ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆୟକର ଦେଉନଥିବା ଦେଶର ସମସ୍ତ ପରିବାରକୁ ମାସିକ ୭ ହଜାର ୫୦୦ ଟଙ୍କା କରି ୬ ମାସ ପର୍ଯ୍ୟନ୍ତ ଆର୍ଥିକ ସହାୟତା, ପରିବାର ମୁଣ୍ଡପିଛା ୧୦ କିଲୋ ଚାଉଳ, ଗହମ, ଚିନି , ଡାଲି ଓ କିରୋସିନି ମାଗଣାରେ ପ୍ରଦାନ, ମନରେଗା ଯୋଜନାରେ ସମସ୍ତ ଶ୍ରମିକଙ୍କୁ ବର୍ଷକୁ ୨୦୦ ଦିନର କାମ ଓ ଦୈନିକ ୬ ଶହ ଟଙ୍କା ମଜୁରୀ ପ୍ରଦାନ, ସହରାଞ୍ଚଳ ନିମନ୍ତେ ଏହି ଆଇନ୍ ପ୍ରଣୟନ, ସମସ୍ତ ବେକାରୀଙ୍କୁ ବେକାରୀ ଭତ୍ତା, ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଆଇନ୍ ୧୯୭୯ ରଦ୍ଦ କରିବାର ମସୁଧା ବନ୍ଦ କରିବା, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ବାତିଲ, କୃଷକ ଓ କୃଷି ଶ୍ରମିକମାନଙ୍କର ସମସ୍ତ ଋଣ ଛାଡ କରି ସେମାନଙ୍କ ଉତ୍ପାଦିତ ଫସଲ ସରକାରୀ ଧାର୍ଯ୍ୟ ଦରରେ କ୍ରୟ କରିବା ଭଳି ୧୬ ଦଫା ଦାବି ନେଇ ଆଜି ଭଦ୍ରକ ଜିଲା ସିପିଆଇ(ଏମ୍) ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଦାବିଗୁଡିକ ନେଇ ଆଜି ଜିଲା କମିଟି ସଂପାଦକ ଦିବ୍ୟସିଂହ ନାୟକ, ରାଧା ଦାସ, ମଣ୍ଟୁ ମୁଣ୍ଡା, ସେକ୍ ସତ୍ତାରୁଦ୍ଦିନ୍, ନିରଂଜନ ପାଣି, ଚନ୍ଦ୍ରଶେଖର ନାୟକ, ମୁକ୍ତିକାନ୍ତ ବାରିକ ପ୍ରମୁଖଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ନେତାଜୀ ନଗର, ବନ୍ତଛକ ବସ୍ତି, ସେକ୍ ସାହି, କାଜିସାହି ଠାରେ ବାହାରିଥିଲା । ଏବଂ ସମସ୍ତ ସ୍ଥାନରେ ପ୍ରତିବାଦ ସଭାମାନ କରାଯାଇଥିଲା । ଏହି ସଭାରେ ଉପରୋକ୍ତ ନେତାମାନେ ମୋଦି ସରକାରଙ୍କ ଜନବିରୋଧୀ ନୀତି ବିରୁଦ୍ଧରେ ଏକ ହେବାକୁ ଆହ୍ୱାନ ଦେବା ସହ ଅଗଷ୍ଟ ୨୦ ରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଏହି ପ୍ରତିବାଦ ଓ ପ୍ରଚାର ଅଭିଯାନକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ ।