ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକର ବିଭିନ୍ନ ସମୟରେ ଚୋରି ରାହାଜାନି ବୃଦ୍ଧି ପାଉଥିବାବେଳେ ଏବେ ଚୋରମାନେ ବିଭିନ୍ନ ଦେବାଦେବୀ ମନ୍ଦିର ଉପରେ ନଜର ପକାଇଲେଣି । ନିକଟରେ ଲୁଣିଆ, କଲ୍ୟାଣୀ, ବରୁଣାଇ ଆଦି ମନ୍ଦିରରୁ ଗ୍ରିଲ ତାଡ଼ି ଠାକୁରଙ୍କର ସୁନା ଅଳଙ୍କାର ଓ ବ୍ୟବହୃତ କଂଶା, ପିତଳ ଘଣ୍ଟା ଚୋରି ହୋଇଥିବାବେଳେ ଗତକାଲି ଅର୍ଜ୍ଜୁନପୁର ସ୍ଥିତ କପିଳେଶ୍ୱର ଶିବମନ୍ଦିର, ଗ୍ରାମଦେବତୀ, ଫଳପୁର ସ୍ଥିତ ମା’ ତାରିଣୀ ମନ୍ଦିର, ବାଘୁଆରି ସ୍ଥିତ ବଟେଶ୍ୱର ଶିବମନ୍ଦିର, ବିରୁହାଁ ଗ୍ରାମଦେବତୀ, ଜାହାଙ୍ଗିର ରାଧାକୃଷ୍ଣ ମନ୍ଦିର, ଦୋବଲ ହନୁମାନମନ୍ଦିରରୁ ଦୁର୍ବୁତ ମାନେ ମନ୍ଦିରର ଗ୍ରିଲକୁ ତାଡ଼ି ଠାକୁରଙ୍କର ବିଭିନ୍ନ ଘଣ୍ଟା, ଘଣ୍ଟି, ଠାକୁର ବାସନ ସାମଗ୍ରୀ, ପିତଳବାଲତି ଓ ହଣ୍ଡା ଇତ୍ୟାଦି ଚୋରି କରିନିଆଯାଇଛି । ଏହି କିଛିଦିନ ହେବ କିଛି ଚୋରମାନେ ଏପରି ଅଭିନବ ଉପାୟରେ ମନ୍ଦିରର ଠାକୁରଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି । ଏନେଇ ଧୂଷୁରୀ ଓ ଧାମନଗର ଥାନାରେ ପୃଥକ ପୃଥକ ଭାବେର ଅଭିଯୋଗ କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଛି । ତେବେ ବିଳମ୍ବିତ ରାତ୍ରୀରେ ପୋଲିସ ପକ୍ଷରୁ ରାତ୍ରକାଳିନ ପେଟ୍ରୋଲିଂ କରିବା ସହିତ ୧୦ଟା ପରେ ରାସ୍ତୋରେ ଯାଉଥିବା ଅଚିହ୍ନା ଲୋକଙ୍କର ଗାଡ଼ି ଯାଞ୍ଚ ସହିତ ସେମାନଙ୍କ ପରିଚୟ ପତ୍ର ଯାଞ୍ଚ କଲେ ଏପରି ବହୁ ଅଜଣା ବ୍ୟକ୍ତିଙ୍କ ଚଳପ୍ରଚଳ ଧରାଯାଇ ପାରିବବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି ।