Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲାସ୍ତରୀୟ ଧାନକ୍ରୟ କମିଟି ( ଡ଼ିଏଲପିସି) ବୈଠକ ଅନୁଷ୍ଠିତ

ଭଦ୍ରକ ଜିଲ୍ଲାସ୍ତରୀୟ ଧାନକ୍ରୟ କମିଟି ( ଡ଼ିଏଲପିସି) ବୈଠକ ଅନୁଷ୍ଠିତ

40

ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଗ୍ରାମ୍ୟଉନ୍ନୟତ ସମ୍ମିଳନୀ ସଭାଗୃହ ପରିସରରେ ଭଦ୍ରକ ଜିଲ୍ଲାରେ ଚଳିତବର୍ଷ ୨୦୨୦-୨୧ ଖରିଫ ଋତୁରେ ଧାନକ୍ରୟ ନିମନ୍ତେ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଳାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପରିଷଦର ସଭାପତି ଦ୍ୱିଜବର ରାଉତ,ସାଂସଦଙ୍କ ପ୍ରତିନିଧି ତଥା ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ,ଚାନ୍ଦବାଲିର ବିଧାୟକ ବ୍ୟୋମକେଶ ରାୟ, ଧାମନଗର ବିଧାୟକ ବିଷ୍ଣୁ ସେଠୀ, ଭଦ୍ରକର ବିଧାୟକ ସଂଜୀବ କୁମାର ମଲ୍ଲିକ୍‌, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଭଣ୍ଡାରିପୋଖରୀ ବିଧାୟକଙ୍କ ପ୍ରତିନିଧି ଦୀପ୍ତିସୂର୍ଯ୍ୟ ବିଶ୍ୱାଳ, ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ, ଉପଜିଲ୍ଲାପାଳ ପିତାମ୍ବର ସାମଲ, ମିଲର ସଂଘ ପକ୍ଷରୁ ସଭାପତି ରାଜକିଶୋର ଅଗ୍ରୱାଲ, ସଂପାଦକ ଶେଖର ମହାପାତ୍ର, ସମେତ ସମବାୟ ବ୍ୟାଙ୍କର କର୍ମଚାରୀ ଓ ବିଭାଗୀୟ ଅଧିକାରୀମାନେ ଧାନ ସଂଗ୍ରହ ବୈଠକ ଅଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଚଳିତବର୍ଷ ଖରିଫ ଋତୁରେ ଚାଷୀ ଯେପରି ନିଜର ଉତ୍ପାଦିତ ଧାନକୁ ଠିକ୍‌ଭାବରେ ବିକ୍ରୀ କରିପାରିବେ ଓ ଅଭାବୀ ବିକ୍ରୀର ସମ୍ମୁଖୀନ ନହେବେ, ସେଥିପ୍ରତି ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ଡ. ଦାସ କହିଥିଲେ । ପ୍ରାରମ୍ଭରେ ଜିଲ୍ଳା ଯୋଗାଣ ଅଧିକାରୀ ରଂଜନ ସେଠ୍ ଚଳିତ ବର୍ଷ ୯୭ଟି ପ୍ୟାକ୍ସ ଜରିଆରେ ଧାନ ସଂଗ୍ରହ କରାଯିବ । ସେହିପରି ମହାସଂଘ ଓ ସ୍ୱୟଂ ସହାୟିକା ଗୋଷ୍ଠୀ ମିଶି ୫୬ଜଣଙ୍କ ଜରିଆରେ ଏବଂ ପିପାସ ଜରିଆରେ ଧାନ ସଂଗ୍ରହ କରାଯିବ । ଚଳିତବର୍ଷ ଗ୍ରେଡ଼ (ଏ) ଏଫ୍‌. ଏ. କ୍‌ୁ୍ୟ. (ସାଧାରଣ) ଧାନର କୁଇଣ୍ଟାଲ ମୂଲ୍ୟପ୍ରତି ୧୮୬୮ ଥିଲା ବେଳେ ଗ୍ରେଡ (ଏ) ଏଫ୍‌.ଏ. କ୍ୟୁ. ଧାନର କୁଇଣ୍ଟାଲ ପ୍ରତି ମୂଲ୍ୟ ୧୮୮୮ ଟଙ୍କାରହିଛି । ଏହି ବର୍ଷ ଧାନବିକ୍ରୀ ପାଇଁ ଜିଲ୍ଲାର ୬୯ ହଜାର୬୫୨ଜଣ ଚାଷୀ ଅନ୍ ଲାଇନ୍ ଜରିଆରେ ନିଜର ନାମ ପଞ୍ଜିକରଣ କରିଛନ୍ତି ।

ଚଳିତବର୍ଷ ଜିଲ୍ଲାରେ ଧାନକିଣା ଡିସେମ୍ବର ୨୦ରୁ ଆରମ୍ଭ ହୋଇ ମାର୍ଚ୍ଚ ମାସ ୩୧ସୁଦ୍ଧା ଧାନକିଣା ଶେଷ ହେବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ସେଠ୍ ବୈଠକରେ ସୂଚନା ଦେଇଥିଲେ । ପ୍ୟାକ୍ସ ଜରିଆରେ ଧାନସଂଗ୍ରହ କରାଯିବ ଓ ପ୍ରତ୍ୟେକ ପ୍ୟାକ୍ସ କେନ୍ଦ୍ର ନିକଟରେ ଧାନ କିଣାର ସୂଚନା ପତ୍ର ଲଗାଯିବ ଏବଂ ଲିଫ୍ଟଲେଟ୍ ଓ ପ୍ରଚାର ଜରିଆରେ ଚାଷୀମାନଙ୍କୁ ଧାନକିଣା ଉପରେ ସଚେତନତା କରାଯିବ । ୨୦୨୦-୨୧ ବର୍ଷରେ ଜିଲ୍ଲାରେ ୧ ଲକ୍ଷ ମେଟ୍ରିକ ଟନ ଚାଉଳ ନିମନ୍ତେ ୧ଲକ୍ଷ ୪୭ହଜାର ୦୫୮ ମେଟ୍ରିକଟନ ଧାନ ସଂଗ୍ରହ ପ୍ରଥମ ପର୍ଯ୍ୟାୟରେ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବୈଠକରେ ସୂଚନା ଦିଆଯାଇଥିଲା । ଚଳିତବର୍ଷ ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ନୀତି ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଚାଷୀମାନଙ୍କ ଠାରୁ ଗୁଣାତ୍ମକ ବା ଠିକ୍ ଧାନକିଣା ଯାଇ ଚାଷୀଙ୍କୁ ଉଚିତ୍ ପ୍ରାପ୍ୟର ମୂଲ୍ୟ ଦିଆଯିବ ବୋଲି ବୈଠକରେ ଜିଲ୍ଲାପାଳ କହିଥିଲେ । ପ୍ରତ୍ୟେକ ସମବାୟ ସମିତି ଜରିଆରେ ଚାଷୀମାନଙ୍କୁ ଧାନକିଣା ଉପରେ ସଚେତନତା କରାଯିବାକୁ ବିଧାୟକମାନେ କହିଥିଲେ । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଧାନବିକ୍ରୀ କରି ଚାଷୀଙ୍କୁ ତାର ଦେୟ ୨୪ରୁ ୪୮ ଘଣ୍ଟା ମଧ୍ୟରେ ବ୍ୟାଙ୍କ ଖାତା ଜରିଆରେ ପୈଠ କରାଯିବ । ଚାଷୀଙ୍କ ସ୍ୱାର୍ଥପ୍ରତି ଦୃଷ୍ଟି ଦେବା ସହ ଚାଷୀ ଯେପରି ତାହାର ଉତ୍ପାଦିତ ଫସଲର ଉପଯୁକ୍ତ ପ୍ରାପ୍ୟ ପାଆନ୍ତି, ସେଥି ପ୍ରତି ବିଭାଗୀୟ ଅଧିକାରୀମାନେ ଯତ୍ନଶୀଳ ହେବାକୁ ବିଧାୟକମାନେ କହିଥିଲେ । ଚଳିତ ବର୍ଷ ଜିଲ୍ଲାରେ ଥିବା ସମସ୍ତ ମିଲରଙ୍କୁ ଧାନ କିଣିବା ନିମନ୍ତେ ପ୍ରାଥମିକତା ଦିଆଯିବ । ସେଥିରେ ମିଲରମାନେ ଖିଲାପ କଲେ ବାହାର ମିଲରଙ୍କୁ ସୁଯୋଗ ଦିଆଯିବ । ଧାନ କ୍ରୟ ସମୟରେ ଜିଲ୍ଲାର ଅଧିକାରୀମାନେ ବିଭିନ୍ନ ପାକ୍ସକୁ ଯାଇ ଏହାର ତଦାରଖ କରିବେ । ସେଥିରେ ଅନିୟମିତତା ପରିଲକ୍ଷିତ ହେଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପକ୍ଷରେ ରବି ଋତୁ ପାଇଁ ଭଦ୍ରକ ଜିଲ୍ଲାକୁ ପ୍ରକ୍ୟୁରମେଣ୍ଟରୁ ବାଦ୍ ଦିଆଯିବା ନେଇ ବିଧାୟକମାନେ ଉଦ୍‌ବେଗ ପ୍ରକଟ କରିଥିଲେ । ଏ ନେଇ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦିଆଯିବା ସହ ଆଗାମୀ ରବି ଋତୁରେ ପ୍ରକ୍ୟୁରମେଣ୍ଟ ତାଲିକାରେ ଭଦ୍ରକ ଜିଲ୍ଲାକୁ ସାମିଲ କରାଯିବାକୁ ଏକ ପ୍ରସ୍ତାବ ବୈଠକରେ ଗୃହୀତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.