Home ଓଡ଼ିଶା ରାଜ୍ୟ ସରକାର ଶିକ୍ଷିତ ଯୁବବର୍ଗଙ୍କ ଭବିଷ୍ୟତ ସହ ନ ଖେଳନ୍ତୁ

ରାଜ୍ୟ ସରକାର ଶିକ୍ଷିତ ଯୁବବର୍ଗଙ୍କ ଭବିଷ୍ୟତ ସହ ନ ଖେଳନ୍ତୁ

198

-ଅସ୍ଥାୟୀ ଓ ଚୁକ୍ତିଭିତିକ କର୍ମଚାରୀମାନଙ୍କ ଛଟେଇ ନିଷ୍ପତି ରାଜ୍ୟରେ ଅରାଜକତା ସୃଷ୍ଟି କରିବ
– ରାଜ୍ୟର ଚାରି ସର୍ବ ବୃହତ ସରକାରୀ ହସ୍ପିଟାଲରେ କରୋନା ରୋଗୀଙ୍କୁ ସ୍ୱତନ୍ତ୍ର ଭାବେ ଆଡ୍‌ମିଶନ ନକରିବା ଦୁର୍ଭାଗ୍ୟଜନକ
– ତୁରନ୍ତ ଏନେଇ ରାଜ୍ୟ ସରକାର ବିଚାର ନକଲେ ଯୁବ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ

ଭୁବନେଶ୍ୱର, ୨୦।୭ (ଓଡ଼ିଆ ପୁଅ) : କୋଭିଡ୍ ମହାମାରୀର ସଂକଟ ସମୟରେ ବାରମ୍ବାର ରାଜ୍ୟ ସରକାର ରାତି ଅଧିଆ ନିଷ୍ପତି ନେଇ ଯୁବପିଢିଙ୍କ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେବାକୁ ପ୍ରଚେଷ୍ଟା କରୁଛନ୍ତି। ବିଭିନ୍ନ ଆର୍ଥିକ କଟକଣାର ଆଳ ଦେଖାଇ ପୂର୍ବରୁ ଦୁଇ ବର୍ଷ ସରକାରୀ ନିଯୁକ୍ତି ବନ୍ଦ କରିବା ନିଷ୍ପତି ଓ ଏବେ ଅସ୍ଥାୟୀ ଓ ଚୁକ୍ତିିଭିତିକ କର୍ମଚାରୀମାନଙ୍କ ଛଟେଇ ନିଷ୍ପତି ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ଓଡ଼ିଶା ରାଜ୍ୟ ଯୁବ କଂଗ୍ରେସ ସଭାପତି ଡଃ ସ୍ମୃତିରଞ୍ଜନ ଲେଙ୍କା ଅଭିଯୋଗ କରିଛନ୍ତି। ମହାମାରୀ କରୋନା ପାଇଁ ଜୀବନ ଜୀବିକା ବିପଦରେ ଥିବାବେଳେ ସରକାରଙ୍କର ଏଭଳି ନିଷ୍ପତି ରାଜ୍ୟରେ ପ୍ରାୟ ଦୁଇ ଲକ୍ଷ ଅସ୍ଥାୟୀ ଚୁକ୍ତିଭିତିକ କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯିବ। ବାସ୍ତବରେ ରାଜ୍ୟ ସରକାରଙ୍କ ବିିଭିନ୍ନ ବିଭାଗରେ ନିଯୁକ୍ତି ପାଇଥିବା ଅସ୍ଥାୟୀ ଓ ଚୁକ୍ତିଭିତିକ କର୍ମଚାରୀ ଅଧିକ କାମ କରୁଥିବାବେଳେ ଯଥେଷ୍ଟ କମ୍ ଦରମା ପାଆନ୍ତି। ବହୁ ଆଉଟ୍ ସୋର୍ସିଂ ସଂସ୍ଥା ମଧ୍ୟ ସରକାରଙ୍କ ସହ ଚୁକ୍ତି କରି ଯୁବପିଢିଙ୍କୁ ସରକାରୀ ସେବାରେ ନିୟୋଜିତ କରାନ୍ତି। ପ୍ରକାଶ ଯୋଗ୍ୟ କି ରାଜ୍ୟ ସରକାରଙ୍କ ଅଧୀନରେ ଚୁକ୍ତିଭିତିକ ଭାବେ କାର୍ଯ୍ୟ କରୁଥିବା ବହୁ କୁଶଳୀ ଶ୍ରମିକ ୧୦ରୁ ୧୫ ବର୍ଷ ହେବ କାମ କରି ମାତ୍ର ୮ରୁ ୧୦ ହଜାର ଟଙ୍କା ଦରମା ପାଆନ୍ତି। ଏବେ ପ୍ରଶ୍ନ ଉଠୁଛି ଏମାନେ ନିଯୁକ୍ତି ହରାଇବା ପରେ ପରିବାର ଭରଣପୋଷଣ ସେମାନଙ୍କ ପାଇଁ ଅସମ୍ଭବ ହୋଇପଡ଼ିବ। ବୈଷୟିକ ଓ ଅନ୍ୟାନ୍ୟ ଶିକ୍ଷାଗତ ଯୋଗ୍ୟତା ଥାଇ ଏବେ ରାଜ୍ୟର ବହୁ ସଂଖ୍ୟକ ଶିକ୍ଷିତ ଯୁବକ ଯୁବତୀ ନିଯୁକ୍ତି ଅପେକ୍ଷାରେ ଥିବାବେଳେ ଇତିମଧ୍ୟରେ ୧୦ଲକ୍ଷରୁ ଉର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ ଓଡ଼ିଶା ଫେରିଛନ୍ତି। ସେମାନଙ୍କ ଥଇଥାନ ଓ ନିଯୁକ୍ତି ନେଇ ସରକାର ଚୁପ୍ ବସିଥିବାବେଳେ ଏଭଳି ରାତିଅଧିଆ ନିଷ୍ପତି ଯୁବବର୍ଗଙ୍କ ମାନସିକ ଭାରସାମ୍ୟ ହରାଇ ରାଜ୍ୟରେ ଅରାଜକତା ସୃଷ୍ଟି କରିବ। ଅପରପକ୍ଷେ ରାଜ୍ୟ ସରକାରଙ୍କ କେତେକ ବିଭାଗରେ ବରିଷ୍ଠ ମୁଷ୍ଟିମେୟ କେତେକ ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ପୁନଃ ଥଇଥାନ ପ୍ରକ୍ରିୟା ମଧ୍ୟ ଚାଲିଛି। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ପୂର୍ବରୁ କଟକଣା ଥିଲେ ମଧ୍ୟ ଏହା କେବଳ ସରକାରୀ ଫାଇଲ ଭିତରେ ଚାପି ହୋଇ ରହିଛି। ନୂଆ ପଦବୀ ସୃଷ୍ଟି ଉପରେ ବ୍ୟାନ ଲଗାଇ ୫ବର୍ଷ ହେଲା ଖାଲି ପଡିଥିବା ଅନାବଶ୍ୟକ ପଦବୀକୁ ସରକାର ଉଚ୍ଛେଦ କରିଛନ୍ତି। ଅପରପକ୍ଷେ ରାଜ୍ୟରେ ଶିକ୍ଷିତ ବେକାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବାବେଳେ ରାଜ୍ୟ ସରକାର ତୁରନ୍ତ ଏଭଳି ରାଜ୍ୟ ଓ ବିଶେଷକରି ଯୁବ ବିରୋଧୀ ନିଷ୍ପତିକୁ ପ୍ରତ୍ୟାହାର କରନ୍ତୁ ଏବଂ ଦୀର୍ଘ ୨୦ବର୍ଷ ଭିତରେ କେତେ ଯୁବକଙ୍କୁ ନିଯୁକ୍ତି ଦେଇଛନ୍ତି ସେ ସଂକ୍ରାନ୍ତରେ ଏକ ଶ୍ୱେତପତ୍ର ଜାରି କରନ୍ତୁ। ନଚେତ ଆଗାମୀ ଦିନରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସମଗ୍ର ରାଜ୍ୟରେ ଆନ୍ଦୋଳନକୁ ତୀବ୍ରତର କରାଯିବ।

