ଲକ୍ଷ୍ନୌ ୨୭-୩ (ଓଡ଼ିଆ ପୁଅ) ଦୀର୍ଘ ଦିନ ଧରି ଅସୁସ୍ଥ ହେବା ପରେ ବରିଷ୍ଠ ସମାଜବାଦୀ ପାର୍ଟିର ନେତା ତଥା ରାଜ୍ୟସଭା ସାଂସଦ ବେନି ପ୍ରସାଦ ବର୍ମାଙ୍କର ଶୁକ୍ରବାରଦିନ ୭୯ ବର୍ଷ ବୟସରେ ନିଧନ ହୋଇଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବେନି ପ୍ରସାଦ ବର୍ମା ଲକ୍ଷ୍ନୌର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।
ସମାଜବାଦୀ ପାର୍ଟିର ଜାତୀୟ ସଭାପତି ଅଖିଳେଶ ଯାଦବ ଟୁଇଟ୍ କରି ବେନି ପ୍ରସାଦ ବର୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
୫ ଥର ଲୋକସଭା ସାଂସଦ ବେନି ପ୍ରସାଦ ବର୍ମା ଉତ୍ତରପ୍ରଦେଶ ରାଜନୀତିର ଏକ ବଡ଼ ଚେହେରା ଥିଲେ। ରାଜ୍ୟରେ ସମାଜବାଦୀ ପାର୍ଟି ସରକାରରେ ସେ ବହୁ ବର୍ଷ ଧରି ଲୋକନିର୍ମାଣ ବିଭାଗର ମନ୍ତ୍ରୀ ଥିଲେ। ୨୦୦୭ ମସିହାରେ ସେ ଇସ୍ତଫା ଦେଇ ନିଜର ଦଳ ଗଠନ କରିଥିଲେ। ଏହା ପରେ ସେ ୨୦୦୯ ରେ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ୨୦୦୯ ଲୋକସଭା ନିର୍ବାଚନରେ ଗୋଣ୍ଡାରୁ ସାଂସଦ ହୋଇଥିଲେ ଏବଂ ୟୁପିଏ-୨ ସରକାରରେ ସେ ଇସ୍ପାତ ମନ୍ତ୍ରୀ ମଧ୍ୟ ହୋଇଥିଲେ। ୨୦୧୬ ରେ, ସେ ପୁଣି ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ।