ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯୁବ ଖବରକାଗଜ ବିତରକ ସନାତନ ଚିନ୍ନରାଙ୍କୁ ନିଉଜ ଏଜେନ୍ସି ନଲେଜ ସେଣ୍ଟର ପରିବାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ମଙ୍ଗଳବାର ସକାଳେ ନଲେଜ ସେଣ୍ଟର ପରିସରରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ବରିଷ୍ଠ ବିତରକ ରବୀନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ୱ ଓ ରାଜେନ୍ଦ୍ର କୁମାର ପରିଡ଼ାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଥମେ ଉପସ୍ତିତ ୪୦ରୁ ଉର୍ଦ୍ଧ୍ୱ ବିତରକ ଉପସ୍ଥିତ ରହି ସ୍ୱର୍ଗତ ଆତ୍ମାଙ୍କ ସଦଗତି କାମନା କରିବା ସହ ଏକ ମିନିଟ ନିରବ ପ୍ରାର୍ଥନା କରିଥିଲେ । ପରେ ନଲେଜ ସେଣ୍ଟର ପରିବାରର ମୁଖ୍ୟ ଏମଡି ଆସିଫ ଅଲ୍ଲୀଙ୍କ ସମେତ ବହୁ ବିତରକ ୰ ଚିନ୍ନାରାଙ୍କ କର୍ତ୍ତବ୍ୟନିଷ୍ଠା ଓ ସମୟାନୁବର୍ତ୍ତୀତା ଉପରେ ଆଲୋକପାତ କରିଥିଲେ । ନିଜର ନିଷ୍ଠା ପାଇଁ ଦୀର୍ଘ ୧୬ ବର୍ଷ ମଧ୍ୟରେ ସେ ସମସ୍ତଙ୍କୁ ନିଜର କରି ପାରିଥିଲେ । ତାଙ୍କ ବିୟୋଗରେ ଯେଉଁ କ୍ଷତି ହୋଇଛି, ତାହା କେବେ ପୂରଣ ହୋଇ ପାରିବ ନାହିଁ ବୋଲି ସେମାନେ କହିଥିଲେ । ଏହି ଅବସରରେ ୰ ଚିନ୍ନାରାଙ୍କ ପରିବାରକୁ ଦୁର୍ଘଟଣାଜନୀତ ସହାୟତା ରାଶୀ ସମେତ ଜିଲ୍ଲା ରେଡକ୍ରସରୁ କିପରି ସହାୟତା ମିଳି ପାରିବ ସେଥି ନେଇ ଏକ ବିତରକଙ୍କ ପ୍ରତିନିଧି ଦଳ ଜିଲ୍ଲା ସାମ୍ବାଦିକଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେବାକୁ ନିଷ୍ପତ୍ତି ହୋଇଥିଲା । ସେହିପରି ବିତରକମାନେ ମଧ୍ୟ ଯଥାସମ୍ଭବ ଆର୍ଥୀକ ସହାୟତା ୰ ଚିନ୍ନରାଙ୍କ ପରିବାରକୁ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଥିଲା । ଏହାବ୍ୟତୀତ ୰ ଚିନ୍ନାରା ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବାରୁ, ତାଙ୍କ ପରିବାର ବହୁ ଅସୁବିଧାରେ ଅଛନ୍ତି । ତେଣୁ ତାଙ୍କ ବିଧବା ପତ୍ନୀଙ୍କୁ କୌଣସି ସରକାରୀ ବା ବେସରକାରୀ ସଂସ୍ଥାରେ ଚାକିରି ଦେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଥିଲା । କୋଭିଡ ସମୟରେ ନିଜ ଜୀବନକୁ ବିପଦାପନ୍ନ କରି ଖବରକାଗଜ ବିତରଣ କରି ଆସୁଥିବା ବିତରକମାନଙ୍କ ସାମାଜିକ ସୁରକ୍ଷା ବିଷୟରେ ମଧ୍ୟ ବହୁ ବିତରକ ଦାବିପତ୍ର ଦେବାକୁ ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଆସନ୍ତା ୩/୪ ଦିନ ମଧ୍ୟରେ ଅଣ ସଂଗଠିତ କ୍ଷେତ୍ରରେ ବହୁ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ କରି ଆସୁଥିବା ବିତରକମାନେ ନିଜର ସମସ୍ୟାକୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଉପସ୍ଥାପିତ କରିବେ ବୋଲି ବରିଷ୍ଠ ବିତରକ ତଥା ନଲେଜ ସେଣ୍ଟର ପରିବାରର ସଦସ୍ୟ ଶ୍ରୀ ପାଣୀ ସୂଚନା ଦେଇଛନ୍ତି ।