ଭୁବନେଶ୍ୱର:ପ୍ରଶାସିକାରୁ ରାଜନୀତିକୁ ଆସିଥିବା ଅପରାଜିତା ଷଡ଼ଙ୍ଗୀଙ୍କ ପାଇଁ ଏବେ କଣ୍ଟା ହୋଇଛନ୍ତି ଅଭିନୟ ଜଗତରୁ ରାଜନୀତିକୁ ଆସିଥିବା ଅପରାଜିତା ମହାନ୍ତି।ଭୁବନେଶ୍ୱର ଉତ୍ତର ଆସନ ପାଇଁ ଅପରାଜିତା ମହାନ୍ତିଙ୍କୁ ପ୍ରାର୍ଥୀ ଘୋଷଣା କଲା ପରେ ଏବେ ବିଜେପିର ଟେନସନ ବଢିଛି।ବିଜେପିରେ ଆରମ୍ଭ ହୋଇଛି ବିଦ୍ରୋହ।ଦଳର ପୁରୁଣା କର୍ମୀମାନେ ଅପରାଜିତାଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରିବା ସହ ବିଜେପିରୁ ଏକା ସଙ୍ଗରେ ଇସ୍ତଫା ଦେଇଛନ୍ତି।ଅପରାଜିତାଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ଦଳରୁ ୫୦୦ରୁ ଉର୍ଦ୍ଧ୍ଵ କର୍ମୀ ଏକା ସଙ୍ଗରେ ଇସ୍ତଫା ଦେବା ପରେ ବିଜେପି ପାଇଁ ଅଡୁଆ ବଢିଛି।ଭୁବନେଶ୍ୱର ଉତ୍ତର ଆସନ ପାଇଁ ସଙ୍ଗଠନ କାମ କରୁଥିବା ଜିଜ୍ଞାସୁ ପଣ୍ଡାଙ୍କ ବଦଳରେ ଅପରାଜିତା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିବାରୁ ବିଜେପି ଛାଡ଼ିଛନ୍ତି ୫୦୦ରୁ ଅଧିକ କର୍ମୀ।ଜିଜ୍ଞାସୁଙ୍କୁ ପ୍ରାର୍ଥୀ କରିବାକୁ ବିଜେପିର ମଙ୍ଗୁଆଳ ନେତା ମାନଙ୍କୁ କର୍ମୀମାନେ ଭେଟିଥିଲେ ମଧ୍ୟ କୌଣସି ଫାଇଦା ହୋଇନଥିଲା।ବରଂ ଦଳ ପକ୍ଷରୁ ତାଙ୍କୁ ଅଣଦେଖା କରାଯାଇଥିବା କର୍ମୀମାନେ ଅଭିଯୋଗ ଆଣିଛନ୍ତି ।
ଗୋଟିଏ ପଟେ ବିଜେପି ବୁଥ ସ୍ତରୀୟ କର୍ମୀଙ୍କୁ ପ୍ରାଧାନ୍ୟ ଦେଉଥିବା କହୁଥିବା ବେଳେ ବାସ୍ତବରେ ଏଠାରେ ତାଲିବାନ ସରକାର ଚାଲିଛି ବୋଲି ଅଭିଯୋଗ ଆଣିଛନ୍ତି କର୍ମୀ।ବୁଥ୍ ସ୍ତରୀୟ ନେତାଙ୍କ ବଦଳରେ ଅନ୍ୟ ଶିବିରରୁ ଆମଦାନୀ ହୋଇ ଆସିଥିବା ନେତାଙ୍କୁ ଦଳ ପ୍ରାଧାନ୍ୟ ଦେଉଥିବା କର୍ମୀମାନେ ଅଭିଯୋଗ କରିଛନ୍ତି।ଏପରିକି ଜିଜ୍ଞାସୁଙ୍କୁ ଟିକେଟ ନ’ ଦେବା ପଛରେ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତ ଥିବା ସିଧାସଳଖ କହିଛନ୍ତି ଜିଜ୍ଞାସୁଙ୍କ ସମର୍ଥକ।ବହୁ ସଂଖ୍ୟାରେ ଜିଜ୍ଞାସୁଙ୍କ ସମର୍ଥକ ପାର୍ଟି ଅଫିସ ଆଗରେ ନାରାବାଜି କରିବା ସହ ଗେଟ ସମ୍ମୁଖରେ ଦଳୀୟ ପତାକା, ଉତ୍ତରୀୟ ଏବଂ ଇସ୍ତଫା ପତ୍ର ରଖିଦେଇଛନ୍ତି।