ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନବ ନିର୍ମାଣ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଓ ସଂଯୁକ୍ତ କିଶାନ ମୋର୍ଚ୍ଚାର କୋର ସଦସ୍ୟ ଅକ୍ଷୟ କୁମାରଙ୍କ ଆହ୍ୱାନ କ୍ରମେ ଆସନ୍ତା ଜାନୁଆରୀ ୧୫ ରେ ତିନୋଟି କେନ୍ଦ୍ରୀୟ କୃଷି ଆଇନ୍ ରଦ୍ଦ ଓ ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନ୍ ପରିସରକୁ ଆଣିବା ଦାବିରେ ଭୁବନେଶ୍ୱରରେ ଏକ ରାଜ୍ୟସ୍ତରୀୟ ସମାବେଶ ଅନୁଷ୍ଠିତ ହେବା ନେଇ ଆଜି ନବନିର୍ମାଣ ଯୁବ ଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଏମ୍ଡି ମନୱାର ଅଲ୍ଲୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏବଂ ଦିଲ୍ଲୀରେ ଚାଲିଥିବା ଚାଷୀ ମହାସମାବେଶକୁ ରାଜ୍ୟରୁ ପ୍ରାୟ ଦୁଇ ହଜାର ଚାଷୀ ଯୋଗ ଦେଉଥିବାବେଳେ ଭଦ୍ରକ ଜିଲାରୁ ଦୁଇଶହ ଜଣ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଏମ୍ଡି ଅଲ୍ଲୀ ଗଣମାଧ୍ୟମକୁ ସୂଚନା ଦେବାକୁ ଯାଇ କେନ୍ଦ୍ର ସରକାର କାହାକୁ ବିଶ୍ୱାସକୁ ନନେଇ କୃଷକ ମାନଙ୍କ ସହ ଆଲୋଚନା ନକରି ଯେଭଳି ଭାବେ କୃଷି ବିରୋଧୀ ତିନୋଟି କଳା ଆଇନ୍କୁ ଆଣିଛନ୍ତି, ଏହା ସମଗ୍ର ଦେଶରେ ଚାଷୀକୂଳର ସର୍ବନାଶ କରିବ ବୋଲି କହିଛନ୍ତି । ଏହି ଆଇନ୍ ଆଣିଥିବା କେନ୍ଦ୍ରୀୟ ନେତା ନୂଆ କୃଷି ଆଇନ୍ ସଂପର୍କରେ ଯେଉଁ ସୁନେଲି ସ୍ୱପ୍ନ ଦେଖାଉଛନ୍ତି, ତାହା ସଂପୂର୍ଣ୍ଣ ଭ୍ରମାତ୍ମକ ଓ ପ୍ରମାଦପୂର୍ଣ୍ଣ ବୋଲି ସେ କହିବା ସହ ମଣ୍ଡି ବାହାରେ ଚାଷୀ ତାର ଉତ୍ପାଦନକୁ ବିକିଲେ ଯେଉଁ ଅଧିକ ଟଙ୍କା ମିଳିବ ବୋଲି ପ୍ରଚାର ହେଉଛି, ତାହା ସଂପୂର୍ଣ୍ଣ ମିଥ୍ୟା ବୋଲି ସେ ଦର୍ଶାଇଛନ୍ତି । ଯାହା ବିହାର ଭଳି ରାଜ୍ୟରେ ପ୍ରମାଣିତ ହୋଇଥିବାବେଳେ ସେଭଳି ରାଜ୍ୟରେ ଚାଷୀମାନେ ଆଗରୁ ସେମାନଙ୍କର ଉତ୍ପାଦନ ବିକ୍ରି କରି ଆସୁଥିବାବେଳେ ବାହାରେ କିନ୍ତୁ ଠିକା ଚାଷ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କ୍ଷେତ୍ରରେ ଯେଉଁ ଆଇନ୍ ଆସିଛି, ତାହା ଚାଷୀ ଓ ଖାଉଟି ମାନଙ୍କ ପାଇଁ ଘାତକ ସଦୃଶ ହେବ ବୋଲି ସେ ଚେତାବନୀ ଦେଇଛନ୍ତି ।
ଏବଂ ବ୍ୟବସାୟୀମାନେ ମନଇଚ୍ଛା ହୋଡିଂ କରିପାରିବେ ଓ ଦରଧାର୍ଯ୍ୟବେଳେ ଯୁଦ୍ଧ ଓ ଆପଦ ସମୟ ଛାଡି ସେମାନଙ୍କ ଉପରେ କୌଣସି ନିୟନ୍ତ୍ରଣ ରହିବ ନାହିଁ ବୋଲି ଯେଉଁ ଆଇନ୍ ଆସିଛି, ଏହାଦ୍ୱାରା କୋଟି କୋଟି ଖାଉଟିଙ୍କର ସୁରକ୍ଷା ବିପନ୍ନ ହେବ । କଣ୍ଟ୍ରାକ୍ଟ ଫର୍ମ ଆଇନ୍ ଦ୍ୱାରା ଯେଭଳି କୁହାଯାଇଛି ଯେ ଜଣେ ଚାଷୀ ଖରାପ ବିହନ ପାଇ କ୍ଷତିରେ ପଡିଲେ ବି ମକଦ୍ଦମା କରିପାରିବ ନାହିଁ କିମ୍ବା ନ୍ୟାୟାଳୟକୁ ଯାଇପାରିବ ନାହିଁ । ଏହା ସୂଚାଇ ଦେଉଛି କି କିଭଳି କର୍ପୋରେଟ୍ ହାତରେ ଚାଷୀଙ୍କ ଭାଗ୍ୟ ବନ୍ଧାପଡିଛି । ଉପରୋକ୍ତ ତିନି ନୂଆ କୃଷି ଆଇନ୍ ପରିସରରେ ମଣ୍ଡି ଉଚ୍ଛେଦ ବ୍ୟବସ୍ଥା ନାହିଁ ବୋଲି ସରକାର କହୁଥିବାବେଳେ ସର୍ବନିମ୍ନ ସହାୟକ ମୂଲ୍ୟର ଗ୍ୟାରେଣ୍ଟି ଏହି ଆଇନ୍ ପରିସରରେ ନାହିଁ । ଏଣୁ ସର୍ବନିମ୍ନ ସହାୟକ ମୂଲ୍ୟ ଦିଆଯାଇଥିବା ୨୩ଟି ସାମଗ୍ରୀକୁ କିଣିବା ପାଇଁ ସବୁଗୁଡିକୁ ଆଇନ୍ ପରିସରକୁ ଅଣାଯାଉ ବୋଲି ସେ ଦାବି କରିଛନ୍ତି । ଏ ସମସ୍ତ ଦାବିଗୁଡିକୁ ନେଇ ଆସନ୍ତା ଜାନୁଆରୀ ୧୫ ରେ ଅକ୍ଷୟ କୁମାରଙ୍କ ଆହ୍ୱାନ କ୍ରମେ ଭୁବନେଶ୍ୱରରେ ଏକ ବଡ ଧରଣର ରାଜ୍ୟ ସମାବେଶ ଆୟୋଜନ କରାଯିବାର ସେ ସୂଚନା ଦେଇଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ନବନିର୍ମାଣ କୃଷକ ସଂଗଠନର ଭଦ୍ରକ ଜିଲା ସଂଯୋଜକଙ୍କ ସମେତ ବହୁ ଯୁବ ଛାତ୍ର ସଂଗଠନର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।