ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୦୮ ଆମ୍ବୁଲାନ୍ସରେ ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା ରୂପକ ପ୍ରଚାର ଷ୍ଟିକରିଂ କରି ହଟହଟା ହେଲେ । ଟଙ୍କିକିଆ ଚାଉଳ ମୁଖ୍ୟମନ୍ତ୍ରୀ ଦେଉଛନ୍ତି କହି ଫେଲମାରିଲେ । ତଥାପି ପ୍ରକୃତି ଯାଇନାହିଁ । ଏବେ ଅନୁରୂପ ଏକ ମନ୍ଦ କାର୍ଯ୍ୟ ଏବେ ଧରାପଡିଛି । ପ୍ରଧାନମନ୍ତ୍ରୀ ଆବାସ ଗୃହ, ଇନ୍ଦିରା ଆୱାସ ଗୃହରେ ବିଜୁପକ୍କାଘର ଷ୍ଟିକର ଲଗାଇ ଲୋକଙ୍କୁ ଭ୍ରମିତ କରୁଛନ୍ତି । ଏହାକୁ ବିଜେପି କରାଇଦେବ ନାହିଁ ବୋଲି ବିଜେପି ପକ୍ଷରୁ ବୁଧବାର ବାରିକପୁର ଡାକବଙ୍ଗଳାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦିଆଯାଇଛି । ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳ ପ୍ରକାଶ କରିଥିଲେ କି ଯେ ୨୦୨୨ ମସିହା ସୁଦ୍ଧା ଦେଶର ସବୁ ଗରିବ ପରିବାରଙ୍କୁ ପକ୍କାଘର (ଛାତ ଘର ) ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରସ୍ତୁତ କରି ପର୍ଯ୍ୟାପ୍ତ ପରିମାଣର ଆର୍ଥିକ ସହାୟତା ରାଜ୍ୟ ସରକାରଙ୍କୁ ଯୋଗାଇ ଦେଇ ଆସୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ), ଇନ୍ଦିରାଆବାସ ଯୋଜନା, ବିଜୁ ପକ୍କାଘର ଯୋଜନା ଓ ଏନ୍.ଏସ୍.ପି.ଜି.ୱାଇ. ଯୋଜନାରେ ଗତ ୨୦୧୪-୨୦୧୫ ଆର୍ଥିକ ବର୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ଦିଆଯାଇଥିବା ଗୃହ ଗୁଡ଼ିକରେ ଲୋଗ ଷ୍ଟିକରିଙ୍ଗ୍ କରିବା ପାଇଁ ଏବେ ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ତତ୍ପରତା ପ୍ରକାଶ କରି ଆସନ୍ତା ଡ଼ିସେମ୍ବର ୩୧ ତାରିଖ ସୁଦ୍ଧା ଏହି କାର୍ଯ୍ୟ ଶେଷପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଆଧାର କରି ଭଦ୍ରକ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପତ୍ରସଂଖ୍ୟା ୫୩୫୭ ତା.୧୫.୧୨.୨୦୨୦ରେ ବି.ଡ଼ି.ଓ.ଙ୍କୁ ଦିଆଯାଇଥିବା ପତ୍ରାନୁଯାୟୀ ଭଣ୍ଡାରିପୋଖରୀ ବି.ଡ଼ି.ଓ. ପତ୍ର ସଂଖ୍ୟା ୫୧୬୬ ତା.୧୭.୧୨.୨୦୨୦ରେ ଗ୍ରାମୀଣ ଗୃହନିର୍ମାଣ ଯୋଜନାରେ ଏହି ଭଣ୍ଡାରିପୋଖରୀ ବ୍ଲକ ଅର୍ନ୍ତଗତ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀଙ୍କୁ ପଦକ୍ଷେପ ନେବାକୁ ଗୁରୁତ୍ୱର ସହିତ କାର୍ଯ୍ୟକରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଯେଉଁ ଲୋଗୋ ଷ୍ଟିକରିଙ୍ଗ ଉଦେଶ୍ୟରେ ପ୍ରସ୍ତୁତ କରାଯାଇଛି ସେଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)କୁ ସଂକ୍ଷିପ୍ତରେ ପୁଣି ଛୋଟ ଆକାରରେ ‘ପ୍ର.ଆ.ଯୋ.’, ଇନ୍ଦିରାଆବାସ ଯୋଜନାକୁ ‘ଇ.ଆ.ଯୋ.’ ଲେଖାଯାଇ ବିଜୁ ପକ୍କାଘର ଯୋଜନାକୁ ସୁଦୃଶ୍ୟ ଢ଼ଙ୍ଗରରେ ବଡ଼ ଅକ୍ଷରରେ ସଂପୂର୍ଣ୍ଣଭାବେ ଲେଖାଯାଇଛି । ସମସ୍ତ ଯୋଜନାକୁ ବିଜୁ ପକ୍କା ଘର ଯୋଜନା ଲେଖି ଲୋକଙ୍କ ଘର ଆଗରେ ଲଗାଇବା କେବଳ ଆତ୍ମପ୍ରଚାର ଓ ପ୍ରବଞ୍ଚନା । ଯଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଇନ୍ଦିରା ଆବାସ ଯୋଜନା ସଂକ୍ଷିପ୍ତରେ ଲେଖାଗଲା ତେବେ ବିଜୁ ପକ୍କାଘର ଯୋଜନାକୁ ‘ବି.ପ.ଯୋ.’ ଲେଖାଗଲା ନାହିଁ କାହିଁକି ବୋଲି ପ୍ରଶ୍ନ କରାଯାଇ ଷ୍ଟିକରକୁ ଚିରିଦିଆଯିବା ସହ ପ୍ରତ୍ୟେକ ହିତାଧିକାରୀ ଏହାକୁ ବିରୋଧ କରିବାକୁ ଆହ୍ୱାନ ଦିଆଯାଇଥିଲା । ଏହି ଠକାମୀ ପାଇଁ ମୁଖ୍ୟମନ୍ତ୍ରୀ, ପଞ୍ଚାୟତରାଜ ମନ୍ତ୍ରୀ, ସ୍ପେଶାଲ ପ୍ରୋଜେକ୍ଟ ନିର୍ଦ୍ଦେଶକ ଅରିନ୍ଦମ ଡ଼ାକୁଆ, ଜିଲ୍ଲାପାଳ ଭଦ୍ରକ, ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ ଓ ସ୍ଥାନୀୟ ବିଡିଓଙ୍କ ନାମରେ ଗୁରୁବାର ଏତାଲା ଦିଆଯିବ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଦଳର ମଣ୍ଡଳ ସଭାପତି ଗିରିଶ ସାମଲ, ପ୍ରଫୁଲ୍ଲ ସାହୁ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ସରପଞ୍ଚ ମଣିକାଞ୍ଚନ ସେନାପତି, କମଳ କୁମାର ନନ୍ଦ, ପ୍ରକାଶ ମହାପାତ୍ର, ନିର୍ମଳ କର, ତପସ୍ୱନୀ ମହାପାତ୍ର, ଜୟସ୍ମିତା ଗୋଚ୍ଛାୟତ, ରୁକ୍ମଣୀ ଦାସ, ସମିତି ସଭ୍ୟା ନମିତା ପାତ୍ର, ବାବାଜି ଚରଣ ଜେନା, ରବିନାରାୟଣ ସାହୁ ପ୍ରମୁଖ ସମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।
Home ଜିଲ୍ଲା ପରିକ୍ରମା ପି.ଏ.ୱାଇ. ଗୃହରେ ବିଜୁ ପକ୍କାଘର ଷ୍ଟିକରିଙ୍ଗକୁ ବିରୋଧ କଲା ବିଜେପି, ଚିରିଲା ଷ୍ଟିକର, ପ୍ରତିବାଦ ପାଇଁ...