କିଛି ଦିନ ପୂର୍ବରୁ ଅପରାଜିତା ମହାନ୍ତି କଂଗ୍ରେସର ହାତ ଛାଡି ବିଜେପିରେ ମିଶିଥିଲେ।ଆଉ ଏବେ ଭୁବନେଶ୍ୱର ଉତ୍ତର ଆସନ ପାଇଁ ଅପରାଜିତାଙ୍କୁ ପ୍ରାର୍ଥୀ କରିଛି ଦଳ।ଯାହାକୁ ହଜମ କରି ପାରୁନାହାଁନ୍ତି ପୁରୁଣା କାର୍ଯ୍ୟକର୍ତ୍ତା।ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବରୁ ଦିଲ୍ଲୀପ ମହାନ୍ତି ଅଶାୟୀ ଥିଲେ।ସେ ମଧ୍ୟ ସଙ୍ଗଠନ କରି ଆସିଥିଲେ।ତାଙ୍କୁ ଚେକ ଦେବା ପାଇଁ ଜିଜ୍ଞାସୁଙ୍କୁ ଏଣ୍ଟ୍ରି କରାଗଲା।ଏବେ ପୁଣି ଜିଜ୍ଞାସୁଙ୍କୁ କାଟି ଅପରାଜିତା ମହାନ୍ତିଙ୍କୁ ଟିକେଟ ଦିଆଗଲା।
ପୂର୍ବରୁ ଭୁବନେଶ୍ୱର ଏକାମ୍ର ଆସନ ଟିକେଟ ବଣ୍ଟନରର ଅସନ୍ତୁଷ୍ଟ ଅମୀୟଙ୍କ ସମର୍ଥକ ବିଜେପି ଅଫିସ ଆଗରେ ଧାରଣାରେ ବସିଥିଲେ।ଭଙ୍ଗାରୁଜା,ହଙ୍ଗାମା କରିଥିଲେ।ଗେଟରେ ତାଲା ପକାଇ ଦେଇଥିଲେ।ସେହିପରି ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେଡି ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦଙ୍କୁ ଟିକେଟ ମିଳିବାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି।ଯତୀନ ଦାସ ଏଠାରୁ ଟିକେଟ ଅଶାୟୀ ଥିଲେ।ବେଗୁନିଆ ବୋଲଗଡ଼ରେ ସେ ଦୀର୍ଘଦିନ ହେଲା ସଙ୍ଗଠନ କରି ଆସୁଥିଲେ।ଜଟଣୀରେ ଟିକେଟ ବଣ୍ଟନରେ ଅସନ୍ତୋଷ ପ୍ରକାଶ କରି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ ଜେନା ବିଜେପିରୁ ଇସ୍ତଫା ଦେଇଛନ୍ତି।ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଟିକେଟ ବଣ୍ଟନଙ୍କୁ ନେଇ ତୃଣମୂଳ ସଙ୍ଗଠନ ଭିତରେ ପ୍ରବଳ ଅସନ୍ତୋଷ ରହିଛି।ତେଣୁ ଏସବୁ ଅସନ୍ତୋଷ ଭିତରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ଅପରାଜିତା ଷଡ଼ଙ୍ଗୀଙ୍କ ପାଇଁ ଅସୁବିଧା ସୃଷ୍ଟି କରିଛି।ଏଇ କିଛି ଦିନ ହେଲା ସେହି ଅସନ୍ତୋଷକୁ ପ୍ରଶମିତ କରିବାକୁ ଡ୍ୟାମେଜ କଣ୍ଟ୍ରୋଲରେ ଅପରାଜିତା ଷଡ଼ଙ୍ଗୀ ଲାଗିଥିବା ବେଳେ ଏବେ ପୁଣି ଅପରାଜିତା ମହାନ୍ତି ଅପରାଜିତା ଷଡ଼ଙ୍ଗୀଙ୍କ ପାଇଁ କଣ୍ଟା ସାଜିଛନ୍ତି।//ଦେବଦତ୍ତ