Home ଜିଲ୍ଲା ପରିକ୍ରମା ବେଲଗଡ଼ିଆ ଗ୍ରାମ୍ୟ ଉନୟନ ରାସ୍ତାର ଦୁରାବସ୍ଥା , ଚୁକ୍ତିନାମା ସ୍ୱାକ୍ଷର ପରେ ବି ନିର୍ମାଣ କାର୍ଯ୍ୟରେ...

ବେଲଗଡ଼ିଆ ଗ୍ରାମ୍ୟ ଉନୟନ ରାସ୍ତାର ଦୁରାବସ୍ଥା , ଚୁକ୍ତିନାମା ସ୍ୱାକ୍ଷର ପରେ ବି ନିର୍ମାଣ କାର୍ଯ୍ୟରେ ବିଳମ୍ବ, ବିଜେପିର ଆନ୍ଦୋଳନ ଚେତାବନୀ

21

ଭଦ୍ରକ, ୧୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ପଟ୍ଟାପୋଲ ବଜାର ପୂର୍ତ୍ତ ବିଭାଗ ରାସ୍ତା ଠାରୁ ବେଲଗଡ଼ିଆ ଭାୟା-ନୂଆପୋଖରୀ ଗ୍ରାମ୍ୟ ଉନୟନ ବିଭାଗ ରାସ୍ତାଟି ଦୀର୍ଘ ଦିନ ମରାମତି ଅଭାବରୁ ସମ୍ପୂର୍ଣ୍ଣ ଶୋଚନୀୟ ହୋଇପଡିଛି । ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ରହଣିଆ ପଞ୍ଚାୟତର ବେଲଗଡ଼ିଆ,ନୂଆପୋଖରୀ,ବୋଧପଡ଼ା, ସନ୍ତରାପଡ଼ା ଓ ରାଣିଗଡ଼ିଆ ଗ୍ରାମ ସହିତ ପଡ଼ୋଶୀ ସରସଦା ପଞ୍ଚାୟତର କଟରାଗଡ଼ିଆ,ଉତ୍ତରାଗଡ଼ିଆ ଓ ନୂଆପୋଖରୀ-୨ର ଗ୍ରାମବାସୀ ଯାତାୟାତ ପାଇଁ ସମ୍ପୂର୍ଣ୍ଣ ନିର୍ଭର କରିଥାନ୍ତି । ଏହି ରାସ୍ତା ଭଣ୍ଡାରିପୋଖରୀ ସଦର ମହାକୁମାରେ ଅବସ୍ଥିତ ବ୍ଲକ କାର୍ଯ୍ୟାଳୟ,ଥାନା,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,ତହସିଲ କାର୍ଯ୍ୟାଳୟ,ଭଣ୍ଡାରିପୋଖରୀ ମହାବିଦ୍ୟାଳୟ ସମେତ ଜିଲ୍ଲା ସଦର ମହାକୁମାକୁ ସଂଯୋଗ କରୁଥିବା ବେଳେ ଏହା ମଧ୍ୟ ପଡ଼ୋଶୀ ବ୍ଲକ ଧାମନଗର ଓ ଦୋବଲ ବଜାରକୁ ସଂଯୋଗ କରୁଅଛି । ଏହି ରାସ୍ତାର ଦୁରାବସ୍ଥା ସମ୍ପର୍କରେ ଗ୍ରାମବାସୀମାନଙ୍କ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର କୌଣସି ସୁଫଳ ମିଳିନାହିଁ । ବିଭାଗୀୟ କର୍ତ୍ତୃପକ୍ଷ କେବଳ ଏହି ରାସ୍ତାର ଟେଣ୍ଡର ଡାକି ନିଜର ଦାୟିତ୍ୱ ଶେଷ କରି ଦେଇଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ କି, ବାରମ୍ବାର ଗ୍ରାମବାସୀ ମାନଙ୍କର ଅଭିଯୋଗ ପରେ ଏହି ରାସ୍ତାର ଟେଣ୍ଡର ପକ୍ରିୟା ଶେଷ ହୋଇ ଠିକାଦାର ସହ ଚୁକ୍ତିନାମା ସ୍ୱାକ୍ଷରିତ ହୋଇସାରିଛି ।

ଏହି ଅନୁଯାୟୀ ଗତ ଜାନୁଆରୀ ୨୧ ତାରିଖରେ କାର୍ଯ୍ୟାରମ୍ଭ ହୋଇ ଆସନ୍ତା ଏପ୍ରିଲ ୨୦ ରେ ସମ୍ପୂର୍ଣ୍ଣ ହେବାର ନିର୍ଦ୍ଦେଶ ଅଛି । କିନ୍ତୁ କୌଣସି ଉପଯୁକ୍ତ କାରଣ ନଥାଇ ସମ୍ପୃକ୍ତ ଠିକାଦାର ଏହି ରାସ୍ତାର ନିର୍ମାଣ କାର୍ଯ୍ୟରେ ବିଳମ୍ବ କରିବା ନେଇ ଗ୍ରାମବାସୀମାନଙ୍କ ପକ୍ଷରୁ ଅସନ୍ତୋଷ ଜାହିର କରାଯାଇଛି । ଯାହାକୁ ନେଇ ଆଜି ଗ୍ରାମବାସୀମାନଙ୍କ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ଭାରତୀୟ ଜନତା ପାର୍ଟିର ବିଧାନସଭା ନେତା ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ନିର୍ବାହୀ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ବିଭାଗୀୟ ଅଧିକାରୀଙ୍କୁ ଗ୍ରାମବାସୀଙ୍କ ସ୍ୱାକ୍ଷର ସମ୍ବଳିତ ଏକ ଦାବିପତ୍ର ମାଧ୍ୟମରେ ଅବଗତ କରାଇବା ସହ ଆସନ୍ତା ୭ ଦିନ ମଧ୍ୟରେ କାର୍ଯ୍ୟାରମ୍ଭ ପାଇଁ ଦାବି କରିଛନ୍ତି । ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟାରମ୍ଭ ନହୁଏ ତେବେ ଦଳ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଶ୍ରୀ ଧଳ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.