Home ଓଡ଼ିଶା ଧର୍ମେନ୍ଦ୍ର ବନାମ ଅପରାଜିତା ଲଢ଼େଇ; କାହାର ହାର୍ କାହାର ଜିତ୍: ଅସହାୟ ସମୀର; ବେଇଜତ୍ ହୋଇଗଲେ...

ଧର୍ମେନ୍ଦ୍ର ବନାମ ଅପରାଜିତା ଲଢ଼େଇ; କାହାର ହାର୍ କାହାର ଜିତ୍: ଅସହାୟ ସମୀର; ବେଇଜତ୍ ହୋଇଗଲେ ଗୋଲକ!

136

ଭୁବନେଶ୍ୱର: ଗତ ୧୨ ତାରିଖରେ ବିଜେପି ଖୋର୍ଦ୍ଧା ଜିଲ୍ଲା ସଭାପତି ପରିବର୍ତ୍ତନ କରାଯାଇ ନୂତନ ଭାବରେ ଆଉ ଜଣଙ୍କୁ ଦାୟିତ୍ୱ ଦିଆଯାଇଥିଲା। ପୂର୍ବରୁ ଜିଲ୍ଲା ସଭାପତି ଥିବା ରଶ୍ମୀରଞ୍ଜନ ମହାପାତ୍ରଙ୍କୁ ହଟାଯାଇ ଡଃ ଯତୀନ ମହାନ୍ତିଙ୍କୁ ସଭାପତି କରାଯାଇ ଥିଲା। ପୂର୍ବରୁ ଜିଲ୍ଲା ସଭାପତି ଥିବା ରଶ୍ମୀ ରଞ୍ଜନ ମହାପାତ୍ର ବିଭିନ୍ନ ସମୟରେ ଦଳୀୟ ଶୃଙ୍ଖଳା ଭଙ୍ଗ କରୁଥିବା ଅଭିଯୋଗରେ ତାଙ୍କୁ ଦାୟିତ୍ୱ ମୁକ୍ତ କରାଯାଇଛି ବୋଲି ରାଜ୍ୟ ବିଜେପି ପକ୍ଷରୁ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଏକ ପ୍ରେସ୍ ବିଜ୍ଞପ୍ତି ଜାରୀ କରି ପ୍ରକାଶ କରିଥିଲେ। ଦାୟିତ୍ୱ ପାଇବା ପରଠାରୁ ରଶ୍ମୀ ମହାପାତ୍ର ଦଳୀୟ ଶୃଙ୍ଖଳା ଭଙ୍ଗ କରି କାମ କରି ଚାଲିଛନ୍ତି ବୋଲି ଅଭିଯୋଗ ହୋଇ ଆସୁଥିଲା। ପ୍ରଥମେ ଜିଲ୍ଲା ସଭାପତି ଗୁଡ଼ିକର ଚୟନ ଏବଂ ଏହାପରେ ରାଜ୍ୟ ସଭାପତି ନିଯୁକ୍ତିର ପ୍ରାୟ ୯ ମାସ ବିତି ଯାଇଥିଲେ ସୂଧା ଏ’ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ଗୁଡ଼ିକରେ ଟିମ୍ ଗଠନ ହୋଇପାରିଲା ନାହିଁ। କିନ୍ତୁ, ଖୋର୍ଦ୍ଧା ଜିଲ୍ଲାରେ ଏହାର ବ୍ୟତିକ୍ରମ ଘଟି ଜିଲ୍ଲା ଟିମ୍ ଗଠନ ହୋଇଗଲା। ଏହାକୁ ଏକ ତ୍ରୁଟି ବୋଲି କୁହାଯାଉଛି। ରାଜ୍ୟର ଅନୁମୋଦନ ବିନା ରଶ୍ମୀ ମହାପାତ୍ର ଜିଲ୍ଲା ଟିମ୍ ଘୋଷଣା କରିବାକୁ ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବା କହି ପୂର୍ବରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ ହୋଇଥିଲା। ଏହା ବ୍ୟତୀତ ରଶ୍ମୀ ମହାପାତ୍ର ବିଜେପି ଜିଲ୍ଲା ସଭାପତି ଭାବରେ ନୁହେଁ, ସତେ ଯେପରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ଭଳି କାମ କରନ୍ତି ବୋଲି ଅଭିଯୋଗ ହୁଏ। ବିଜେପି କାମ ଅପେକ୍ଷା ଅପରାଜିତାଙ୍କ ମହିଳା ସଙ୍ଗଠନ “ଅଜିତା” ଏବଂ ଯୁବା ସଙ୍ଗଠନ “ୟୁଥ୍ ଫର୍ ଆକ୍ସନ୍” କାମରେ ରଶ୍ମୀ ମହାପାତ୍ରଙ୍କୁ ଅଧିକ ଦେଖାଯାଏ। ସେହିପରି ଏବେ ନିଜେ ନିଯୁକ୍ତ କରିଥିବା ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତିକୁ ପରିବର୍ତ୍ତନ କରିଦେଲେ ରଶ୍ମୀ ମହାପାତ୍ର। ଯାହା ମଧ୍ୟ ରାଜ୍ୟର ଅନୁମୋଦନ ବିନା କରାଯାଇ ଥିଲା। ତେଣୁ, ଏହିସବୁ କାରଣରୁ ତାଙ୍କ ଉପରେ ଅତିଷ୍ଠ ହୋଇ ଦଳ ତାଙ୍କୁ ଦାୟିତ୍ବ ମୁକ୍ତ କରିଦେଲା।

ତେବେ, ଏହାପରେ ଏହାକୁ ନେଇ ଆରମ୍ଭ ହୋଇଗଲା ବିବାଦ। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ନିଜେ ରଶ୍ମୀ ମହାପାତ୍ର ପାର୍ଟି ପକ୍ଷରୁ ଜାରୀ ନିର୍ଦ୍ଦେଶନାମା ମାନିବାକୁ ନାରାଜ ହେଲେ। ସେମାନେ ଯତୀନ ମହାନ୍ତିଙ୍କୁ ସଭାପତି ଭାବରେ ଗ୍ରହଣ ନକରି ରଶ୍ମୀ ମହାପାତ୍ରଙ୍କୁ ଜିଲ୍ଲା ସଭାପତି ଭାବେ ମାନି ଚାଲିଲେ। ଏହାକୁ ନେଇ ଏକ ଦସ୍ତଖତ ଅଭିଯାନ ଚାଲିଲା। ଏହି ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ନେଇ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି, ରାଜ୍ୟ ସଙ୍ଗଠନ ସମ୍ପାଦକ, ରାଜ୍ୟ ପ୍ରଭାରୀ ଏବଂ ସହ ପ୍ରଭାରୀ, ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀଙ୍କ ଉଦ୍ଦେଶ୍ୟରେ ରାଜ୍ୟ କାର୍ଯ୍ୟାଳୟ ସମ୍ପାଦକଙ୍କୁ ପ୍ରଦାନ କରାଗଲା। ଏଥିରେ ୨୦୧୯ ନିର୍ବାଚନରେ ଯତୀନ ମହାନ୍ତି ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ନେଇ ଅଭିଯୋଗ ରହିବା ସହ ରାଜ୍ୟ ପ୍ରଭାରୀ ଏବଂ ସଂସଦୀୟ କ୍ଷେତ୍ରର ସାଂସଦଙ୍କୁ ଅବଗତ ନ’କରାଇ ଜଣେ ନିର୍ବାଚିତ ଜିଲ୍ଲା ସଭାପତିଙ୍କୁ ଯେଉଁଭଳି ଭାବରେ ଅପସାରିତ କରାଯାଇଛି ତାହା ଅଗଣତାନ୍ତ୍ରିକ ଅସାମ୍ବିଧାନିକ ବୋଲି ଦର୍ଶାଯାଇ ଏହାର ପୁନଃ ବିଚାର ପାଇଁ ଦାବୀ କରାଯାଇ ଥିଲା। ଏହାକୁ ନେଇ ବିବାଦ ଘନେଇବାର ଲାଗିଲା। କଥା ଯାଇ କେନ୍ଦ୍ର ସ୍ତରରେ ପହଞ୍ଚିଲା।

ଧର୍ମେନ୍ଦ୍ର ଏବଂ ଅପରାଜିତାଙ୍କ ମଧ୍ୟରେ ଚାଲି ଆସୁଥିବା ଶୀତଳ ଯୁଦ୍ଧ କ୍ରମଶଃ ଘନୀଭୂତ ହେବାରେ ଲାଗିଛି ଏବଂ ଏହା ତାର ଏକ ରୂପ ବୋଲି କୁହାଗଲା। ଦଳ ଭିତରେ ଚାଲିଥିବା ଏ’ ସବୁ ବିବାଦ, ଗୋଷ୍ଠୀ କନ୍ଦଳରେ ଅତିଷ୍ଠ ହୋଇ ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି ଅତିଷ୍ଠ ହୋଇ ଅଜ୍ଞାତବାସକୁ ଚାଲିଗଲେ। ସେ ରାଜ୍ୟ କାର୍ଯ୍ୟାଳୟ ଛାଡ଼ି ଉତ୍କଳ ବିପନ୍ନ ସହାୟତା ସମିତି (ୟୁବିଏସ୍ଏସ୍)ରେ ରହିବାକୁ ଲାଗିଲେ। ଏ’ ଲଢ଼େଇ ରଶ୍ମୀ ମହାପାତ୍ର ଏବଂ ଯତୀନ ମହାନ୍ତିଙ୍କ ମଧ୍ୟରେ ନୁହେଁ, ବାସ୍ତବରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଅନ୍ୟ ପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଏ’ ଲଢ଼େଇ ଚାଲିଥିବା କୁହାଗଲା। କଥା ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା। ଅପରାଜିତାଙ୍କ ଉପରେ ଅଙ୍କୁଶ ଲଗାଇବା ଉଦ୍ଦେଶ୍ୟରେ ରଶ୍ମୀ ମହାପାତ୍ରଙ୍କୁ ହଟାଯିବାକୁ ଗୋଲକ ମହାପାତ୍ରଙ୍କ ମାଧ୍ୟମରେ ଧର୍ମେନ୍ଦ୍ର ପ୍ରଧାନ କରିଥିବା ଅପରାଜିତାଙ୍କ ପ୍ରଥମ ପକ୍ଷଛେଦନ ବୋଲି କୁହାଗଲା। ଓଡ଼ିଶା ବିଜେପିର ସର୍ବେସର୍ବା ଧର୍ମେନ୍ଦ୍ର ପ୍ରଧାନଙ୍କ ଇଙ୍ଗିତରେ ଦଳ ନେଇଥିବା ଏହି ନିଷ୍ପତ୍ତିର ପୁନଃ ବିଚାର ଅସମ୍ଭବ ବୋଲି କୁହାଗଲା। ଏପରି ଯଦି ଘଟେ ତେବେ ତାହା ଧର୍ମେନ୍ଦ୍ର ପ୍ରଧାନଙ୍କ ପତିଆରା ହ୍ରାସକୁ ପ୍ରମାଣ କରିବା ସହ ରାଜ୍ୟ ବିଜେପି ପ୍ରତି ଏକ ଖରାପ ଧାରଣା ସୃଷ୍ଟି ହେବ। ତେଣୁ ନିଷ୍ପତ୍ତିର ଆଉ ପୁନଃବିଚାର ଅସମ୍ଭବ ବୋଲି କୁହାଗଲା। ଧର୍ମେନ୍ଦ୍ରଙ୍କ ସମର୍ଥକ ମାନେ ଉତ୍ସାହିତ ହୋଇ ପଡ଼ିଲେ। ଏଣେ କିନ୍ତୁ ଅପରାଜିତା ସମର୍ଥକ ନିଷ୍ପତ୍ତି ପରିବର୍ତ୍ତନ ନିଶ୍ଚିତ ହେବ ଏବଂ ସେମାନେ ପକାଇଥିବା ଛେପ ପୁଣି ଢୋକିବେ ବୋଲି କହି ବୁଲିଲେ।

ଶେଷରେ ଅପରାଜିତା ସମର୍ଥକଙ୍କ କଥା ସତ ହେଲା। ନିଷ୍ପତ୍ତିର ପୁନଃବିଚାର ହେଲା। ୮ ଦିନ ନ’ପୁରୁଣୁ ରଶ୍ମୀ ମହାପାତ୍ର ପୁନଃ ଅବସ୍ଥାପିତ ହେଲେ। ବିଚରା ଅସହାୟ ରାଜ୍ୟ ସଭାପତି ସମୀର ମହାନ୍ତି ରଶ୍ମୀ ମହାପାତ୍ର ଖୋର୍ଦ୍ଧା ଜିଲ୍ଲା ସଭାପତି ଭାବେ ପୁନଃ ଅବସ୍ଥାପିତ ହେଲେ ବୋଲି ଏକ ଧାଡ଼ିକିଆ ପ୍ରେସ୍ ରିଲିଜ୍ ଜାରୀ କରି ଜଣାଇଲେ। ଧର୍ମେନ୍ଦ୍ର ପ୍ରଧାନଙ୍କ ସମର୍ଥକଙ୍କ ସତେ ଯେପରି ମୁହଁ ପୋଡ଼ିଗଲା। ଏ’ କଣ ହେଇଗଲ। ଯେଉଁ ଧର୍ମେନ୍ଦ୍ର ପ୍ରଧାନଙ୍କ ବିନା ଇସାରାରେ ଓଡ଼ିଶା ବିଜେପିରେ ପତ୍ରଟିଏ ବି ହଲୁ ନଥିଲା, ଆଜି ସେଇ ଧର୍ମେନ୍ଦ୍ରଙ୍କୁ ଲାଗିଗଲା ଝଟକା। ଓଡ଼ିଶା ବିଜେପିର ଅଘୋଷିତ କାର୍ଯ୍ୟକାରୀ ସଭାପତି ଭଳି କାର୍ଯ୍ୟ କରୁଥିବା ତଥା ପ୍ରେସ୍ ରିଲିଜ୍ ଜାରୀ କରି ରଶ୍ମୀ ମହାପାତ୍ରଙ୍କୁ ବରଖାସ୍ତ କରିଥିବା ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ହୋଇଗଲେ ବେଇଜତ୍। ଆଉ ଚାବି ଦିଆ କଣ୍ଢେଇ, ରବର ଷ୍ଟାମ୍ପ ସଭାପତିର ଆଖ୍ୟା ପାଇଥିବା ଅସହାୟ ରାଜ୍ୟ ସଭାପତି ଛେପ ଢୋକିଲା ପରି ଧାଡ଼ିକିଆ ପ୍ରେସ୍ ରିଲିଜ୍ ଜାରୀ କରି ରଶ୍ମୀ ମହାପାତ୍ରଙ୍କୁ ପୁନଃ ଅବସ୍ଥାପିତ କଲେ। ଏ’ ସବୁ କ’ଣ ଘଟିଗଲା ଭାବି ଓଡ଼ିଶା ବିଜେପି ପ୍ରାୟ ଏକ ପ୍ରକାର ସ୍ତବ୍ଧ। ଏଣେ କିନ୍ତୁ, ଅପରାଜିତା ଏବଂ ଅଜିତା, ୟୁଥ୍ ଫର୍ ଆକ୍ସନ୍ ଆଦି ତାଙ୍କ ଗୋଷ୍ଠୀ ପୂର୍ବାପେକ୍ଷା ଅଧିକ ଆଗ୍ରେସିଭ୍ ଢଙ୍ଗରେ କରିଚାଲିଛନ୍ତି କାର୍ଯ୍ୟକ୍ରମ। ଓଡ଼ିଶା ବିଜେପିରେ ଚାଲିଥିବା ଏହି ଗୋଲକ ଧନ୍ଦା ଆଗକୁ କେଉଁ ଦିଗକୁ ଯିବ ତାହା ଭବିଷ୍ୟତ କହିବ।
/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.