି ମହାନ୍ତି, ବାସନ୍ତୀ ମୁଣ୍ଡା ଯୋଗ ଦେଇଥିବା ବେଳେ ପ୍ରକାଶଜ୍ୟୋତି ମହାକୁଡ଼ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.