Home ଓଡ଼ିଶା ବୌଦ୍ଧିକ ସମ୍ପଦର ସୁରକ୍ଷା ପାଇଁ ୱେବସାଇଟ ଓ ମୋବାଇଲ ଆପ୍ ର ଶୁଭାରମ୍ଭ – –...

ବୌଦ୍ଧିକ ସମ୍ପଦର ସୁରକ୍ଷା ପାଇଁ ୱେବସାଇଟ ଓ ମୋବାଇଲ ଆପ୍ ର ଶୁଭାରମ୍ଭ – – ଷ୍ଟାର୍ଟଅପ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ହେବ ଉପଯୋଗୀ

232

ନୂଆ ଦିଲ୍ଲୀ ୧୫-୧୦ (ଓଡ଼ିଆ ପୁଅ) ଶିଳ୍ପ ପ୍ରୋତ୍ସାହନ ଓ ଆଭ୍ୟନ୍ତରୀଣ ବାଣିଜ୍ୟ (ଡିପିଆଇଆଇଟି) ବିଭାଗ ସଚିବ ଗୁରୁପ୍ରସାଦ ମହାପାତ୍ର ନୂଆଦିଲ୍ଲୀଠାରେ ବୌଦ୍ଧିକ ସମ୍ପଦ ଅଧିକାର (ଆଇପିଆର) ପାଇଁ ଏକ ୱେବସାଇଟ ଓ ମୋବାଇଲ ଆପ୍ଲିକେସନ (ଆପଣଙ୍କ ନବୋନ୍ମେଷର ସୁରକ୍ଷା, ନିରପତା ଓ ସମ୍ପ୍ରସାରଣ ଶିକ୍ଷା)ର ଶୁଭାରମ୍ଭ କରିଛନ୍ତି। ଆଇପିଆରର ପ୍ରସାରଣ ଓ ପରିଚାଳନା ପାଇଁ କ୍ୱାଲକମ ଓ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ସହିତ ମିଶି ସେଲ ମିଳିତ ଭାବେ ଏହି ୱେବସାଇଟ ଓ ଆପ୍ ର ନିର୍ମାଣ କରିଛି।

ଏହି ଅବସରରେ ଡିପିଆଇଆଇଟିର ସଚିବ କହିଛନ୍ତି, “ଏହା ବିଭାଗ ଦ୍ୱାରା ଗ୍ରହଣ କରାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ। ଭାରତ ଓ ଏହାର ଅର୍ଥନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ଷ୍ଟାର୍ଟଅପ ଉଦ୍ୟୋଗ ଲାଗି ଏହି ୱେବସାଇଟ ଓ ଆପ୍ ଅତ୍ୟନ୍ତ ଉପଯୋଗୀ ହୋଇପାରିବ। ସାଧାରଣତଃ ଷ୍ଟାର୍ଟଅପ ଗୁଡ଼ିକ ନିବେଶ ଓ ସାହସିକ ପଦକ୍ଷେପ ନେବା ପ୍ରତି ସଚେତନ ଥିଲାବେଳେ ସେମାନଙ୍କର ଆଇନଗତ ଜ୍ଞାନର ଅଭାବ ରହୁଛି। ଦେଶ ସମ୍ପ୍ରତି ଚତୁର୍ଥ ଶିଳ୍ପ ବିପ୍ଳବର ଦ୍ୱାରଦେଶରେ ଥିବାରୁ ପ୍ରଯୁକ୍ତି ଓ ଆଇନଗତ ଜ୍ଞାନ ମଧ୍ୟରେ ଦୂରତା ବୃଦ୍ଧି ପାଉଛି। ଏହାକୁ ଦୂର କରିବା ପାଇଁ ସ୍ୱତନ୍ତ୍ର ୱେବସାଇଟ ଓ ଆପ୍ ର ଭୂମିକା ଗୁରୁତ୍ୱପୂର୍ଣ୍ଣ।”

ନିଜର ମାଲିକାନା ସମ୍ବନ୍ଧରେ ବୁଝିବା ଓ ଏହାର ସୁରକ୍ଷା କରିବା, ବୌଦ୍ଧିକ ସମ୍ପଦକୁ ବ୍ୟବସାୟିକ ମଡେଲ ସହିତ ସମନ୍ୱିତ କରିବା ତଥା ଗବେଷଣା ଓ ବିକାଶର ମୂଲ୍ୟ ବୃଦ୍ଧି କରିବା ଲାଗି ଏହି ଇ-ଲର୍ଣ୍ଣିଂ ପ୍ଲାଟଫର୍ମ ମଡ୍ୟୁଲ ଯୁବବର୍ଗ, ନବୋନ୍ମେଷୀ, ଉଦ୍ୟୋଗୀ ଏବଂ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ସହାୟକ ହେବ। ଏଲଟୁ ପ୍ରୋକୁ ଜର୍ମାନୀ, ଇଂଲଣ୍ଡ, ଇଟାଲୀ ଓ ଫ୍ରାନ୍ସରେ ସଫଳତାର ସହିତ ପ୍ରୟୋଗ କରାଯାଇଛି ଏବଂ ଏହାଦ୍ୱାରା ବୌଦ୍ଧିକ ସମ୍ପଦ ସଂଗଠନ ଓ ସାର୍ବଜନୀନ ଗବେଷଣା ଅନୁଷ୍ଠାନଗୁଡ଼ିକ ବିଶେଷ ଭାବେ ଲାଭବାନ ହୋଇଛନ୍ତି। ଷ୍ଟାର୍ଟଅପ୍ସ ଗୁଡ଼ିକର ମୂଳଦୁଆକୁ ସୁରକ୍ଷିତ, ସୁଗମ ଓ ବ୍ୟବସାୟିକ କରିବା ପାଇଁ ଏହି ଲର୍ଣ୍ଣିଂ ଆପ୍ କୁ ଭାରତ ପାଇଁ ପ୍ରସ୍ତୁତ କରାଯାଇଛି।

ପ୍ରାରମ୍ଭିକ, ମଧ୍ୟମ ଓ ଉନ୍ନତ ଆଦି ତିନୋଟି ସ୍ତର ପାଇଁ ଏଲଟୁପ୍ରୋ ଇଣ୍ଡିଆ ଇ-ଲର୍ଣ୍ଣିଂ ପ୍ଲାଟଫର୍ମର ୧୧ଟି ମଡ୍ୟୁଲ ରହିବ। ବିଷୟବସ୍ତୁ ବୁଝିବା ପାଇଁ ପ୍ରତ୍ୟେକ ମଡ୍ୟୁଲରେ ଇ-ଟେକ୍ସଟ, ଛୋଟ ଆନିମେଟେଡ ଭିଡିଓ, ଅତିରିକ୍ତ ଉତ୍ସ ସହିତ ବିଷୟ ସମ୍ବନ୍ଧୀୟ ଲିଙ୍କ, ଆକଳନ ପାଇଁ ପ୍ରଶ୍ନୋତର ଆଦି ରହିବ। ଡେସ୍କ ଟପ୍, ଲାପଟପ୍, ମୋବାଇଲ ବ୍ରାଉଜର ଓ ମୋବାଇଲ ଆପ୍ଲିକେସନ (ଆଣ୍ଡ୍ରଏଡ ଓ ଆଇଓଏସରେ ଉପଲବ୍ଧ) ମାଧ୍ୟମରେ ଶିକ୍ଷାର୍ଥୀମାନଙ୍କ ପାଇଁ ଏଲଟୁପ୍ରୋ ଆଇପି ଇ-ଲର୍ଣ୍ଣିଂ ପ୍ଲାଟଫର୍ମ ଉପଲବ୍ଧ ହେବ। ଏହି ଇ-ଲର୍ଣ୍ଣିଂ ମଡ୍ୟୁଲକୁ ସଫଳତାର ସହିତ ଶେଷ କରିବା ପରେ ସିଆଇପିଏଏମ-ଡିପିଆଇଆଇଟି, ଏନଏଲୟୁ ଦିଲ୍ଲୀ ଓ କ୍ୱାଲକମ ମାଧ୍ୟମରେ ଶିକ୍ଷାର୍ଥୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ।

ୱେବସାଇଟ ଓ ମୋବାଇଲ ଆପ୍ ର ଶୁଭାରମ୍ଭ ହେବା ଅବସରରେ କ୍ୱାଲକମର କାର୍ଯ୍ୟକାରୀ ଉପ-ସଭାପତି ଆଲେକ୍ସ ରୋଜର୍ସ, ଏନଏଲୟୁ, ଦିଲ୍ଲୀର ଉପ-କୁଳପତି ପ୍ରଫେସର ରଣବୀର ସିଂ ଏବଂ ଡିପିଆଇଆଇଟି ଓ ସିଆଇପିଏଏମର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.