Home ଓଡ଼ିଶା
153

– ଦେବଦତ୍ତ ରଥ

ଓଡ଼ିଆ ସିନେ ତାରକା ମହେଶ୍ଵତା ରାଏ ଏବେ ରାଜନୀତିରେ ପାଦ ଥାପିଛନ୍ତି।ମିସ୍ ଇଣ୍ଡିଆ ପ୍ରତିଯୋଗୀ ଅର୍ଚ୍ଚିତା ସାହୁ ଖୁବ୍ ଶୀଘ୍ର ରାଜନୀତିକୁ ଆସିବାର ଚର୍ଚ୍ଚା ହେଉଛି।ଏହା ପୂର୍ବରୁ ଅପରିଜିତା ମହାନ୍ତି, ପିଙ୍କି ପ୍ରଧାନ ଏବଂ ଏଇ ନିକଟରେ ଅନୁ ଚୌଧୁରି ପରି ଅଭିନେତ୍ରୀ ରାଜନୀତିରେ ପାଦ ଥାମିଛନ୍ତି।ଗ୍ଲାମର ଦୁନିଆ ସହ ରାଜନୀତିର ପୁରୁଣା ସଂପର୍କ ଥିଲେ ସୁଧା ତାହା ସାଧାରଣତଃ ଜାତୀୟ ରାଜନୀତିରେ ଦେଖା ଯାଉଥିଲା। ଓଡ଼ିଶାରେ ଏତେଟା ନୁହେଁ। ଏମିତିରେ ସିନେ ତାରକାଙ୍କର ଓଡ଼ିଶା ରାଜନୀତିରେ ସଫଳତା ହାର ମଧ୍ୟ ଖୁବ୍ କମ।

 

ରାଜନୀତି କ୍ଷେତ୍ରରେ ଗ୍ଲାମର ଗାର୍ଲଙ୍କ କଥା ଦେଖିବାକୁ ଗଲେ ଅନେକ କେବଳ ବିଉଟିର ଅଧିକାରୀ ହୋଇଥିବା ବେଳେ ତନ୍ମଧ୍ୟରୁ କେତେଜଣ ବିଉଟି ସହ ଟ୍ୟାଲେଣ୍ଟର ଅଧିକାରୀ।କେତେ ଜଣ ମଲ୍ଟି ଟ୍ୟାଲେଣ୍ଟର ଅଧିକାରୀ।ଗ୍ଲାମର ସାଙ୍ଗକୁ ସେଲିବ୍ରେଟି ହେଇଥିବା କାରଣରୁ ଜନତାଙ୍କୁ ଆକର୍ଷିତ କରିବା ପାଇଁ ରାଜନୈତିକ ଦଳ ଗୁଡ଼ିକ ଏମାନଙ୍କୁ ଗୁରୁତ୍ୱ ଦେଇ ଥାଆନ୍ତି।ତେବେ ବିଉଟି ସହ ଟ୍ୟାଲେଣ୍ଟ ଥିବା ମହିଳା ମାନେ ହିଁ ସାଧାରଣତଃ ସଫଳତା ପାଇ ଥାଆନ୍ତି।ଚଳଚିତ୍ର ଜଗତରୁ ହିଁ ଆସୁଥିବା ଅଭିନେତ୍ରୀ ମାନଙ୍କ ପାଖରେ ଯେ କେବଳ ଗ୍ଲାମର ରହିଛି ତା’ ନୁହେଁ।ସାମାଜିକ ସ୍ତରରେ ଅନ୍ୟାନ୍ୟ କ୍ଷେତ୍ରରେ ନିଜର ପ୍ରତିଭା ପ୍ରମାଣିତ କରି ପାରିଥିବା ତଥା ନିଜର ଗ୍ଲାମର ଲୁକ୍ ନେଇ ଚର୍ଚ୍ଚିତ ଅନେକ ମହିଳା ଆଜି ଜଣେ ଜଣେ ସଫଳ ନେତ୍ରୀ।

 

