ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସିଗ୍ଧା ରାୟ) – ଭଦ୍ରକ ବସ୍ ସିଣ୍ଡିକେଟ୍ରେ ୩ ରୁ ୪ କୋଟି ଟଙ୍କାର ହେରଫେର ହୋଇଥିବାର କର୍ମକର୍ତ୍ତାଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଏହି ସଂଗଠନରେ ଥିବା ବସ୍ ମାଲିକମାନେ । ଏଥିନେଇ ମାଲିକମାନେ ଜିଲାପାଳଙ୍କ ଦ୍ୱାରସ୍ଥ ହେବା ପରେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ଏକ ମାଜିଷ୍ଟ୍ରେଟୀୟ ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ କାଳରେ ମାଜିଷ୍ଟ୍ରେଟଙ୍କ ସମେତ ଭଦ୍ରକ ଟାଉନ୍ ପୁଲିସ୍ ଓ ଉଭୟ ବାଦୀ ଓ ପ୍ରତିବାଦୀ ମାନେ ଉପସ୍ଥିତ ରହିଥିଲେ । ଏହି ତଦନ୍ତ କାଳରେ ସିଣ୍ଡିକେଟ୍ କାର୍ଯ୍ୟାଳୟର ଆଲମାରୀ ତାଲା ଭଙ୍ଗାଯିବା ସହ ବହୁ କାଗଜପତ୍ର ତନଖି କରାଯାଇ ଜବତ କରାଯାଇଛି । ତେବେ ଏହି ତଦନ୍ତ କାଳରେ ଆୟ-ବ୍ୟୟ ହିସାବ ରଖାଯାଉଥିବା ରେଜିଷ୍ଟର ଗାଏବ ଥିବାର ଦେଖାଯାଇଥିଲା । ଯାହାକୁ ନେଇ ଏହି ମହାଦୁର୍ନୀତିର ଚର୍ଚ୍ଚା ଜୋର ଧରିଛି । ଏହି ବସ୍ ମାଲିକମାନେ ଜିଲାପାଳଙ୍କ ଠାରେ କରିଥିବା ଅଭିଯୋଗ ମୂଳେ ଏହି ବସ୍ ସିଣ୍ଡିକେଟ୍ ଆଜକୁ ୨୩ ବର୍ଷ ଧରି ୧୯୯୭ ମସିହାରୁ କାର୍ଯ୍ୟକାରୀ ହୋଇଆସୁଅଛି । ଏଥିରେ ପ୍ରାୟ ୧୫୦ ଜଣ ସଦସ୍ୟ ଅଛନ୍ତି । ତେବେ ସମସ୍ତ ସଦସ୍ୟମାନଙ୍କ ରୟାଲିଟ୍ ବାବଦ ଅର୍ଥକୁ ଗତ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ହିସାବ କରାନଯିବା ନେଇ ମାଲିକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । ସମ୍ବିଧାନର ନିର୍ଦ୍ଦେଶାବଳୀରେ ଥିବା ନିୟମକୁ ଉଲ୍ଲଂଘନ କରି କେତେଜଣ ହାତଗଣତି ସଭ୍ୟ ଦୀର୍ଘ ୧୩ ବର୍ଷର ଆୟ-ବ୍ୟୟର ହିସାବ ନଦେଇ ପ୍ରାୟ ୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଜମାଖାତାରେ ନରଖି ବ୍ୟକ୍ତିଗତ ଭାବେ ବ୍ୟୟ କରିଆସୁଥିବା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ମାଲିକମାନେ । ସଂଘର ସାଧାରଣ ଅଧିବେଶନରେ ଆୟ-ବ୍ୟୟ ହିସାବ ଉପସ୍ଥାପନ ନକରାଯାଇ ଉକ୍ତ ଅର୍ଥରେ କର୍ମକର୍ତ୍ତାମାନେ ଦେଶ-ବିଦେଶ ଭ୍ରମଣ କରିବା ବିଷୟ ପଦାକୁ ଆସିଛି । ନିୟମ ଅନୁସାରେ କର୍ମକର୍ତ୍ତାମାନେ ୫ ହଜାର ଟଙ୍କା ଖର୍ଚ୍ଚ କରିପାରିବାର କ୍ଷମତା ଥିବାବେଳେ ସେମାନେ ଯେଭଳି ୧୩ ବର୍ଷର କୋଟି କୋଟି ଟଙ୍କାର ଅପବ୍ୟୟ କରିଛନ୍ତି, ତାହା ସଂଗଠନର ସମ୍ବିଧାନ ବିରୋଧୀ ଅଟେ ବୋଲି କୁହାଯାଇଛି । ବିଶେଷକରି ସଂଗଠନର ଅର୍ଥରାଶି ଲକ୍ଷ ଲକ୍ଷ ଟଙ୍କା ହୋଇଥିଲେ ହେଁ ତାହା ଜାତୀୟକରଣ ବ୍ୟାଙ୍କରେ ଜମା ନହୋଇ ବ୍ୟକ୍ତିଗତ ଭାବେ ଗଚ୍ଛିତ ରଖାଯାଇ ବେଆଇନ୍ ଭାବେ ବ୍ୟୟ ହେବା ଫଳରେ ଉକ୍ତ ରାଶିର ସୁଧ ସଂଗଠନକୁ ୧୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଆସୁପାରୁନାହିଁ । ପ୍ରତ୍ୟେକ ବସ୍ରୁ ଦୈନିକ ପ୍ରାୟ ୧୧ ହଜାର ଟଙ୍କା ଆଦାୟ କରାଯାଉଥିଲେ ମଧ୍ୟ ତାର ହିସାବ ସଂପୃକ୍ତ କର୍ମକର୍ତ୍ତାମାନେ ଦେଇନାହାଁନ୍ତି ।
ଗତ ମାର୍ଚ୍ଚ ୨୦୨୦ ରୁ କରୋନା ମହାମାରୀ ପାଇଁ ବସ୍ ଚଳାଚଳ ବନ୍ଦ ରହିଥିବା ବେଳେ ସଂଗଠନ ପକ୍ଷରୁ କୌଣସି ମିଟିଂ କରାଯାଇନାହିଁ । ଏଭଳି ପରିସ୍ଥିତିରେ ସମସ୍ତ ଆର୍ଥିକ ସ୍ଥିତି ଦୋହଲି ଯାଇଥିବାବେଳେ କରୋନା ମହାମାରୀ ପାଇଁ ସାଧାରଣ ଜୀବନ ଯାତ୍ରା ଅସୁରକ୍ଷିତ ହୋଇପଡିଛି । ତେଣୁ କୌଣସି ମାଲିକ ସେମାନଙ୍କ ଠାରୁ ରୟାଲିଟ୍ (ଦୈନିକ ଦେୟ) ଆଦାୟ ନକରିବା ପାଇଁ ଜିଲାପାଳଙ୍କ ଠାରେ ନିବେଦନ କରିଛନ୍ତି । ଇତିମଧ୍ୟରେ ମାର୍ଚ୍ଚ ୨୦୨୦ ରେ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ପୂରିଯାଇଥିବାରୁ ନୂତନ କର୍ମକର୍ତ୍ତା ବାଛିବା ପୂର୍ବରୁ ମାଲିକମାନଙ୍କ ଅନୁରୋଧ କ୍ରମେ ଜିଲାପାଳ ଜ୍ଞାନ ଦାସ ସମସ୍ତ ଘଟଣାକୁ ଉପଲବ୍ôଧ କରି ଏକ ମଧ୍ୟବର୍ତ୍ତୀକାଳୀନ ୬ ଜଣିଆ କମିଟି ଗଠନ ପୂର୍ବକ ଏଥିରେ ସ୍ଥାନ ପାଇଥିବା ତହସିଲଦାରଙ୍କୁ ମାଜିଷ୍ଟ୍ରେଟ୍ ଦାୟିତ୍ୱ ଅର୍ପଣ ପୂର୍ବକ ଏଥିରେ ରହିଥିବା ବସ୍ ସିଣ୍ଡିକେଟ୍ର ଉଭୟ ବାଦୀ ଓ ପ୍ରତିବାଦୀଙ୍କ ଉପସ୍ଥିତିରେ ଆଜି ତଦନ୍ତ ଆରମ୍ଭ କରିଛନ୍ତି । ଭଦ୍ରକ ତହସିଲଦାର ମାଜିଷ୍ଟ୍ରେଟ୍ଙ୍କ ଦାୟିତ୍ୱ ତୁଲାଇଥିବାବେଳେ ଭଦ୍ରକ ଟାଉନ୍ ପୁଲିସ୍ ମଧ୍ୟ ଉପସ୍ଥିତ ଥିଲା । ସିଣ୍ଡିକେଟ୍ କାର୍ଯ୍ୟାଳୟରେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ କାର୍ଯ୍ୟାଳୟରେ ଥିବା ଆଲମିରାର ତାଲା ଭାଙ୍ଗି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ ଅନେକ ଫାଇଲ୍ ମଧ୍ୟ ଜବତ କରିଛନ୍ତି । ଜବତ କାଳରେ ମାଲିକମାନେ କରିଥିବା ଅଭିଯୋଗ ଅନୁଯାୟୀ ପ୍ରତିବର୍ଷ ଆୟ-ବ୍ୟୟର ହିସାବ ସଂପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ ରେଜିଷ୍ଟରକୁ ଅଭିଯୁକ୍ତମାନେ ଜବତ ପୂର୍ବରୁ ଗାଏବ କରିଦେଇଛନ୍ତି । ତେବେ ଏହି ଘଟଣାର ଏକ ନିରପେକ୍ଷ ତଦନ୍ତ କରାଗଲେ ନିଶ୍ଚିତ ଭାବେ ଅଭିଯୁକ୍ତମାନେ ଲୋକ ଲୋଚନକୁ ଆସିପାରିବେ ବୋଲି ସେମାନେ ଗଣମାଧ୍ୟମକୁ କହିଛନ୍ତି । ସେହିପରି ବର୍ତ୍ତମାନର ସଂପାଦକ ହେମନ୍ତ କୁମାର ପାଢୀଙ୍କୁ ମାଲିକମାନେ ଯେତେବେଳେ ଆୟ-ବ୍ୟୟର ହିସାବ ସଂପର୍କିତ ଆଲୋଚନା କରନ୍ତି, ସେତେବେଳେ ଶ୍ରୀ ପାଢୀ ମାଲିକମାନଙ୍କୁ ଧମକପୂର୍ଣ୍ଣ ଭାବେ ‘ତୁମ୍ଭମାନଙ୍କର ବସ୍ ପରମିଟ୍ କ୍ୟାନସଲ ୍କରିଦେବି, ମୋ ଭାଇ କମିଶନର ଅଛନ୍ତି’ ଆଦି କହି ଭୟଭୀତ କରିଥାଆନ୍ତି ବୋଲି ମାଲିକମାନେ ଅଭିଯୋଗ କରିଛନ୍ତି । ୧୩ ବର୍ଷ ମଧ୍ୟରେ ବସ୍ ସିଣ୍ଡିକେଟ୍ର ପ୍ରାୟ ୩ ରୁ ୪ କୋଟି ଟଙ୍କାର ଘୋଟାଲା ହୋଇଥିବାରୁ ଏହାର ନିରପେକ୍ଷ ତଦନ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟ ଉନ୍ମୋଚନ ହେବା ସହ ସେମାନଙ୍କର ପ୍ରକୃତ ମୁଖା ଖୋଲିଯିବ ବୋଲି ସିଣ୍ଡିକେଟ୍ର ବରିଷ୍ଠ ସଦସ୍ୟ ଦିଲ୍ଲୀପ ନାୟକ, ତପନ ପରିଡା, ସୋମନାଥ ସାହୁ, ମିର୍ ଅବଦୁଲ ରଫ, ଅଂଜନ ଆରା ବାନୋ, ଶ୍ୟାମସୁନ୍ଦର ନାୟକ, ସେକ୍ ଇସଲାମ ପ୍ରମୁଖ ଗଣମାଧ୍ୟମକୁ କହିଛନ୍ତି ।