ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାତ୍ୟା ୟସ୍ର ମୁକାବିଲା ପାଇଁ ଭଦ୍ରକ ବ୍ଲକ୍ ଓ ପୌରପାଳିକାରେ ବିଧାୟକ ସଂଜୀବ ମଲ୍ଲିକ ସରକାରୀ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି । ବିଧାୟକ ନିଜେ ସମସ୍ତ ପରିସ୍ଥିତିକୁ ଅନୁଧ୍ୟାନ କରୁଥିବାବେଳେ ଜନସାଧାରଣ ଏହି ବିପଦି ସମୟରେ ସହଯୋଗ କରିବାକୁ ନିବେଦନ କରିଛନ୍ତି । ବିଧାୟକ ଶ୍ରୀ ମଲ୍ଲିକଙ୍କ ଉଦ୍ୟମରେ ଗବସାହିରେ ଏକ ମେଗା କିଚେନ୍ ପ୍ରସ୍ତୁତ କରାଯାଇଛି । ଏହି ମେଗା କିଚେନ୍ରେ ପ୍ରତି ଘଣ୍ଟାରେ ୬ ହଜାର ଲୋକଙ୍କ ପାଇଁ ରନ୍ଧା ଓ ଶୁଖିଲା ଖାଦ୍ୟ ପ୍ରସ୍ତୁତ କରାଯାଇଛି । ବିଜୁ ଯୁବ ଓ ଛାତ୍ର ଜନତା ଦଳ କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ୮ଟି ଗାଡିରେ ବୁଲି ବୁଲି ତଳିଆ ଅଂଚଳ ଲୋକଙ୍କୁ ଏହି ଖାଦ୍ୟ ବଣ୍ଟନ କରୁଛନ୍ତି । ଏଥିସହିତ ୨୫ ହଜାର ବିସ୍କୁଟ, ଆବଶ୍ୟକୀୟ ଚୂଡା ଓ ଗର୍ଭବତୀଙ୍କ ପାଇଁ ମଧ୍ୟ ଛତୁଆ ମହଜୁଦ ରଖାଯାଇଛି । ଆସନ୍ତାକାଲି ଆବଶ୍ୟକତା ଅନୁଯାୟୀ ଏହିସବୁ ବଣ୍ଟନ କରାଯିବାର ବ୍ୟବସ୍ଥା ହୋଇଛି । ଏହି ଖାଦ୍ୟକୁ ମେଡିକାଲରେ ଥିବା ରୋଗୀ, ତାଙ୍କର ସଂପର୍କୀୟ, ରେଳଷ୍ଟେସନ ଓ ଅସହାୟ ଲୋକମାନଙ୍କୁ ବଣ୍ଟନ କରାଯିବ । ଏହାବାଦେ ବିଧାୟକ ଶ୍ରୀ ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ପୌରପାଳିକାର ବିଭିନ୍ନ ସ୍ଥାନରେ ଜେସିବି ମେସିନ୍ ଦ୍ୱାରା ଡ୍ରେନ୍ ସଫା କରାଯାଉଥିବାର ଦେଖାଯାଇଛି । ବିଜେଡି ପକ୍ଷରୁ ୟସ୍ର ସ୍ଥିତିକୁ ନେଇ ବାରମ୍ବାର ସମୀକ୍ଷା ବୈଠକ ହେଉଛି । ଦୁଇଦିନ ଧରି ଭଦ୍ରକରେ ବିଜେଡିର ପ୍ରବକ୍ତା ପ୍ରତାପ ଦେବ, ରାଜ୍ୟ ସଂପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମଂଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ଶ୍ରୀ ମଲ୍ଲିକ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ରାଜ୍ୟ ବିଜେଡି ସଂପାଦକ ଇଂ ପ୍ରୟାସକାନ୍ତି ସାମଲ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ ପ୍ରମୁଖ ବିଭିନ୍ନ ସ୍ଥାନ ବୁଲି ଯେଭଳି ବାତ୍ୟାରେ କାହାରି ପ୍ରାଣହାନି ନହୁଏ, ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି ।