ହାଟଡିହି- ୧୨ / ୧୧ : (ଓଡିଆପୁଅ/ ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଆଇତିପୁର ପଞ୍ଚାୟତର ରାଘବପୁର ଗ୍ରାମ ମଦରଙ୍ଗା ସାହିର ନିଧିରାମ ବାରିକଙ୍କ ପୁଅ କବିନ୍ଦ୍ର ବାରିକ (୪୫) କିଡିନି ରୋଗରେ ପିଡିତ ହୋଇ ଗୁରୁତର ଅବସ୍ଥାରେ ଘରେ ପଡିରହିଛନ୍ତି । ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ଥିବାରୁ ଉପଯୁକ୍ତ ଚିକିତ୍ସା କରାଇବାରୁ ବଞ୍ଚିତ ହୋଇଛନ୍ତି ପରିବାର ଲୋକେ । ଘରେ ଖାଇବାକୁ କିଛି ନଥିବାବେଳେ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକେ ହେଉଛନ୍ତି କବିନ୍ଦ୍ର । ନିଜର କିଛି ଜମିବାଡି ନଥିବାବେଳେ ଭାଗଚାଷ କରି ଯାହା ରୋଜଗାର କରନ୍ତି ସେହିଥିରେ ହିଁ ବର୍ଷଟା ସାରା ଚଳନ୍ତି । ପୁଅ ଚଳିତବର୍ଷ ଦଶମ ପାସ କରିଥିବାବେଳେ ଝିଅ ୮ମ ଶ୍ରେଣୀରେ ପଢ଼ୁଛି । ଦୁଇମାସ ତଳେ ସେ ରୋଗରେ ପଡି ଭଦ୍ରକ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ମାତ୍ର ପୁନର୍ବାର ଅସୁସ୍ଥ ହୋଇପଡିବାରୁ ଗାଁ ଲୋକେ ନିଜ ନିଜ ଭିତରେ ଚାନ୍ଦାକରି ୨୦ରୁ ୨୫ହଜାର ଟଙ୍କା ଯୋଗାଡ କରି ତାଙ୍କୁ କଟକ ବଡଡାକ୍ତରଖାନାକୁ ପଠାଇ ପରୀକ୍ଷା କରିବାରେ ତାଙ୍କ କିଡିନ ଖରାପ ହୋଇଯାଇଥିବା ଜାଣିବାକୁ ପାଇଥିଲେ । ଏବେ ଅଧିକ ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା ଥିବାବେଳେ କେଉଁଠୁ ସାହାଯ୍ୟ ପାଇବେ ଓ ସ୍ୱାମୀର ଚିକିତ୍ସା କରାଇବେ ସେନେଇ ଚିନ୍ତାରେ ପଡି ଯାଇଛନ୍ତି ତାଙ୍କ ପତ୍ନୀ । ଏପରି ଅବସ୍ଥାରେ ଯଦି କେହି ସରକାରୀ କିମ୍ବା ବେସରକାରୀ ସଂସ୍ଥା ତାଙ୍କ ଚିକିତ୍ସା ପାଇଁ ସହଯୋଗର ହାତ ବଢ଼ାନ୍ତେ ସେ କବିନ୍ଦ୍ର ଭଲ େହୋଇ ପାରନ୍ତେ ବୋଲି ଗ୍ରାମବାସୀ ଓ ପରିବାର ଲୋକେ ଆଶା ବାନ୍ଧିଛନ୍ତି । ଯଦି କେହି ତାଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି ତେବେ ଏକାଉଣ୍ଟ ନମ୍ବର-୩୫୧୨୯୪୬୫୭୮୦ ଆଇଏଫଏସସି କୋର୍ଡ-ଏସବିଆଇଏନ ୦୦୦୯୮୨୨ ରେ ସହାୟତା ପଠାଇବାକୁ ପରିବାର ଲୋକେ ନିବେଦନ କରିଛନ୍ତି ।