ଭଦ୍ରକ, ୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରବାସୀ ଓଡ଼ିଆଙ୍କ ଦୁଃଖ କହିଲେ ନସରେ । ନିଜ ଖର୍ଚ୍ଚରେ ଘର ବାହୁଡା ହୋଇଥିଲେ ମଧ୍ୟ ସେମାନଙ୍କୁ ମିଳୁନି ସୁବିଧା । କିଏ ବସ୍ରେ ଆସୁଛି ତ କିଏ ଟ୍ରେନ୍ରେ ଆସୁଛି । ଯିଏ ଗାଡି ନପାଇଲା ଶହ ଶହ କିଲୋମିଟର ରାସ୍ତାରେ ଚାଲିଲା । ପୁରୁଷ ଓ ଯୁବକ ସିନା ଏହି ରାସ୍ତା ଅତିକ୍ରମ କରିଯିବେ । କିନ୍ତୁ ମହିଳା ଓ ଶିଶୁ କେମିତି କଷ୍ଟ ପାଉଛନ୍ତି, ତାହା ନ ଦେଖିଲେ ଅନୁଭବ କରିହେବ ନାହିଁ । ଆଜି ଛତିଶଗଡ ଓ ଖଡଗପୁର ଅଂଚଳରୁ ଚାନ୍ଦବାଲି ଅଂଚଳକୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ଦୁଃଖ ଦେଖି ସହି ହେଉନଥାଏ । ନିଜ ଗାଁ ନିକଟରେ ଏହି ପଥଚାରୀଙ୍କୁ ରଖାଇ ଦେଉନଥାନ୍ତି ରାସ୍ତା ପାଖ ଗାଁ ଲୋକେ । ଆମ ପ୍ରତିନିଧି ଏମାନଙ୍କୁ ଦେଖି ପାଉଁରୁଟି ଓ ପାଣି ପ୍ରଦାନ କରିଥିଲେ । ଏପରିକି ସେହି ଗାଁ ଲୋକଙ୍କୁ ନିବେଦନ କରିଥିଲେ ଯଦି ତୁମ ବାପା, ମାଆ ପୁଅ କି ପୁତୁରା ହୋଇଥାନ୍ତେ, ତୁମେ କ’ଣ ଏଭଳି ବ୍ୟବହାର କରିଥାଆନ୍ତା । ସାଇକେଲ ପଛପଟେ ବେଡିଂ ବନ୍ଧାଯାଇଛି । ଏହି ବେଡିଂ ଉପରେ କୁନି ଶିଶୁକୁ ଶୁଆଇ ଦେଇ ବାପା ସାଇକେଲ୍ ଗଡାଉଥିବା ବେଳେ ପତ୍ନୀ ପଛପଟୁ ନିଜ ସନ୍ତାନ ଉପରେ ହାତ ପକାଇ ସାଇକେଲକୁ ପେଲୁଛି । ଭୋକ ବିକଳରେ କାନ୍ଦି କାନ୍ଦି କୁନି ଶିଶୁଟି ବାପାର ବେଡିଂ ଉପରେ ଶୋଇଯାଉଛି । ଏକଥା ଗପ ନୁହଁ କି କାହାଣୀ ନୁହେଁ, ଜାତୀୟ ଓ ରାଜ୍ୟ ରାଜପଥ ଉପରେ ଚାଲୁଥିବା ଦାଦନଙ୍କର ଅକୁହା ଦୃଶ୍ୟ । କୌଣସି ମତେ ସୀମା ପାରି ହୋଇଯିବା ପରେ ହାତରେ ଷ୍ଟାମ୍ପ ଲଗାଇ ଘରକୁ ଫେରୁଛନ୍ତି । ରାତିଦିନ ଏକ କରି ଦେଇଛନ୍ତି ଏହି ପ୍ରବାସୀ । ଧୁ ଧୁ ଖରାବେଳେ ଯୁବକମାନେ ରାଜପଥ ଉପରେ ଚାଲୁଥିବା ବେଳେ ସାଂସାରିକ ଲୋକେ ଖରାବେଳେ ନଚାଲି ସକାଳୁ ଦିନ ୧୦ ଟା ଯାଏ ଓ ଖରା ଗଡିଲେ ରାତି ୭ଟା ଯାଏ ଚାଲି ବିଶ୍ରାମ ନେଉଛନ୍ତି । ବିଶ୍ରାମ ନେବାପାଇଁ ମଧ୍ୟ ଜାଗା ମିଳୁନି । ଯାହା ଦୋକାନ କିମ୍ବା ଘର ବାରଣ୍ଡାରେ ଏମାନେ ଆଶ୍ରୟ ନେବାକୁ ଯାଉଛନ୍ତି, କରୋନା ରୋଗ ଭୟରେ ସେମାନଙ୍କୁ ଅଛୁଆଁ କରି ଦୂର ଦୂର ଖିନ୍ ଖିନ୍ ବ୍ୟବହାର କରାଯାଉଛି । କାହାର ବା ହେବେ ଏମାନେ । ଟ୍ରେନ୍ ଓ ବସ୍ରେ ଆସିଲେ ପ୍ରଶାସନ ସେମାନଙ୍କୁ ଗାଡିମୋଟର ପଠାଇ କ୍ୱାରେନଟାଇନ୍ ସେଣ୍ଟର ପର୍ଯ୍ୟନ୍ତ ଆଣୁଛି । କିନ୍ତୁ ଚାଲି ଚାଲି ଆସୁଥିବା ଏହି ପ୍ରବାସୀଙ୍କ ଦୁଃଖ କହିଲେ ସରୁନି । ଭୋକକୁ ଏମାନେ ଏକ ପ୍ରକାର ଭୁଲି ଗଲେଣି । ଦାଦନଙ୍କ ଆଖିର ଲୁହ ଶୁଖି ନଥିବାବେଳେ କେବଳ ଗୋଟିଏ ଚିନ୍ତା ଘରେ କେମିତି ପହଞ୍ôଚବୁ ।