Home ଜିଲ୍ଲା ପରିକ୍ରମା ପରିଚୟ ପତ୍ରରେ ସୀମିତ ନିର୍ମାଣ ଶ୍ରମିକ ସହାୟତା , ପଞ୍ଜିକରଣର ୭ ବର୍ଷ ପରେ ମଧ୍ୟ...

ପରିଚୟ ପତ୍ରରେ ସୀମିତ ନିର୍ମାଣ ଶ୍ରମିକ ସହାୟତା , ପଞ୍ଜିକରଣର ୭ ବର୍ଷ ପରେ ମଧ୍ୟ ମିଳୁନି ସହାୟତା

21

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ପରିଚୟ ପତ୍ରରେ ସୀମିତ ରହିଛି ନିର୍ମାଣ ଶ୍ରମିକ ସହାୟତା । ପଞ୍ଜିକରଣ କରିବାର ୭ ବର୍ଷ ପରେ ମଧ୍ୟ ଶ୍ରମିକଙ୍କୁ ମିଳୁନି ନିର୍ମାଣ ଶ୍ରମିକ ସହାୟତା । ତେଣେ ନିର୍ମାଣ ଶ୍ରମିକଙ୍କ ନାମରେ ଜାଲ ପରିଚୟପତ୍ର କରି ଅଣ ନିର୍ମାଣ ଶ୍ରମିକ ମାନେ ହାତେଇ ନେଉଛନ୍ତି କୋଟି କୋଟି ଟଙ୍କାର ନିର୍ମାଣ ଶ୍ରମିକ ସହାୟତା । କିଛି ତଥାକଥିତ ଶ୍ରମିକ ସଙ୍ଗଠନ,ଶ୍ରମ ନିୟୋଜନକାରୀ ସଂସ୍ଥା ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର କିଛି ଅସାଧୁ କର୍ମଚାରୀ ଙ୍କ ସଲାସୁତୁରାରେ ଏହି ଜାଲିଆତି ଚାଲିଥିବା ଅଭିଯୋଗ ହୋଇଛି । କାର୍ଯ୍ୟରତ ନିର୍ମାଣ ଶ୍ରମିକ ମାନଙ୍କ ସାମାଜିକ ନିରାପତ୍ତା ଏବଂ ଆର୍ଥିକ ସହାୟତା ସକାସେ ଗତ ୨୦୧୩ ମସିହାରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଗଠନ କରାଯାଇ ଶ୍ରମିକ ପଞ୍ଜିକରଣ ଆରମ୍ଭ ହୋଇଥିଲା । ଏହି ପଞ୍ଜିକରଣ ମୁଳେ ନିର୍ମାଣ ଶ୍ରମିକ ମାନଙ୍କୁ ଶ୍ରମ ବିଭାଗ ପକ୍ଷରୁ ପରିଚୟପତ୍ର ଯୋଗାଣ ସହିତ କଲ୍ୟାଣ ପାଂଠିରୁ ବିଭିନ୍ନ ଆର୍ଥିକ ସହାୟତା ଯୋଗାଣ ଆରମ୍ଭ ହୋଇଥିଲା । ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସୁଚନା ଅନୁଯାଇ ଗତ ୭ ବର୍ଷ ମଧ୍ୟରେ ଭଦ୍ରକ ଜିଲ୍ଲାରେ ପ୍ରାୟ ୯୬ ହଜାର ଶ୍ରମିକ ପଞ୍ଜିକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଅଦ୍ୟାବଧି ୪୬ ହଜାର ୧୪୫ ଜଣ ନିର୍ମାଣ ଶ୍ରମିକଙ୍କୁ କଲ୍ୟାଣ ପାଂଠିରୁ ୨୭ କୋଟି ୭୨ ଲକ୍ଷ ୩୯ ହଜାର ୧୬୦ ଟଙ୍କାର ବିଭିନ୍ନ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ଏଥିରେ ନିର୍ମାଣ ଶ୍ରମିକଙ୍କ ପିଲାଙ୍କ ପାଠ ପଢା ବାବଦକୁ ସର୍ବାଧିକ ୧୧ କୋଟି ୧୩ ଲକ୍ଷ ୧୨ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିବା ବେଳେ ନିର୍ମାଣ ଶ୍ରମିକଙ୍କୁ ଯନ୍ତ୍ରପାତି ସହାୟତା,ବାଇସାଇକେଲ,ସୁରକ୍ଷା ଯନ୍ତ୍ରପାତି,ବିବାହ,ପ୍ରସୂତିକାଳିନ ଆର୍ଥିକ ସହାୟତା ଏବଂ ମୃତ୍ୟୁ ତଥା ଅନ୍ତିମ ସତ୍କାର ଜନିତ ସହାୟତା ବାବଦକୁ ଅବଶିଷ୍ଟ ଅର୍ଥ ଯୋଗାଇ ଦିଆଯାଇଛି ।

