ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ସଂଗ୍ରାମୀ ଭୂମି ଅବିଭକ୍ତ ବାଲେଶ୍ୱର ଜିଲାର ସାରସ୍ୱତ ସାଧକ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ମିଳିଥିବାରୁ ଆଜି ଭଦ୍ରକ ଜିଲାର କୋଣଅନୁକୋଣରେ ଥିବା ବହୁ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଜସ୍ର କୃତଜ୍ଞତା ଜ୍ଞାପନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ୧୯୧୨ ମସିହାରେ ବାଲେଶ୍ୱରରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀରେ କାନ୍ତକବିଙ୍କର ଏହି କାଳଜୟୀ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ଗାନ କରାଯାଇଥିଲା । ଏବଂ ଉତ୍କଳ ସମ୍ମିଳନୀ ପକ୍ଷରୁ ଏଯାବତ ଉକ୍ତ ସଂଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ପାଇଁ ଦାବି ହୋଇଆସୁଥିଲା । ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ଏ ସଂପର୍କରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ବହୁବାର ସ୍ମାରକପତ୍ର ପ୍ରଦାନ ସହ ଅନୁରୋଧ କରାଯାଇଆସୁଥିଲା । ତେବେ ଯାହା ହେଉନା କାହିଁକି ଆଜି ବହୁ ତର୍କ ବିତର୍କର ଅନ୍ତ ଘଟିଛି । ରାଜ୍ୟ ସରକାର ଏହି କାଳଜୟୀ ସଂଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ଦେଇଛନ୍ତି । ମାତ୍ର ଏହି ଜାତିର ଉତ୍ତର ଦାୟାଦଙ୍କୁ ଏହି ଗୀତର ମହତ୍ତ୍ୱ ବୁଝିବାକୁ ଦୀର୍ଘ ୧୦୮ ବର୍ଷ ଲାଗିଗଲା ବୋଲି ବହୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଏଠାରେ ସୂଚନାଯୋଗ୍ୟ କବିଙ୍କର ଜନ୍ମ ୧୮୮୮ ମସିହା ଡିସେମ୍ବର ୯ତାରିଖ ମାର୍ଗଶୀର ମାସ ମାଣବସା ଗୁରୁବାର ଦିନ ଭଦ୍ରକର ଅନ୍ୟତମ ପୁରାତନ ଓକିଲ ଭାଗବତ ପ୍ରସାଦ ମହାପାତ୍ର ଏବଂ ମାତା ରାଧାମଣି ଦେବୀଙ୍କ ଗର୍ଭରୁ ଭୂମିଷ୍ଠ ହୋଇ ସେ ଭଦ୍ରକ ଜିଲାର ଅନାମଧେୟ ଗ୍ରାମ ତାଳପଦାର ନାମ ଉଜ୍ଜ୍ୱଳ କରିଥିଲେ । ତାଙ୍କର ଲେଖନୀ ସାହିତ୍ୟର ସମସ୍ତ ଦିଗକୁ ସ୍ପର୍ଶ କରିଛି । ତାଙ୍କ ଜୀବନ ଅରଣ୍ୟ ଏକାଧାରରେ କବିତା, ସଂଗୀତ, ଗଳ୍ପ, ଉପନ୍ୟାସ, ନାଟକ, ପ୍ରବନ୍ଧ ଓ ଶିଶୁ ସାହିତ୍ୟଭଳି ଫଳ-ପୁଷ୍ପରେ ଭରପୁର ଥିଲା । ୧୯୨୧ ମସିହାରେ ନିଜର କୁଳଦେବତା ଗୋପୀନାଥଙ୍କ ନାମାନୁସାରେ ସେ “ଗୋପୀନାଥ ସଂଗୀତ ସମାଜ” ଗଢ଼ି ଶରଦ୍ରାସ, ବସନ୍ତବିଳାସ, ବ୍ରଜବର୍ଜନ ଭଳି ସଂଗୀତ ଭକ୍ତିଭାବର ନାଟକ ନାଟିକା ରଚନା କରିବା ସହ କର୍ମ କଳାପାହାଡ଼, ଲକ୍ଷ୍ମୀଚଣ୍ଡାଳୁଣୀ, ଚନ୍ଦ୍ରହାସଭଳି ପୌରାଣିକ ଓ ଐତିହାସିକ ନାଟକ ମଧ୍ୟ ଲେଖିଛନ୍ତି ।
ତାଙ୍କ ରଚିତ ଉଦ୍ବୋଧନୀ ସଂଗୀତ “ବନ୍ଦେ ଉତ୍କଳ ଜନନୀ” ଆଜି ଏକ ଜନପ୍ରିୟ ସଂଗୀତ ଭାବେ ସର୍ବଜନ ବିଦିତ । ବ୍ୟାସକବି ଫକୀରମୋହନଙ୍କ ପରେ କାନ୍ତକବି ପଞ୍ଚାମୃତ, ହନୁମନ୍ତ ବସ୍ତ୍ରହରଣ, ଅଫିମଲୀଳା ଭଳି ବହୁ ବ୍ୟଙ୍ଗ ନାଟକ, ଲାଳିକା ଓ ଚଟକ ଚନ୍ଦ୍ରହାସ ଚମ୍ପୁ, ପଣ୍ଡିତଙ୍କ ପ୍ରେମଭଳି ବହୁ ହାସ୍ୟ ଗଳ୍ପ, ବୁଢ଼ାଶଙ୍ଖାରି ଭଳି ମାର୍ମିକ ଗଳ୍ପ, ଚିଡ଼ିଆଖାନା, ପିଲାଙ୍କ କଥା, ପାଠମାଳା ଆଦି ଶିଶୁସାହିତ୍ୟ, କଣାମାମୁଁ ଭଳି ଏକମାତ୍ର ଦୁର୍ଲଭ ଉପନ୍ୟାସ ବ୍ୟତୀତ ଚିନ୍ତା ଚେତନା ଓ ନିର୍ଭୀକ ସାହିତ୍ୟ ପତ୍ରିକା ‘ଡଗର’ ମାଧ୍ୟମରେ ସମାଜରୁ ଅନ୍ଧବିଶ୍ୱାସ, କୁସଂସ୍କାର ଦୂର କରି ନାରୀ ଜାଗରଣ, କୃଷି ଓ କୁଟୀରଶିଳ୍ପର ବିକାଶଭଳି ସମାଜର ଅର୍ଥନୈତିକ ଅଭିବୃଦ୍ଧି ଦିଗରେ ପ୍ରୟାସ କରିଥିଲେ । ତାଙ୍କର ମହନୀୟ କବିତା ଗ୍ରନ୍ଥ ‘ଜୀବନ ସଂଗୀତ’ ତାଙ୍କ କବି ଜୀବନର ଏକ ମନୋଜ୍ଞ ଆଲେଖ୍ୟ । ସେ ଯେଭଳି ଲେଖନୀ ଚାଳନା କରୁଥିଲେ ସେମିତି ସୁନ୍ଦର ଅଭିନୟ ଓ ସୁରସାଧନା ମଧ୍ୟ କରୁଥିଲେ । ଏଠାରେ ସ୍ମରଣଯୋଗ୍ୟ ଯେ, ରାଜ୍ୟର ଜନାଦୃତ ‘ବନ୍ଦେ ଉତ୍କଳ ଜନନୀ’ ଭଳି ଜାତୀୟ ସଙ୍ଗୀତରୁ ଆରମ୍ଭ କରି ‘ବୁଢ଼ାଶଙ୍ଖାରି’ ପୁଣି ‘କଣାମାମୁଁ’ ରୁ ‘ଜୀବନ ସଙ୍ଗୀତ’, ପିଲାଙ୍କ ‘ଚିଡ଼ିଆଖାନା’ ଭଳି ଓଡ଼ିଆ ସାହିତ୍ୟରେ ଚହଳ ସୃଷ୍ଟିକାରୀ ଲେଖାର ସ୍ରଷ୍ଟା ଭଦ୍ରକ ଜିଲାର ତିହିଡ଼ି ବ୍ଲକର ତାଳପଦା ମାଟିର କୃତୀ ସନ୍ତାନ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର କେବଳ ଯେ, କବିତା ରଚନା କ୍ଷେତ୍ରରେ ନିଜକୁ ସୀମିତ ରଖିନଥିଲେ । ବରଂ, ସଙ୍ଗୀତ, ବ୍ୟଙ୍ଗ, ଗଳ୍ପ ରମ୍ୟରଚନା, ଉପନ୍ୟାସ ଓ ଶିଶୁ ସାହିତ୍ୟ ଆଦି କ୍ଷେତ୍ରରେ କଲମ ଚାଳନା କରି ଅନେକ ଯଶ ଓ ଖ୍ୟାତିର ଅଧିକାରୀ ମଧ୍ୟ ହୋଇପାରିଛନ୍ତି । ତେବେ ଏଭଳି ଜଣେ ଯୋଗଜନ୍ମାଙ୍କ ସମ୍ମାନ ଓ ସ୍ୱାଭିମାନଙ୍କୁ ଆଜି ସଠିକ୍ ଭାବେ ମୂଲ୍ୟାୟନ କରାଯାଇନାହିଁ ।