ବାଲେଶ୍ୱର, ୧୫ା୮(ଓଡ଼ିଆ ପୁଅ/ଅଭୟ ଦାସ):ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନଜିଟି)ର ନିର୍ଦ୍ଦେଶାନୁସାରେ ସମ୍ପ୍ରତି ସମଗ୍ର ଦେଶର ସହରାଞ୍ଚଳ ବର୍ଜ୍ୟବସ୍ତୁ ପରିଚାଳନାକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ବାଲେଶ୍ୱରରେ ଜନ ସଚେତନତାର ଅଭାବ ଏହି ଯୋଜନା କାର୍ଯ୍ୟକାରୀରେ ଅନ୍ତରାୟ ହୋଇଛି। ବର୍ଜ୍ୟବସ୍ତୁ ପିଚାଳନା ଯୋଜନାରେ ଅଦ୍ରତାଯୁକ୍ତ ବର୍ଜ୍ୟବସ୍ତୁକୁ କମ୍ପୋଷ୍ଟରେ ପରିଣତ ପାଇଁ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର (ଏମସିସି) ଓ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ମେଟେରିଆଲ ରିନୁଆଲ ଫେସିଲିଟି(ଏମଆରଏଫ) ସ୍ଥାପନ କରାଯାଉଛି। ଏହି କ୍ରମରେ ବାଲେଶ୍ୱରର ଶ୍ରୀକଣ୍ଠପୁର ମୌଜାରେ ଏମସିସି ସ୍ଥାପନକୁ ନେଇ ପୂର୍ବରୁ ଲୋକଙ୍କ ପ୍ରତିବାଦ ହୋଇଥିବା ବେଳେ ଏବେ ମାଣିଖମ୍ବ ଅଞ୍ଚଳରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖାଯାଇଛି। ଏଠାରେ ନିର୍ମାଣ ହେଉଥିବା ଏମସିସି ୟୁନିଟ୍ ନିର୍ମାଣ କାର୍ଯ୍ୟକୁ ସ୍ଥାନୀୟ ଲୋକେ ବନ୍ଦ କରିବା ସହ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି କରିଛନ୍ତି। ପ୍ରାରମ୍ଭରୁ ସ୍ଥାନୀୟ ଲୋକଙ୍କ ମତାମତ ନନେଇ ପୌରପାଳିକା ପକ୍ଷରୁ କଲ୍ୟାଣ ମଣ୍ଡପ ସ୍ଥାପନର ଆଳ ଦେଖାଇ କାର୍ଯ୍ୟ ଆରମ୍ଭ ହୋଇଥିଲା ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ମାଣିଖମ୍ବ ଭଳି ଘନ ଜନବସତି ଅଞ୍ଚଳରେ ବର୍ଜ୍ୟବସ୍ତୁ ପରିଚାଳନା ୟୁନିଟ୍ ସ୍ଥାପନ ଦ୍ୱାରା ଏଠାକାର ପରିବେଶ ପ୍ରଦୂଷଣ ହେବା ନେଇ ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଜନବହୁଳ ଅଞ୍ଚଳ ଦେଇ ସହରର ଆବର୍ଜନା ବୁହାହେବା ଦ୍ୱାରା ନାନାବିଧ ସମସ୍ୟା ଉପୁଜିବ ବୋଲି ସେମାନେ ଆରୋପ କରିଛନ୍ତି। ଏହି ଅଞ୍ଚଳରେ ମନ୍ଦିର, ଏକାଧିକ ବିଦ୍ୟାଳୟ ଥିବା ବେଳେ ଏହାର ପ୍ରଭାବ ସିଧାସଳଖ ଲୋକଙ୍କ ଉପରେ ପଡ଼ିବ ବୋଲି ସେମାନେ କହିଛନ୍ତି। ଅତଏବେ ଏହାକୁ ଅନ୍ୟତ୍ର ଜନବସତି ନଥିବା ଖାଲି ଜାଗାକୁ ସ୍ଥାନାନ୍ତର ପାଇଁ ମାଣିଖମ୍ବବାସୀ ଦାବି କରିଛନ୍ତି। ନତୁବା ଆଗାମୀ ଦିନରେ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବେ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି। ତେବେ ଏ ସମ୍ପର୍କରେ ପ୍ରକଳ୍ପ କାର୍ଯ୍ୟ ତଦାରଖକାରୀ ବାଲେଶ୍ୱର ପୌରପାଳିକାର କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ନାୟକଙ୍କୁ ପଚାରିବାରୁ, ଅଜ୍ଞତା ଦୃଷ୍ଟିରୁ ଲୋକମାନେ ଏହି ୟୁନିଟ୍ର ଉପାଦେୟତା ନ ଜାଣି ଏହାକୁ ବିରୋଧ କରିବା ଉଚିତ ନୁହେଁ ବୋଲି ସେ କହିଥିଲେ। ଡମ୍ଫିଂ ୟାର୍ଡ଼ରୁ ଆଦ୍ରତାଯୁକ୍ତ ବର୍ଯ୍ୟବସ୍ତୁ ପବନ ପ୍ରବେଶ କରିପାରୁ ନଥିବା ସ୍ୱତନ୍ତ୍ର ଗାଡ଼ିରେ ଏମସିସିକୁ ଆସିବା ସହ ଏଠାରୁ କମ୍ପୋଷ୍ଟ ମଧ୍ୟ ଅନୁରୂପ ଭାବେ ବାହାରକୁ ପଠାଇ ଦିଆଯିବ। ଏହା ଦ୍ୱାରା କାହାରି କିଛି କ୍ଷତି ହେବାର ନାହିଁ। ନିଜ ଅଞ୍ଚଳକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଏମସିସି ଓ ଏମଆରଏଫ ପ୍ରତିଷ୍ଠା ପାଇଁ କନିଷ୍ଠ ଯନ୍ତ୍ରୀ ଶ୍ରୀ ନାୟକ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ତେବେ ଜନ ସଚେତନତା ସୃଷ୍ଟି ନେଇ ପୌର କର୍ତ୍ତୃପକ୍ଷ ବିଶେଷ ପଦକ୍ଷେପ ଗ୍ରହଣ ନ କରିବା ଯୋଗୁଁ ଏଭଳି ବିବାଦୀୟ ପରିସ୍ଥିତି ଦେଖାଦେଉଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଏମସିସି ପ୍ଲାଣ୍ଟରେ ବଡ଼ ବଡ଼ କୂଅ ଖୋଳାଯାଇ ବର୍ଜ୍ୟବସ୍ତୁକୁ ସେଇଥିରେ ପକାଯିବା ସହ ଆବଶ୍ୟକ କେମିକାଲ ଦ୍ୱାରା ତାହାକୁ ଡିକେମ୍ପୋଜଡ୍ କରାଯାଇ ୭ ଦିନ ପରେ ତାହାକୁ କମ୍ପୋଷ୍ଟ ଖତ ଭାବେ ଚାଷୀମାନଙ୍କୁ ପ୍ରଦାନ କରାଯାଇପାରିବ। ସେହିକ୍ରମରେ ବାଲେଶ୍ୱର ସହରରେ ଦୈନିକ ଉତ୍ପନ ହେଉଥିବା ୨୯-୫୦ ମେଟ୍ରିକ୍ ଟନ୍ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୫-ଟିପିଡି(ଦୈନିକ ୫ ଟନ୍ ହିସାବରେ) ୬ ଗୋଟି ପରିଚାଳନା ୟୁନିଟ୍ ‘ଏମସିସି’ ସ୍ଥାପନ ନିମନ୍ତେ ସ୍ଥାନ ନିରୂପଣ ହୋଇଛି। ସହରର ମାଣିଖମ୍ବ, ଶ୍ରୀକଣ୍ଠପୁର, ଚାନ୍ଦମାରି ପଡ଼ିଆ, ଗୁଡ଼ିପଦା, ସୁନହଟ ଓ ପୁରୁଣାବାଲଶ୍ୱର ଆଦି ସ୍ଥାନରେ ଏହି ୟୁନିଟ୍ ସ୍ଥାପନ କରାଯିବ। ସେହିପରି କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସୁନହଟ, ପୁରୁଣାବାଲେଶ୍ୱର, ଚାନ୍ଦମାରିପଡ଼ିଆ ଓ ଚୂନଭାଟି ଆଦି ୪ ଗୋଟି ସ୍ଥାନ ନିରୂପଣ ହୋଇଛି। ମାତ୍ର ଜନ ସଚେତନତା ସୃଷ୍ଟିରେ ବିଫଳତା ଯୋଗୁଁ ଏହି ପ୍ରୋସେସିଂ ୟୁନିଟ୍ ସ୍ଥାପନକୁ ନେଇ ଏବେ ସବୁଠି ବିବାଦ ଦେଖାଦେଇଛି ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
Home ଜିଲ୍ଲା ପରିକ୍ରମା ସଚେତନତା ସୃଷ୍ଟିରେ ବିଫଳ ବାଲେଶ୍ୱର ପ୍ରଶାସନ -ବିବାଦରେ ବର୍ଜ୍ୟବସ୍ତୁ ପରିଚାଳନା ୟୁନିଟ୍ ସ୍ଥାପନ ...