Home ଓଡ଼ିଶା ଖୁବ୍ ଶୀଘ୍ର ବିଜେପି ସଙ୍ଗଠନରେ ହେବ ପୁନର୍ବିନ୍ୟାସ

ଖୁବ୍ ଶୀଘ୍ର ବିଜେପି ସଙ୍ଗଠନରେ ହେବ ପୁନର୍ବିନ୍ୟାସ

123

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ବିଜେପି ସଙ୍ଗଠନରେ ହେବ ପୁନର୍ବିନ୍ୟାସ। ସମ୍ଭବତଃ ଜୁଲାଇ ୧୫/୧୬ ପୂର୍ବରୁ ଯେ କୌଣସି ସମୟରେ ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ତାଙ୍କ ନୂତନ ଟିମ୍ ଘୋଷଣା କରିପାରନ୍ତି ବୋଲି ସୂଚନା ମିଳିଛି। ଦଳର ସାଙ୍ଗଠନିକ ପରିବର୍ତ୍ତନ ପରେପରେ କେନ୍ଦ୍ର କ୍ୟାବିନେଟର ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଦଳ ସାଙ୍ଗଠନିକ ପରିବର୍ତ୍ତନକୁ ଅନୁମୋଦନ କରାଯାଇଥିବା ଜଣାପଡ଼ିଛି। ବିଜେପିର କିଛି ବରିଷ୍ଠ ନେତୃତ୍ୱଙ୍କ ସମେତ ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ (ଆରଏସଏସ୍)ର ବରିଷ୍ଠ ପଦାଧିକାରୀମାନେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉପସ୍ଥିତ ଥିଲେ ବୋଲି ସୂଚନା ମିଳିଛି।

ଖବର ମୁତାବକ ନଡ୍ଡାଙ୍କ ନୂତନ ଟିମରେ ଦଳରେ ଉପସଭାପତି, ସାଧାରଣ ସମ୍ପାଦକ, ବିଭିନ୍ନ ମୋର୍ଚ୍ଚା ଏବଂ ବିଭାଗରେ କିଛି ନୂତନ ଚେହେରା’ ସାମିଲ ହେବେ। ଏହି ଫ୍ରଣ୍ଟ୍ ଗୁଡ଼ିକୁ ଏକ ନୂତନ ଦିଗ ଦେବା ନଡ୍ଡାଙ୍କ ଉଦ୍ଦେଶ୍ୟ ହେବ। ମୋଟ ୮ ଜଣ ମହାସଚିବ (ସାଧାରଣ ସମ୍ପାଦକ)ଙ୍କ ମଧ୍ୟରୁ ଅତି କମରେ ଦୁଇଜଣ ମହାସଚିବଙ୍କୁ ବଦଳି କରାଯାଇ ପାରେ। ମହାରାଷ୍ଟ୍ର ପ୍ରଭାରୀ ତଥା ଅନ୍ୟତମ ମହାସଚିବ ସରୋଜ ପାଣ୍ଡେଙ୍କୁ ମହାସଚିବ ପଦରୁ ଅପସାରିତ କରାଯାଇ ତାଙ୍କୁ କେନ୍ଦ୍ର କ୍ୟାବିନେଟରେ ଅନ୍ତର୍ଭୁକ୍ତ କରାଯାଇ ପାରେ। ଦୁଇଜଣ ମହାସଚିବ ଭୁପେନ୍ଦ୍ର ଯାଦବ ଏବଂ କୈଳାସ ବିଜୟଭର୍ଗିଆ ଯଥାକ୍ରମେ ବିହାର ଏବଂ ପଶ୍ଚିମବଙ୍ଗର ଦାୟିତ୍ୱରେ ଅଛନ୍ତି। ଏହି ଦୁଇ ରାଜ୍ୟରେ ଖୁବ୍ ଶୀଘ୍ର ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ଏଭଳି ପରିସ୍ଥିତିରେ ଉଭୟ ନିଜ ପଦବୀରେ ଅପରିବର୍ତ୍ତିତ ରହିବେ ବୋଲି ସୂଚନା ମିଳିଛି। ସେହିପରି ନିକଟରେ ରାମ ଲାଲଙ୍କ ସ୍ଥାନରେ ନୂତନ ଭାବେ ସଙ୍ଗଠନ ସମ୍ପାଦକ ଦାୟିତ୍ୱ ନେଇଥିବା ବି.ଏଲ୍ ସନ୍ତୋଷଙ୍କ ଦାୟିତ୍ୱ ମଧ୍ୟ ଅପରିବର୍ତ୍ତିତ ରହିପାରେ।

ଶିବରାଜ ସିଂ ଚୌହାନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ହେବାପରେ ଦଳର ଉପାଧ୍ୟକ୍ଷ ଭାବରେ ତାଙ୍କ ସ୍ଥାନରେ ରଘୁବର ଦାସଙ୍କୁ ଦାୟିତ୍ୱ ଦିଆଯାଇ ପାରେ ବୋଲି କୁହାଯାଉଛି। ସଙ୍ଗଠନରେ ସମୁଦାୟ ୧୦ ଜଣ ଉପସଭାପତି ଅଛନ୍ତି। ସେମାନଙ୍କ ମଧ୍ୟରୁ ଅନ୍ୟୁନ ଦୁଇ ଜଣଙ୍କ ଦାୟିତ୍ୱ ପରିବର୍ତ୍ତନ ହୋଇପାରେ ବୋଲି ସୂଚନା ମିଳୁଛି। ତେବେ, ଅରୁଣ ଜେଟଲୀ, ସୁଷମା ସ୍ୱରାଜ ଏବଂ ଅନନ୍ତ କୁମାରଙ୍କ ଦେହାନ୍ତ ପରେ ସଂସଦୀୟ ବୋର୍ଡରେ ଖାଲିଥିବା ପଦବୀ ପୂରଣ ନିମନ୍ତେ ନଡ୍ଡାଙ୍କ ପାଇଁ ଏକ କଠିନ ଆହ୍ୱାନ ରହିଛି। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.