ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବୈଦିକ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଛି ବାବା ଆଖଣ୍ଡଳମଣିଙ୍କ ବିବାହ । କୋଭିଡ କଟକଣା ଅନୁଯାୟୀ ବିବାହ କାର୍ଯ୍ୟରେ ସୀମିତ ସେବାୟତ ରହି ସମସ୍ତ ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ କରିଥିଲେ । ଆଜି ଦିନତମାମ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା ସ୍ୱତନ୍ତ୍ର ନୀତିକାନ୍ତି । ଭୋର ୪ଟାରେ ଦ୍ୱାରଫିଟା ନୀତି ସରିବା ପରେ ମଙ୍ଗଳଆଳତୀ, ଘର୍ଷଣଲାଗି, ମଙ୍ଗୁଳା କାର୍ଯ୍ୟ ସରିବା ପରେ ଉଭୟ ବାବା ଆଖଣ୍ଡଳମଣି ଓ ମାତା ପାର୍ବତୀଙ୍କୁ ନବବସ୍ତ୍ର ଲାଗି କରାଯାଇ ପହିଲି ଭୋଗ ଲାଗି କରାଯାଇଥିଲା । ଏପଟେ ବରପିତା ରଶ୍ମିରଞ୍ଜନ ପାଢୀ ଓ କନ୍ୟାପିତା ଚନ୍ଦ୍ରମଣି ପାଢୀଙ୍କ ଘରେ ହର ଓ ଗୈାରୀଙ୍କୁ ୫ଜଣ ମହିଳା ମଙ୍ଗଳାନୀତି ସମ୍ପନ୍ନ କରିଥିଲେ । ପରେ ମାତା ପାର୍ବତୀଙ୍କର ଭାଇ ଭାବେ ପବନସୁତ ହନୁମାନ ନରଧରା ଭାବେ ବାହାରିଥିଲେ ବାବାଙ୍କୁ ବରଣୀ କରିବା ପାଇଁ, ସେବାୟତମାନେ ହନୁମାନଙ୍କୁ ଏକ ସୁସଜ୍ଜତି ବିମାନରେ ବିଜେ କରାଇ ବରଘର ଅଭିମୁଖେ ନେଇଥିଲେ ।ସେଠାରେ ବ୍ରାହ୍ମଣଙ୍କ ଦ୍ୱାରା ବରଣୀ କର୍ମ ସରିବା ପରେ କୋଭିଡ କଟକଣା ପାଳନ କରି ବରାନୁଗମନ ଶୋଭାଯାତ୍ରା ବାହାରିଥିଲା ମନ୍ଦିର ଅଭିମୁଖେ । ଏହି ଶୋଭାଯାତ୍ରା ପୀଠର ନଗରୀ ପରିକ୍ରମା କରିବା ପରେ ମନ୍ଦିର ଭିତରବେଢାରେ ନିର୍ମିତ ବିବାହ ମଣ୍ଡପକୁ ବିଜେ କରିଥିଲେ । ସେଠାରେ ବୈଦିକ ରୀତିନୀତି ଓ ଲୋକାଚାରରେ ବିବାହ କାର୍ଯ୍ୟ ସମ୍ପନ୍ନ ହେବା ସହ ଦେବଦମ୍ପତିଙ୍କ ହାତରେ ପଡିଥିଲା ହସ୍ତଗଣ୍ଠି । ଏଥିପାଇଁ ପୀଠରେ ଜିଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ଜଣେ ମ୍ୟାଜିଷ୍ଟ୍ରଟ ଙ୍କ ସହ ୪ସେକ୍ସନ ଫୋର୍ସ , ଧୁଷୁରୀ ଥାନା ଅଧିକାରୀ ଓ ଆରଡି ପୁଲିସ ଉପସ୍ଥିତ ଥିଲେ । ଆସନ୍ତାକାଲି ଶୀତଳଷଷ୍ଠିରେ ମନ୍ଦିର ଫେରିବେ ଦେବଦମ୍ପତି ।
Home ଜିଲ୍ଲା ପରିକ୍ରମା ବୈଦିକ ରୀତିନୀତିରେ ସମ୍ପନ୍ନ ହେଲା ଆଖଣ୍ଡଳମଣିଙ୍କ ବିବାହ, ବୁଧବାର ଶିତଳଷଷ୍ଠିରେ ମନ୍ଦିରକୁ ଫରିବେ ଦେବଦମ୍ପତି, କୋଭିଡ...