ଭାରତୀୟ ରାଜନୀତିରେ ଅନେକ ଗ୍ଲାମର ଗାର୍ଲ ରାଜନୀତିରେ ପାଦ ଥାମିଛନ୍ତି।ତେବେ ତନ୍ମଧ୍ୟରୁ କେତେ ଜଣ ସଫଳ ହୋଇଛନ୍ତି ଆଉ କେତେ ବିଫଳ।କେତେଜଣ କେବଳ ନିଜର ଆକର୍ଷଣୀୟ ଚେହେରା ଯୁକ୍ତ ଗ୍ଲାମର କାରଣରୁ ରାଜନୀତିରେ ଚର୍ଚ୍ଚିତ ଥିବା ବେଳେ ଆଉ କେତେ ଜଣଙ୍କ ପାଖରେ ଆକର୍ଷଣୀୟ ଚେହେରା ସାଙ୍ଗରେ ଆକର୍ଷଣୀୟ ବ୍ୟକ୍ତିତ୍ୱ ମଧ୍ୟ ରହିଛି।ଉଚ୍ଚ ଶିକ୍ଷିତା ସାଙ୍ଗରେ ସେମାନଙ୍କ ପାଖରେ ମଲ୍ଟି ଟ୍ୟାଲେଣ୍ଟ ରହିଛି।ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମେତ ସୁଷମା ସ୍ୱରାଜ, ସୋନିଆ ଗାନ୍ଧୀ, ନିର୍ମଳା ସୀତାରମଣ, ଶୀଲା ଦୀକ୍ଷିତ, ଜୟ ଲଲିତା ଆଦି ନିଜ ନିଜର ଏକ ପରିଚୟ ସୃଷ୍ଟି କରି ପାରିଛନ୍ତି।ଭାରତୀୟ ରାଜନୀତିରେ ଏବେ ଏମିତି ଅନେକ ଗ୍ଲାମର ମହିଳାଙ୍କୁ ଦେଖିବାକୁ ମିଳୁଛି ଏବଂ, ବିଜେପି ଏବେ ଏଥିରେ ସର୍ବାଗ୍ରେ ଥିବା ପରିଲିଖିତ ହେଉଛି।

 

