Home ଜିଲ୍ଲା ପରିକ୍ରମା ବାଲେଶ୍ୱରରେ ଜାତୀୟ ସଡ଼କ ସୁରକ୍ଷା ମାସ ଉଦଘାଟିତ

ବାଲେଶ୍ୱରରେ ଜାତୀୟ ସଡ଼କ ସୁରକ୍ଷା ମାସ ଉଦଘାଟିତ

10

ବାଲେଶ୍ୱର, ୧୮ା୧ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଏବଂ ଜିଲ୍ଲା ସଡ଼କ ସୁରକ୍ଷା ସମିତିର ମିଳିତ ଆନୁକୂଲ୍ୟରେ ଜାତୀୟ ସଡ଼କ ସୁରକ୍ଷା ମାସ ୨୦୨୧ ଆଜି ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଯୋଗ ଦେଇ ଜାତୀୟ ସଡ଼କ ସୁରକ୍ଷା ମାସକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ ସହିତ ପତାକା ଦେଖାଇ ସଡ଼କ ସୁରକ୍ଷା ସଚେତନତା ରଥର ଶୁଭାରମ୍ଭ କରିଥିଲେ। ଏହି ସଚେତନତା ରଥ ଆସନ୍ତା ଫେବୃଆରୀ ୧୭ ତାରିଖ ପର୍ଯ୍ୟନ୍ତ ଦୀର୍ଘ ଏକମାସ ଧରି ସମଗ୍ର ଜିଲ୍ଲା ପରିକ୍ରମା ସହ ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ପାଳନ ସମ୍ପର୍କିତ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବ। ଟ୍ରାଫିକ ନିୟମ ମାନି ଗାଡ଼ି ଚାଳନା କରିବା ଏବଂ ଏ ସମ୍ପର୍କରେ ଯଥେଷ୍ଟ ସଚେତନତା ସୃଷ୍ଟି ଉପରେ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ଗୁରୁତ୍ୱାରୋପ କରିଥିଲେ। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏମ ଆର ସାମଲ ଏଥିରେ ଯୋଗଦେଇ ଟ୍ରାଫିକ ନିୟମ କଡ଼ାକଡ଼ି ଭାବେ ପାଳନ ହେବା ଦ୍ୱାରା ଚାଳକର ଜୀବନ ରକ୍ଷା ସହିତ ତାଙ୍କର ପରିବାର ବିପଦମୁକ୍ତ ରହିପାରିବ ବୋଲି କହିଥିଲେ। “ସଡକ ସୁରକ୍ଷା ଓ ଜୀବନ ରକ୍ଷା” ପ୍ରତି ସଚେତନ ହେବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଆଂଚଳିକ ପରିବହନ ଅଧିକାରୀ ରଶ୍ମିରଞ୍ଜନ ଦଳବେହେରା ସଡକ ସୁରକ୍ଷା ମାସ ପାଳନର ଆଭିମୁଖ୍ୟ ଓ ମାସବ୍ୟାପୀ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ବାଲେଶ୍ୱର ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ନିୟମ ପାଳନ ସମ୍ପର୍କିତ ସଚେତନତା ବାର୍ତ୍ତା ସମ୍ବଳିତ ବ୍ୟାନର, ପୋଷ୍ଟର, ହୋର୍ଡ଼ିଂ ଆଦି ଲାଗାଇବା, ପ୍ରଚାରପତ୍ର ବଂଟନ, ସଡ଼କ ସୁରକ୍ଷା ରଥ ଓ ଡାକବାଜି ଯନ୍ତ୍ରରେ ମାଧ୍ୟମରେ ପ୍ରଚାର, ମିନି ମାରାଥନ ଆୟୋଜନ, ଗାଡ଼ି ଚାଳକଙ୍କ ସ୍ୱାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ଶିବିର, ହେଲମେଟ୍‌, ଗାଡ଼ି କାଗଜପତ୍ର, ଡ୍ରାଇଭିଂ ଲାଇସେନ୍ସ ଓ ନିଶାସକ୍ତ ଡ୍ରାଇଭରଙ୍କୁ ଯାଞ୍ଚ କରିବା ଆଦି କାର୍ଯ୍ୟକ୍ରମ ମାସବ୍ୟାପୀ ଅନୁଷ୍ଠିତ ହେବ ବୋଲି ଶ୍ରୀ ଦଳବେହେରା କହିଛନ୍ତି। ସେହିପରି ଜାତୀୟ ସଡକ ସୁରକ୍ଷା ମାସ ପାଳନ ଅବସରରେ ବାଲେଶ୍ୱର ପୁଲିସ ପକ୍ଷରୁ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଡିଏସପି ଉମେଶ ଚନ୍ଦ୍ର ପଣ୍ଡା ସୂଚନା ଦେଇଥିଲେ। ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହିତ ଟ୍ରାଫିକ ନିୟମକୁ କଡାକଡି ଭାବେ ପାଳନ ପାଇଁ ବିଭିନ୍ନ ସ୍ଥାନରେ ଯାଞ୍ଚ ପ୍ରକ୍ରିୟା କରାଯିବ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏମଭିଆଇ ବିଶ୍ୱଜିତ ଦାସ, ଟ୍ରାଫିକ ଇନ୍ସପେକ୍ଟର ସମରେନ୍ଦ୍ର ମହାପାତ୍ର, ଟ୍ରାଫିକ ଥାନା ଅଧିକାରିଣୀ ମୋନାଲିସା କର, ଜୁନିଅରଏମଭିଆଇ ରଞ୍ଜିତା ମଲ୍ଲିକ, ପ୍ରଶାନ୍ତ ଦାସ, ଦେବାଶିଷ ମଲ୍ଲିକ ପ୍ରମୁଖଙ୍କ ସମେତ ବସ ସଂଘ, ଟ୍ରକ ସଂଘ ଓ ଡ୍ରାଇଭିଂ ଟ୍ରେନିଂ ସ୍କୁଲର କର୍ମକର୍ତା, କ୍ଲବ ତଥା ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ଏହି ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.