Home ଓଡ଼ିଶା ଏପ୍ରିଲ-ଜୁନ୍‌ମଧ୍ୟରେ ଇପିଏଫଓ ଦ୍ୱାରା ୭୩-୫୮ ଲକ୍ଷ ସଦସ୍ୟଙ୍କ କେୱାଇସି ଅପ୍‌ଡେଟ

ଏପ୍ରିଲ-ଜୁନ୍‌ମଧ୍ୟରେ ଇପିଏଫଓ ଦ୍ୱାରା ୭୩-୫୮ ଲକ୍ଷ ସଦସ୍ୟଙ୍କ କେୱାଇସି ଅପ୍‌ଡେଟ

161

ନୂଆ ଦିଲ୍ଲୀ ୨୮-୭ (ଓଡ଼ିଆ ପୁଅ) କୋଭିଡ୍‌ମହାମାରୀ ସମୟରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍‌ଓ)ର ସଦସ୍ୟମାନଙ୍କୁ ଅନ୍‌ଲାଇନ ସେବା ଯୋଗାଇଦେବା ଲକ୍ଷ୍ୟରେ ଏହି ସଂସ୍ଥା ଚଳିତବର୍ଷ ଏପ୍ରିଲରୁ ଜୁନ୍‌ମଧ୍ୟରେ ୭୩.୫୮ ଲକ୍ଷ ସଦସ୍ୟଙ୍କ ନୋ ୟୋର କଷ୍ଟମର୍ସ ବା କେୱାଇସି ଡେଟାକୁ ଅପ୍‌ଡେଟ କରିଛି। ଏଥିମଧ୍ୟରେ ୫୨.୧୨ ଲକ୍ଷ ସଦସ୍ୟଙ୍କ ଖାତାକୁ ଆଧାର ସହ ସିଡିଂ କରାଯାଇଛି। ଏହାଛଡା ୧୭.୪୮ ଲକ୍ଷ ସଦସ୍ୟଙ୍କ ମୋବାଇଲ ସିଡିଂ (ୟୁଏଏନ୍‌ଆର) ଆକ୍ଟିଭେସନ କରାଯାଇଥିବାବେଳେ ୧୭.୮୭ ଲକ୍ଷ ସଦସ୍ୟଙ୍କର ବ୍ୟାଙ୍କ ଖାତାକୁ ସିଡିଂ କରାଯାଇଛି। କେୱାଇସି ଏକ ଏକକାଳୀନ ପ୍ରକ୍ରିୟା ଯାହାଦ୍ୱାରା ସଦସ୍ୟମାନଙ୍କର ପରିଚୟ ତଦାରଖ ସହଜ ହୋଇଥାଏ ଏବଂ ଏହା ୟୁନିଭର୍ସାଲ ଆକାଉଣ୍ଟ ନମ୍ବର ସହ ସଂଯୁକ୍ତ ହୋଇଥାଏ।

ଆହୁରି ମଧ୍ୟ କେୱାଇସି ସିଡିଂକୁ ବ୍ୟାପକ କରିବା ପାଇଁ ଇପିଏଫ୍‌ଓ ବଡ ଧରଣର କସରତ ଆରମ୍ଭ କରିଛି। ଲକ୍‌ଡାଉନ ସମୟରେ ମଧ୍ୟ ଇପିଏଫ୍‌ଓ ଏହାର ସଦସ୍ୟମାନଙ୍କ ଜନସାଂକ୍ଷିକ ବିବରଣୀକୁ ସଂଶୋଧନ କରିଛି। ଏହାଫଳରେ ୯.୭୩ ଲକ୍ଷ ଲୋକଙ୍କ ନାମ ସଂଶୋଧିତ ହୋଇଛି ଓ ୪.୧୮ ଲକ୍ଷ ସଦସ୍ୟଙ୍କ ଜନ୍ମ ତାରିଖରେ ସଂଶୋଧନ ମଧ୍ୟ କରାଯାଇଛି। ସେହିଭଳି ଏହି ପ୍ରକ୍ରିୟାରେ ଏପ୍ରିଲ-ଜୁନ ମଧ୍ୟରେ ୭.୧୬ ଲକ୍ଷ ସଦସ୍ୟଙ୍କ ଆଧାର ନମ୍ବରରେ ମଧ୍ୟ ଆବଶ୍ୟକ ସଂଶୋଧନ କରାଯାଇଛି।

କରୋନା ମହାମାରୀ ସମୟରେ ଅଫିସରେ ସାମାଜିକ ଦୂରତ୍ୱ ନିଶ୍ଚିତ କରିବା ପାଇଁ ଇପିଏଫ୍‌ଓ ପକ୍ଷରୁ ଘରୁ କାର୍ଯ୍ୟ କରିବାର ବ୍ୟବସ୍ଥା କରାଯାଇଛି। ଏଥିରେ କର୍ମଚାରୀମାନେ ନିଜ ନିଜ ଘରେ ବସି ନିର୍ଦ୍ଧାରିତ ସମୟ ମଧ୍ୟରେ କେୱାଇସି ଆକାଉଣ୍ଟକୁ ଅପ୍‌ଡେସନ କରିବାରେ ସଫଳ ହୋଇଛନ୍ତି। ଏହାଫଳରେ ଦିନକୁ ଦିନ କାମର ବୋଝ ହ୍ରାସ ପାଉଛି।

ଇପିଏଫ୍‌ଓ ମଧ୍ୟ ସଦସ୍ୟମାନଙ୍କ ଆକାଉଣ୍ଟରେ ଥିବା ତ୍ରୁଟିବିଚ୍ୟୁତିକୁ ସୁଧାରି ଏହାକୁ ଅଧିକ ସରଳ ଓ ସହଜ କରିଛି। ନିଯୁକ୍ତିଦାତାଙ୍କ ତଥ୍ୟକୁ ଅପେକ୍ଷା ନ କରି ଆଧାର ତଥ୍ୟକୁ ବିଚାରକୁ ନେଇ ଇପିଏଫ୍‌ଓ ଏହାର ସଦସ୍ୟମାନଙ୍କ ଜନ୍ମ ତାରିଖରେ ଥିବା ତ୍ରୁଟିକୁ ସଂଶୋଧନ କରିଛି। ଯେଉଁ କ୍ଷେତ୍ରରେ ଜନ୍ମ ତାରିଖରେ ସର୍ବାଧିକ ୩ ବର୍ଷର ପାର୍ଥକ୍ୟ ରହିଛି ସେଠାରେ ଆଧାରକୁ ପ୍ରମାଣଭାବେ ଗ୍ରହଣ କରାଯାଇ ସଦସ୍ୟଙ୍କ ଜନ୍ମ ତାରିଖ ସଂଶୋଧନ କରାଯାଇଛି।

କେୱାଇସି ଅପ୍‌ଡେସନ ଫଳରେ ଜଣେ ସଦସ୍ୟ (ମେମ୍ବର ପୋର୍ଟାଲ) ମାଧ୍ୟମରେ ଅନ୍‌ଲାଇନ ସେବାର ସୁଯୋଗ ପାଇପାରିବ। ଚୂଡାନ୍ତ ଅର୍ଥ ଉଠାଣ, ନିଜ ଖାତାରୁ ଅଗ୍ରୀମ ନେବା ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ନିଜ ଖାତାରୁ ଅଗ୍ରୀମ ଉଠାଇବା ପାଇଁ ଏହି ବ୍ୟବସ୍ଥା ସହାୟକ ହେବ। ଏହି ଅନ୍‌ଲାଇନ ବ୍ୟବସ୍ଥା ଜଞ୍ଜାଳମୁକ୍ତ, ସହଜ ଓ ସରଳ। ଚାକିରି ବଦଳାଇଲେ ମଧ୍ୟ ଜଣେ ସଦସ୍ୟ ନିଜର ଆକାଉଣ୍ଟକୁ ଅନ୍‌ଲାଇନ ବ୍ୟବସ୍ଥାରେ ବଦଳାଇବେ। ଡେସ୍କଟପ୍‌କିମ୍ବା ଉମଙ୍ଗ ମାଧ୍ୟମରେ ଇପିଏଫର ସମସ୍ତ ସେବା ସଦସ୍ୟମାନଙ୍କୁ ଉପଲବ୍ଧ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.