ନୟାଗଡ଼, ୩୦ା୫ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସାକେରୀ ପଂଚାୟତରେ ମାସ ମାସ ଧରି ଅଚଳାବସ୍ଥା ସୃଷ୍ଟି ହୋଇଥିବାବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଜିଲ୍ଲାପାଳ ଚୁପ୍ ରହିବା ଘଟଣାକୁ ନେଇ ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ୍ ଦାଶ ପ୍ରଶ୍ନ ଉଠାଇଛନ୍ତି। ଏକ ପ୍ରେସ୍ ଇସ୍ତାହାରରେ ଶ୍ରୀ ଦାଶ ଅଭିଯୋଗ କରିଛନ୍ତିଯେ, ସାକେରୀ ପଂଚାୟତର ସରପଂଚ ବିବେକାନନ୍ଦ ପ୍ରଧାନ ନିଜ ବ୍ୟକ୍ତିଗତ କାର୍ଯ୍ୟରେ ଦିଲ୍ଲୀରେ ରହି ପଂଚାୟତ ବୈଠକକୁୁ ନଆସିବା , ଲୋକଙ୍କ ସମସ୍ୟା ଉପରେ ଗୁରୁତ୍ୱ ନଦେବା ଆଦି ବିଭିନ୍ନ ସମସ୍ୟା ଲାଗି ନିରଞ୍ଜନ ମହାପାତ୍ରଙ୍କ ସମେତ ୯ଜଣ ୱାର୍ଡ଼ ସଭ୍ୟ ହାଇକୋଟଁଙ୍କ ଦ୍ୱାରସ୍ଥ ହୋଇଥିଲେ। ଲଗାତର ଭାବେ ୩ଟି ବୈଠକକୁ ସରପଂଚ ଶ୍ରୀ ପ୍ରଧାନ ଆସିନଥିବା ସୂଚନା ଅଧିକାର ବଳରେ ତଥ୍ୟ ମିଳିଥିବାବେଳେ ଏନେଇ ଓଡ଼ଗାଁ ବିଡିଓଙ୍କ ଠାରୁ ଆରମ୍ଭ କରି ପଂଚାୟତରାଜ ବିଭାଗର ପ୍ରମୁଖ ସଚିବଙ୍କ ପର୍ଯ୍ୟନ୍ତ ଏପରିକି ଜିଲ୍ଲାପାଳଙ୍କ ସହ ୮ଜଣ ସରକାରୀ ଅଧିକାରୀଙ୍କୁ ପକ୍ଷଭୁକ୍ତ କରି ନିରଞ୍ଜ୍ନ ମହାପାତ୍ର ଓ ଅନ୍ୟ ୮ଜଣ ୱାର୍ଡ଼ ସଭ୍ୟ ହାଇକୋର୍ଟଙ୍କୁ ଜଚ୍ଚାଇଥିଲେ। ହାଇକୋର୍ଟ ମଧ୍ୟ ଏହାକୁ ଗୁରୁତ୍ୱର ସହ ନେଇ ଏହାର ବିଚାର ପାଇଁ ଗତବର୍ଷ ଜୁନରେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀମାନେ ମଧ୍ୟ ସମସ୍ତ କାଗଜାତ ତଥ୍ୟ ଜିଲ୍ଲାପାଳଙ୍କ ଅଦାଲତରେ ଦାଖଲ କରିଥିଲେ। ଜିଲ୍ଲାପାଳଙ୍କ ଅଦାଲତ ମିସ୍ କେସ୍ ନଂ ୫୫/୨୦୨୦ ପଂଞ୍ଜିକୃତ ହୋଇ ଉଭୟ ପକ୍ଷଙ୍କ ଜବାବ ସୁଆଲ ଗତି ୧୧.୧୨ ୨୦୨୦ ତାରିଖରୁ ସମ୍ପନ୍ନ ହୋଇ ଚୂଡ଼ାନ୍ତ ନିଷ୍ପତି ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ଓଡ଼ିଶା ଗ୍ରାମ ପଂଚାୟତ ଆଇନ ଅନୁଯାୟୀ ୬ମାସ ମଧ୍ୟରେ ଅର୍ଥାତ ୧.୧୨.୨୦୨୦ ସୁୁଦ୍ଧା ଆଇନ ଅନୁମୋଦିତ ଭାବେ ଜିଲ୍ଲାପାଳ ଏହାର ବିଚାର କରିବା କଥା। ଏପରିକି ସାକେରୀ ସରପଂଚଙ୍କୁ ଅଯୋଗ୍ୟ ଘୋଷଣା ସମ୍ପର୍କିତ ଚୂଡ଼ାନ୍ତ ନିର୍ଦ୍ଦେଶନାମା ଜାରି କରିବା କଥା । ମାତ୍ର ୧ ବର୍ଷ ବିତିବାକୁ ବସିଥିବାବେଳେ ଜିଲ୍ଲାପାଳ ଏଥିପ୍ରତି କୌଣସି ଗୁରୁତ୍ୱ ନଦେବାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଉଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦାସ ଅଭିଯୋଗ ଉଙ୍ଖାଇଛନ୍ତି।