ତେବେ ଗତ ୭ ବର୍ଷ ମଧ୍ୟରେ ଶ୍ରମିକ କଲ୍ୟାଣ ପାଂଠିରୁ ଜିଲ୍ଲାରେ ପଞ୍ଜିକରଣ କରିଥିବା ୪୬ ହଜାରରୁ ଉର୍ଦ୍ଧ ନିର୍ମାଣ ଶ୍ରମିକଙ୍କୁ ଉଣାଅଧିକ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲେ ମଧ୍ୟ ଏହି ସୁବିଧାରୁ ବହୁ ଯୋଗ୍ୟ ହିତାଧିକାରୀ ବାଦ ପଡିବା ଘଟଣା ଶ୍ରମିକ କଲ୍ୟାଣ ପାଂଠି ବିନିଯୋଗର ଯଥାର୍ଥତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ସୁଚନା ଅନୁଯାଇ ରାଜ୍ୟରେ ଶ୍ରମିକ କଲ୍ୟାଣ ଯୋଜନା ଏବଂ ଶ୍ରମିକ କଲ୍ୟାଣ ବୋର୍ଡ ଗଠନ ହେବା ପରେ ଗତ ୨୦୧୩ ମସିହାରେ ଭଦ୍ରକ ଗ୍ରାମାଂଚଳ ଥାନା ନଳାଙ୍ଗ ବାରିକପୁର ଅଂଚଳର ଦୁଃଶାସନ ମହାରଣା(ପରିଚୟ ପତ୍ର ନଂ ଓଆର ୦୪-୬୮୬୭/୨୪/୮/୨୦୧୩) ନାମକ ଜଣେ ଗରୀବ ନିର୍ମାଣ ଶ୍ରମିକ ନିଜର ଏକମାତ୍ର ପୁଅର ପାଠ ପଢା ପାଇଁ କଲ୍ୟାଣ ପାଂଠିରୁ ଆର୍ଥିକ ସହାୟତା ପାଇଁ ଆବେଦନ କରିଥିଲେ । ହେଲେ ପୁଅର ସ୍କୁଲ ଶିକ୍ଷା ସରି ଏବେ କଲେଜ ଶିକ୍ଷା ଆରମ୍ଭ ହେବାକୁ ବସିଥିଲେ ମଧ୍ୟ ଏଯାଏ ତାଙ୍କୁ ମିଳିଲାନି ଟଙ୍କାକର ଆର୍ଥିକ ସହାୟତା । ଦୁଃଶାସନଙ୍କ କହିବା ଅନୁଯାଇ କେବଳ ଶିକ୍ଷା ସହାୟତା ନୁହେଁ ଗୃହ ନିର୍ମାଣ,ଯନ୍ତ୍ରପାତି ଏବଂ ସାଇକେଲ ସହାୟତା ସକାସେ ସେ ବାରମ୍ଭାର ଆବେଦନ କରି ଆସୁଛନ୍ତି ହେଲେ ସରକାରୀ ଫାଇଲତଳେ ହଜିଯାଉଛି ତାଙ୍କର ଆବେଦନ । ସେହିଭଳି ତିହିଡି ବ୍ଲକର ସନାତନ ଦାସ ନାମକ ଜଣେ ନିର୍ମାଣ ଶ୍ରମିକ ତାଙ୍କ ଝିଅ ବିଭାଘର ସକାସେ କଲ୍ୟାଣପାଂଠିରୁ ଆର୍ଥିକ ସହାୟତା ପାଇଁ ଆବେଦନ କରିବାର ଇତିମଧ୍ୟରେ ୪ ବର୍ଷ ବିତିଥିଲେ ମଧ୍ୟ ତାଙ୍କୁ ଏଯାଏ ସହାୟତା ମିଳି ନାହିଁ । ତେଣେ ଋଣ କରଜ କରି ଝିଅ ବିଭାଘର କରିଥିବା ସନାତନ ଏବେ ଋଣ ବୋଝରେ ମୁଣ୍ଡରେ ହାତ ଦେଇ ବସିଛନ୍ତି । କେବଳ ଗରୀବ ଦୁଃଶାସନ ଅଥବା ସନାତନ ନୁହଁନ୍ତି ସେମାନଙ୍କ ଭଳି ବହୁ ଯୋଗ୍ୟ ନିର୍ମାଣ ଶ୍ରମିକ ବର୍ଷ ବର୍ଷ ଧରି ସରକାରୀ ସହାୟତାରୁ ବଂଚିତ ହୋଇ ଆସୁଥିବା ବେଳେ ବହୁ ଅଯୋଗ୍ୟ ତଥା ଜାଲ ପୃଷ୍ଟଭୂମି ଉପରେ ଅଧାରିତ ପରିଚୟପତ୍ର ଧାରୀ ନିର୍ମାଣ ଶ୍ରମିକ ଧରାଧରି କରି ହାତେଇ ନେଇଛନ୍ତି ନିର୍ମାଣ ଶ୍ରମିକ ଆର୍ଥିକ ସହାୟତା । ଯାହାର ଉଚ୍ଚସ୍ତରିୟ ତଦନ୍ତ ହେବା ନିତ୍ୟାନ୍ତ ଜରୁରୀ ବୋଲି ବିଶିଷ୍ଟ ଶ୍ରମିକ ନେତା ତଥା ବରିଷ୍ଠ ଆଇନଜୀବୀ ଦିବ୍ୟସିଂହ ନାୟକ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.