ଦ୍ୱିତୀୟ ପ୍ରସଙ୍ଗ :-

ଚଳିତ ମାସରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ବହୁ ମାତ୍ରାରେ ବଢିଚାଲିଥିବାବେଳେ ଡାକ୍ତରଖାନାରେ ଶଯ୍ୟାର ଅଭାବ ଅତି ସଙ୍କଟମୟ ପରିସ୍ଥିତିରେ ଅବନୀତ ହୋଇଛି। ଯଦିଓ ପ୍ରାରମ୍ଭିକସ୍ତରରେ କିମ୍ସ ଓ ସମ୍ ହସ୍ପିଟାଲରେ ୧୫ଶହ ବେଡ୍ ସହିତ ବିଭିନ୍ନ ଜିଲ୍ଲାରେ କୋଭିଡ୍ କେୟାର ସେଂଟର ପ୍ରତିଷ୍ଠା କରାଯାଇଛି, କିନ୍ତୁ ସଂକ୍ରମଣର ସଂଖ୍ୟାକୁ ଦେଖି ଏହା ଏବେ ସମୁଦ୍ରକୁ ଶଙ୍ଖେ ପରି ମନେ ହେଉଛି। ଫଳରେ ସାମାନ୍ୟରୁ ଅଧିକ ଗୁରୁତର କରୋନା ରୋଗୀଙ୍କ ଚିକିତ୍ସାରେ ଅବହେଳା ପରିଲକ୍ଷିତ ହେଉଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ରାଜ୍ୟର ଚାରୋଟି ସର୍ବ ବୃହତ ସରକାରୀ ହସ୍ପିଟାଲ ଯଥା- ଏମ୍‌ସ ଭୁବନେଶ୍ୱର, ଏସ୍‌ସିବି ମେଡିକାଲ କଲେଜ କଟକ, ଏମ୍‌କେସିଜି ବ୍ରହ୍ମପୁର ଓ ଭିଏସ୍‌ଏସ୍ ବୁର୍ଲା ହସ୍ପିଟାଲ ବିଧିବଦ୍ଧ ଭାବେ କରୋନା ରୋଗୀଙ୍କୁ ସ୍ୱତନ୍ତ୍ର ଭାବେ ଆଡ୍‌ମିଶନ କରି ଚିକିତ୍ସା କରୁନାହାନ୍ତି। ଏହି ଡାକ୍ତରଖାନାରେ ସ୍ୱତନ୍ତ୍ର ଆଇସୋଲେସନ ବ୍ୟବସ୍ଥା ଥିବାବେଳେ କୌଣସି କୋଭିଡ୍ ରୋଗୀଙ୍କୁ ଏଠାରେ ଚିକିତ୍ସା ନ କରିବା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ। ଏସବୁ ବଡ଼ ହସ୍ପିଟାଲରେ ସ୍ୱତନ୍ତ୍ର କୋଭିଡ୍ କେୟାର ହସ୍ପିଟାଲ ସ୍ଥାପନ କରାଗଲେ କିଛିକାଂଶରେ ରାଜ୍ୟବାସୀଙ୍କୁ ସୁଫଳ ମିଳିବା ସହ କରୋନା ମହାମାରୀ ଲଢେଇରେ ଆମେ ଆଉ ପାଦେ ଆଗକୁ ଯାଇପାରିବା ବୋଲି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ ଲେଙ୍କା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.