ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆବାହନ କାଳରୁ ସାଳନ୍ଦୀ ନଦୀ ବନ୍ତ ବ୍ଲକ୍ର ଆଗରପଡା ଦେଇ ବହି ଯାଇଥିବାବେଳେ ଏହାର ଶାଖା ପ୍ରଶାଖା ନଦୀ ଗୁଡିକ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଜିଲାକୁ ପ୍ରବାହିତ ହୋଇଛି । ଏହି ନଦୀକୂଳରେ ଶତାଧିକ ବେଆଇନ୍ ଇଟାଭାଟି ଚାଲିଛି । ନଦୀପଠାରୁ ମାଟି ଖନନ କରାଯାଇ ଏଥିରେ ବ୍ୟବହୃତ ହେଉଛି । ଯଦ୍ୱାରା ନଦୀ କୂଳ ସବୁ ଖାଇଯାଇଛି । ବର୍ଷାଋତୁ ଆସିଲେ ବର୍ଷା ପ୍ରଭାବରେ ନଦୀ ପାଣି କ୍ରମଶଃ ଫୁଲି ଗ୍ରାମାଭିମୁଖୀ ହେଉଥିବାରୁ ନଦୀ କୂଳିଆ ଗ୍ରାମବାସୀମାନେ ବିପଦ ଆଶଙ୍କାରେ ରହିଛନ୍ତି । ଏହି ନଦୀର ଜଳକୁ କୃଷି କ୍ଷେତ୍ରରେ ବିନିଯୋଗ କରିବା ପାଇଁ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ ସେହି ସମୟରେ ପାଶ୍ୱର୍ବର୍ତ୍ତୀ କେନ୍ଦୁଝର ଜିଲା ହଦଗଡ ଠାରେ ଏକ ଡ୍ୟାମ୍ ପ୍ରତିଷ୍ଠା କରିଥିଲେ । ଏଥିରେ ଜଳ ନିୟନ୍ତ୍ରିତ ହେବା ସହ ଏହି ଜଳକୁ ବିଭିନ୍ନ କେନାଲ ମାଧ୍ୟମରେ ଛଡାଯିବା ଫଳରେ ୩ ଗୋଟି ଜିଲା କୃଷି ଅର୍ଥନୀତି ଉପରେ ବେଶ୍ ପ୍ରଭାବ ପକାଉଥିବାବେଳେ ଏବେ ସାଳନ୍ଦୀ ନଦୀ କୂଳ ଖାଇ ଗ୍ରାମାଭିମୁଖୀ ହେବା ଯୋଗୁଁ ନଦୀକୂଳିଆ ଗ୍ରାମକୁ ବିପଦ ସୃଷ୍ଟି କରୁଛି । ପ୍ରତିବର୍ଷ ବର୍ଷାଦିନରେ ସାଳନ୍ଦୀ ନଦୀରେ ଏହିପରି ମନୁଷ୍ୟକୃତ ବନ୍ୟା ଆସି ନଦୀ ଜଳ ଲୋକଙ୍କର କ୍ଷୟକ୍ଷତି ପହଞ୍ଚାଉଛି । ସୂଚନାଯୋଗ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ୨୦୦୨-୦୩ ଆର୍ଥିକ ବର୍ଷରେ ତତ୍କାଳୀନ କେନ୍ଦ୍ର ଜଳସଂପଦ ମନ୍ତ୍ରୀ ତଥା ପୂର୍ବତନ ଭଦ୍ରକ ସାସଂଦ ଅର୍ଜୁନ ଚରଣ ସେଠୀଙ୍କ ଉଦ୍ୟମ କ୍ରମେ ସାଳନ୍ଦୀ ସଂସ୍କାର ଯୋଜନାରେ ୧୦୨ କୋଟି ଟଙ୍କା ଅନୁଦାନ ମଂଜୁର ହୋଇ ୨୦୦୫-୦୬ ଆର୍ଥିକ ବର୍ଷରେ ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇ କାର୍ୟ୍ୟ କରାଯାଇଥିଲା । ଏହାର ଲକ୍ଷ୍ୟ ଥିଲା ସାଳନ୍ଦୀ ସଂସ୍କାର ଯୋଜନାରେ ପୋତି ହୋଇଯାଇଥିବା ନଦୀଗର୍ଭ ପୁନରୁଦ୍ଧାର ଓ ସାଳନ୍ଦୀ ସଂଯୋଗୀକରଣ କରି ସାଳନ୍ଦୀ ନଦୀକୁ ସୁରକ୍ଷିତ ରଖିବା । ମାତ୍ର ଉକ୍ତ ଯୋଜନା ଅନୁଦାନ ରାଶି ଉପଯୁକ୍ତ ବିନିଯୋଗ ନହେବାରୁ କ୍ରମଶଃ ନଦୀର ଗତିପଥ ବଦଳି ଜନବସତି ଆଡକୁ ମାଡି ଆସୁଛି । ଏ ଅଂଚଳରେ ନଦୀକୂଳରେ ଅବସ୍ଥିତ ପାଟକନା, ମହାନ୍ତିପଡା, ରାଉତରାପୁର, ହଳଦିପହଣି, କାଣ୍ଡବା, ଗୋପୀନାଥପୁର, କୁଆଁଶମଢିଆ, ହରିପୁର, ଘଣ୍ଟଗଡିଆ, ନରାଜପୁର, ବଡମହିଷଗୋଠ, ଟିକିରା, ଚାରିଗାଁ, ଶ୍ରୀରାମପୁର, ଯଶବନ୍ତପୁର, ରାଜନଗର, ମଙ୍ଗଳପୁର, ଅଣିଜୋ, ବିରିଡିହି ଆଦି ଗ୍ରାମବାସୀ ଏନେଇ ଚିନ୍ତା ପ୍ରକଟ କରିଛନ୍ତି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି ।