ଭୁବନେଶ୍ୱର ୧୪-୫ (ଓଡ଼ିଆ ପୁଅ) କୋଭିଭ୍ ମହାମାରୀ ସମୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ଆତ୍ମନିର୍ଭର ଭାରତ ରିଲିଫ୍ ପ୍ୟାକେଜ୍ ଅତିକ୍ଷୁଦ୍ର, କ୍ଷୁଦ୍ର ଓ ମଧ୍ୟମଧରଣର ଶିଳ୍ପସଂସ୍ଥା ପାଇଁ ବେଶ୍ ସହାୟକ ହେବ ବୋଲି ଅର୍ଥନୀତି ବିଶାରଦମାନେ ମତବ୍ୟକ୍ତ କରିଛନ୍ତି। ତେବେ ସରକାର ଏଥିପାଇଁ ଅର୍ଥ କୁଆଡୁ ଆଣିବେ ବୋଲି ମଧ୍ୟ ସେମାନେ ପ୍ରଶ୍ନ କରିଛନ୍ତି। ରାଜ୍ୟର ଜଣାଶୁଣା ଚାଟାର୍ଡ ଆକାଉଟାଂଟ୍ ତଥା ଅର୍ଥନୀତି ସମୀକ୍ଷକ ରମେଶ କୁମାର କେଜରିୱାଲ୍ କହିଛନ୍ତି, ମୋଟ୍ ଘରୋଇ ଉତ୍ପାଦ(ଜିଡିପି)ର ୧୦%କୁ ନେଇ ଏହି ପ୍ୟାକେଜ୍ ଆମ ଦେଶପାଇଁ ସର୍ବପ୍ରଥମ ଓ ଐତିହାସିକ, ଯାହାଫଳରେ ବେତନଭୋଗୀ, କୃଷକ, ଶ୍ରମିକ, ପ୍ରବାସୀ ଶ୍ରମିକ, କ୍ଷୁଦ୍ର ଦୋକାନୀଙ୍କ ସମେତ ପ୍ରତ୍ୟେକ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିବେଶଷ ଲାଭାନ୍ୱିତ ହେବେ। ତେବେ ଏତେ ପରିମାଣର ଅର୍ଥ କେଉଁଠୁ ଆସିବ, ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇନାହାନ୍ତି। ବର୍ତମାନ ସମୟରେ ରାଜସ୍ୱ ଆଦାୟ ମାନ୍ଦାଥିବାରୁ ଏହି ସମୟରେ ଏତେବଡ ପାଣ୍ଠି ଯୋଗାଡ କରିବା କଷ୍ଟକର ବ୍ୟାପାର ହୋଇପାରେ। ତେଣୁ ଏହା କେବଳ କଥାରେ ଓ ସରକାରୀ କାଗଜକଲମରେ ସିମୀତ ରହିପାରେ ବୋଲି ମଧ୍ୟ ସେ ଆଶଙ୍କାବ୍ୟକ୍ତ କରିଛନ୍ତି। ତେବେ ସରକାର ପାଣ୍ଠି ଯୋଗାଡ କରିବା ପାଇଁ ଟିକସ ଆଦାୟକୁ କଡାକଡି କରିପାରନ୍ତି। ବିଭାଗୀୟ ଅଧିକାରୀଙ୍କ ଉପରେ ଚାପ ପକାଇ ସେମାନଙ୍କୁ ନିର୍ଦ୍ଧିରିତ ପରିମାଣର ଟିକସ ଆଦାୟ କରିବାକୁ ଟାର୍ଗେଟ୍ ଦେଇପାରନ୍ତି। ଏହାଫଳରେ ଟିକସ ଅଧିକାରୀମାନେ ଉଦ୍ଦେଶ୍ୟମୂଳକଭାବେ ନୋଟିସ୍ ଜାରି କରିବା, ଯାଂଚ୍ କରିବା ଓ ରେଡ୍ ଆଦି କରି ଅଧିକ ଅର୍ଥ ଆଦାୟ ପାଇଁ ଉଦ୍ୟମ କରିବାର ଆଶଙ୍କା ରହିଛି। ଯାହା ବ୍ୟବସାୟିକ ଓ ଶିଳ୍ପସଂସ୍ଥାଗୁଡିକର ବିକାଶରେ ବାଧକ ହେବ। ପୁଣି ସରକାର ଜିନିଷଗୁଡିକରେ ଟିକସ ବଢାଇଲେ ଏହା ମୁଦ୍ରାସ୍ଫିତିକୁ ପ୍ରଭାବିତ କରିବା ସହିତ ଲୋକଙ୍କ ଉପରେ ଆର୍ଥିକ ବୋଝ ସୃଷ୍ଟି କରିବ ବୋଲି ଶ୍ରୀ କେଜରିୱାଲ୍ ମତ ଦେଇଛନ୍ତି। ସ୍ୱଦେଶୀ ଉତ୍ପାଦ ଓ ସେବା ଉପଭୋଗ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ସେ ସ୍ୱାଗତ କରିଛନ୍ତି। ତେବେ ଭୁଷୁଡିପଡିଥିବା ଅର୍ଥନୀତିକୁ ସୁଧାରିବା ଓ ଭାରତର ଅର୍ଥନୈତିକ ବିକାଶ ପାଇଁ ୫ଟି ସ୍ତମ୍ଭ ଯଥା – ଅର୍ଥନୀତି, ଭିତିଭୂମି, ବୈଷୟିକ ବ୍ୟବସ୍ଥା, ଜନସଂଖ୍ୟା ଓ ଚାହିଦା ଆଦି ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତ ଦେଇଛନ୍ତି।
Home ଓଡ଼ିଶା ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପ୍ୟାକେଜ୍ ଉପରେ ଅର୍ଥନୀତି ସମୀକ୍ଷକଙ୍କ ପ୍ରତିକ୍ରିୟା -ପଦକ୍ଷେପ ସ୍ୱାଗତଯୋଗ୍ୟ, କିନ୍ତୁ ପାଣ୍ଠି ଆସିବ...