ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାରେ କରୋନାର ଦୃତ ସଂକ୍ରମଣକୁ ଲକ୍ଷ୍ୟ ରଖି ଜିଲ୍ଲାପାଳ ଡ- ଜ୍ଞାନ ଦାସ ଜିଲ୍ଲାର ସମସ୍ତ ପୌରପାଳିକା, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ବ୍ଲକର ସଦର ମହକୁମା ସହର ବଜାରକୁ ଲକ୍ ଡାଉନ ଘୋଷଣା କରିଛନ୍ତି। ପୂର୍ବରୁ ଭଦ୍ରକ ପୌରପାଳିକା ଓ ଧାମନଗର ବିଜ୍ଞାପିତ ଅଞ୍ଚଳକୁ ଲକ୍ଡାଉନ ଘୋଷଣା କରାଯାଇଥିଲା। ଆଜି ବାସୁଦେବପୁର ପୌରପାଳିକା, ଚାନ୍ଦବାଲି ଏନ୍ଏସି, ବନ୍ତ ବ୍ଲକର ସଦର ମହକୁମା ବନ୍ତ ବଜାର, ତିହିଡି ବ୍ଲକର ସଦର ମହକୁମା ତିହିଡି ବଜାର ଓ ଭଣ୍ଡାରିପୋଖରୀ ବ୍ଲକ ସଦର ମହକୁମା ଭଣ୍ଡାରିପୋଖରୀ ବଜାରକୁ ଲକ୍ଡାଉନ ଘୋଷଣା କରାଯାଇଛି। ଏହି କଟକଣା ଜୁଲାଇ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ଲକ୍ଡାଉନ ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଯଥା, ଗ୍ରୋସରୀ, ପରିବା, କ୍ଷୀର, କ୍ଷୀର ଜାତୀୟ ଦ୍ରବ୍ୟ, ମାଛ, ମାଂସ, ଅଣ୍ଡା ପ୍ରଭୃତି ଦୋକାନ ସକାଳ ୫ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ଖୋଲା ରହିବ। ଏହି ସମୟରେ ହୋମ୍ ଡେଲିଭରି ଜାରି ରହିବ। ଖାଦ୍ୟ, କ୍ଷୀର, ଗ୍ରୋସରୀ, ପରିବା ଆଦି ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ହୋମ ଡେଲିଭରି କରାଯାଇ ପାରିବ। ଏହା ବ୍ୟତୀତ ମଦ ମଧ୍ୟ ହୋମ୍ ଡେଲିଭରି ହେବ। ଡେଲିଭରି ବୟ ନିଜର ପରିଚୟପତ୍ର ଦେଖାଇ ସନ୍ଧ୍ୟା ୭ ମଧ୍ୟରେ ମଦ ଡେଲିଭରି କରିପାରିବେ। ତେବେ ଡେଲିଭରି ବୟ କାଶ, ଛିଙ୍କ, ଜ୍ୱର ଆଦି ରୋଗମୁକ୍ତ ହୋଇଥିବା ନିଶ୍ଚିତ ବୋଲି ଜିଲ୍ଲାପାଳ ଡ- ଦାସ ଟୁଇଟ କରି ଅବଗତ କରାଇଛନ୍ତି। ଦିନ ୨ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସମସ୍ତ ଲକ୍ଡାଉନ ଅଞ୍ଚଳରେ ଚଳପ୍ରଚଳକୁ ନିଷିଦ୍ଧ କରାଯାଇଛି। କେବଳ ଔଷଧ ଦୋକାନ ରାତି ୧୦ ଟା ପର୍ଯ୍ୟନ୍ତ ଖୋଲା ରହିବ।
ଲୋକେ ମେଡିକାଲ ଜରୁରୀ ବ୍ୟତୀତ ଅନ୍ୟ କୌଣସି ଜରୁରୀ କାର୍ଯ୍ୟରେ ବାହାରକୁ ବାହାରିଲେ ସେଥିଲାଗି ଆବଶ୍ୟକୀୟ କାଗଜପତ୍ର ଦେଖାଇବାକୁ ବାଧ୍ୟ ହେବେ। ଏହା ଛଡା ବିନା କାରଣରେ ବୁଲୁଥିଲେ ବାଇକ ଚାଳକଙ୍କ ଠାରୁ ୧ ହଜାର ଓ ୪ ଚିକଆ ଠାରୁ ୨ ହଜାର ଟଙ୍କା ଜରିମାନା ବାବଦରେ ଆଦାୟ କରାଯିବ। ଜିଲ୍ଲାରେ ଆଉ ଜଣେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୪ରେ ପହଞ୍ଚିଛି। ସେ ଲୋକାଲ କଣ୍ଟାକ୍ଟ ବୋଲି ଜଣା ପଡିଛି। ଭଦ୍ରକ ବ୍ଲକ କୋରକୋରା ପଞ୍ଚାୟତର ଏହି ଆକ୍ରାନ୍ତ। ତେବେ ଏହି ସମୟ ମଧ୍ୟରେ ୮ଜଣ କରୋନା ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇଛନ୍ତି। ଫଳରେ ସୁସ୍ଥଙ୍କ ସଂଖ୍ୟା ୩୧୩ରେ ପହଞ୍ଚିଛି। ଏବେ ଆକ୍ଟିଭ ସଂଖ୍ୟା ୮୦ରେ ରହିଛି। ଜିଲ୍ଲାପାଳ କୋରକୋରା ଗ୍ରାମ ଓ ବିଲାବାଡି ଗ୍ରାମକୁ କଣ୍ଟେନମେଣ୍ଟଜୋନ ଓ କୋରକୋରା ପଞ୍ଚାୟତକୁ ବଫରଜୋନ ଘୋଷଣା କରିଛନ୍ତି। କୋରକୋରା ଲ କଲେଜ ଛକଠାରୁ ହୋମିଓପ୍ୟାଥି ଛକ, କୋରକୋରା ଛକ ଠାରୁ ବିଲାବାଡି ଶନି ମନ୍ଦିର ଛକ, କୁଳଡିହା ଛକ ଠାରୁ ଶ୍ରୀଧରପୁର ଛକ ଓ ଶ୍ରୀଧରପୁର ଶାସନ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଅଞ୍ଚଳ ଘୋଷଣା ହୋଇଛି। ଏହି ଅଞ୍ଚଳର ୭୧୦ଟି ପରିବାରର ୩୫୦୦ ଲୋକ ପ୍ରଭାବିତ ହେବେ। ତେବେ ଏହି ଲୋକମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ଜିଲ୍ଳା ଯୋଗାଣ ବିଭାଗ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣର ବନ୍ଦୋବସ୍ତ କରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ, ପୌରପାଳିକା ପକ୍ଷରୁ ଏ ସମ୍ପର୍କରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଇ ଜନସାଧାରଣଙ୍କୁ ଅବଗତ କରାଯାଉଛି। ସେହିଭଳି ଆଜି ଠାରୁ ବାସୁଦେବପୁର ବ୍ଳକର ମଲ୍ଲିକାଦେଇପୁର ଗ୍ରାମରୁ କଣ୍ଟେନମେଣ୍ଟଜୋନ କଟକଣା ଓ ନାଇକାଣିଡହି ପଞ୍ଚାୟତରୁ ବଫରଜୋନ କଟକଣାକୁ ପ୍ରତ୍ୟାହାର କରାଯାଇଛି।