ରାଜନୀତିରେ ଗ୍ଲାମର ଗାର୍ଲଙ୍କ କଥା ଦେଖିଲେ ସ୍ମୃତି ଯୁବାନି ଇରାନୀଙ୍କ ନାମ ବୋଧେ ଏବେ ପ୍ରଥମେ ଆସୁଛି। ଟିଭି ସିରିଏଲରେ ଅଭିନୟ କରି ଘରେ ଘରେ ପରିଚିତ ହୋଇ ଯାଇଥିବା ସ୍ମୃତି ରାଜନୀତିରେ ପାଦ ଦେଇ ଅଳ୍ପ ଦିନ ମଧ୍ୟରେ ବହୁ ସଫଳତା ପାଇଛନ୍ତି। ଏବେକାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ ମଧ୍ୟ ସେ ଖୁବ୍ ଚର୍ଚ୍ଚାକୁ ଆସିଥିଲେ ଏବଂ ହାରିଥିଲେ ମଧ୍ୟ ମୋଦୀ ସରକାରରେ ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀ ହୋଇ ଆହୁରି ଚର୍ଚ୍ଚିତ ହୋଇଯାଇ ଥିଲେ।ତେବେ ପରେ ଅବଶ୍ୟ କିଛି ସମସ୍ୟା ଭିତରେ ତାଙ୍କ ବିଭାଗ ପରିବର୍ତ୍ତନ କରି ଦିଆ ଯାଇଥିଲା।ସେହିପରି ଆଉ ଜଣେ ହେଲେ ତାମିଲ ଅଭିନେତ୍ରୀ ରମେୟା।୩୦ ବର୍ଷୀୟା ରମେୟାଙ୍କ ପ୍ରକୃତ ନାମ ଥିଲା ଦିବ୍ୟା।ବ୍ରେନ୍ ଉଇଥ୍ ବିଉଟିର ଅଧିକାରୀ ରମେୟା ଭାରତୀୟ ରାଜନୀତିରେ ଜଣେ ଅନ୍ୟତମ ଯୁବା ସାଂସଦ ଭାବରେ ପରିଚିତ।ସେହିପରି ଆଉ ଜଣେ ହେଲେ ଆମ ଆଦିମ ପାର୍ଟିର ଅଳକା ଲାମ୍ବା।ଛାତ୍ର ରାଜନୀତି ସହ ଜଡ଼ିତ ଥିବା ଅଳକା ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ଛାତ୍ର ସଂସଦ ସଭାନେତ୍ରୀ ଥିଲେ।ଛାତ୍ର ରାଜନୀତି ପରେ ସେ କଂଗ୍ରେସରେ ଯୋଗ ଦେବା ସହ କଂଗ୍ରେସ ଦଳରେ ଅନେକ ଗୁରୁ ଦାୟିତ୍ୱରେ ଥିଲେ।ପରେ ସେ କଂଗ୍ରେସ ଛାଡ଼ି ଆପରେ ଯୋଗ ଦେଲେ।ମୁଲାୟମଙ୍କ ବୋହୂ ତଥା ଅଖିଲେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ସାଧାରଣ ଶାଢ଼ୀଟିଏରେ ଗ୍ଲାମର ଲୁକ୍ ପାଇଁ ପରିଚିତ ଥିବା ବେଳେ ସେ ଏମପି ହୋଇ ପାରିଛନ୍ତି। ସଞ୍ଜୟ ଦତ୍ତଙ୍କ ଭଉଣୀ ୪୭ ବର୍ଷ ବୟସ୍କା ପ୍ରିୟା ଦତ୍ତ ତାଙ୍କ ପିତା ସୁନୀଲ ଦତ୍ତଙ୍କ ମୃତ୍ୟୁ ପରେ ସେ ଏମପି ଥିବା ଆସନରୁ କଂଗ୍ରେସ ପକ୍ଷରୁ ପାର୍ଥି ହୋଇ ଆଜି ସେ ଏମପି।ଏ ଭିତରେ ଭିର୍ଣ୍ଣ ଏକ ନେତ୍ରୀ ହେଲେ ଜୟପୁରର ଛବି ରାୱତ।ସେ ଏବେ ଜଣେ ସରପଞ୍ଚ।ଏମବିଏ ଡିଗ୍ରୀ ଧାରୀ ବୋଧେ ଦେଶର ଏକ ମାତ୍ର ସରପଞ୍ଚ।ରୁରାଲ ଡେଭଲପମେଣ୍ଟ ଦିଗରେ କାମ କରିବା ଉଦ୍ଦେଶ୍ୟରେ ସେ ଚାକିରୀ ଛାଡ଼ି ନିଜ ଗ୍ରାମରେ ସରପଞ୍ଚ ହେଲେ।ଶିରୋମଣି ଅକାଳି ଦଳର ହରସିମରତ କୌର ବାଦଲ ରାଜନୈତିକ ପରିବାରରୁ ଆସିଥିଲେ ମଧ୍ୟ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।ଥରେ ଭାଷଣ ଆରମ୍ଭ କଲେ ଥମିବାର ଆଉ ନାମ ନିଏନି, ଅନର୍ଗଳ ଭାଷଣ ଦେଇ ଚାଲନ୍ତି।ସାଧାରଣ କୁର୍ତ୍ତା ଏବଂ ପାଇଜାମାରେ ମଧ୍ୟ ସେ ଗର୍ଜିୟସ ଲାଗନ୍ତି।ଟିଭି ସାମ୍ବାଦିକତାରୁ ରାଜନୀତିକୁ ଆସିଥିବା ସାଜିଆ ଇଲମୀ ପ୍ରଥମେ ଆମ ଆଦିମ ପାର୍ଟିରୁ ରାଜନୀତି ଆରମ୍ଭ କରି ପରେ ବିଜେପିରେ ଯୋଗ ଦେଇଛନ୍ତି।ବିଭିର୍ଣ୍ଣ ନିଉଜ ଚ୍ୟାନେଲରେ ବିଜେପି ତରଫରୁ ପକ୍ଷ ରଖୁଥିବା ତାଙ୍କୁ ଦେଖିବାକୁ ମିଳୁଛି।ଆନ୍ନା ହଜାରେଙ୍କ ଇଣ୍ଡିଆ ଏଗେନେଷ୍ଟ କରପସନ ମୁଭମେଣ୍ଟରେ ସାଜିଆ ମୁଖପାତ୍ର ପରି ଗୁରୁତ୍ୱପୂର୍ଣ୍ଣ ଭୁମିକା ତୁଲାଇଥିଲେ।ଫେସନ ଡିଜାଇନର ସାଇନା ଏନ.ସି ବିଜେପିର ଜଣେ ଫାୟାରବ୍ରାଣ୍ଡ ନେତ୍ରୀ ନିଉଜ ଚ୍ୟାନେଲ ଗୁଡ଼ିକରେ ସେ ଖୁବ୍ ଶାଣିତ ତର୍କ କରିବାରେ ସେ ସିଦ୍ଧହସ୍ତା।ସେହିପରି ପେଶାରେ ଓକିଲାତି ଥିବା ମିନାକ୍ଷି ଲେଖି ଏବଂ ନୁପୂର ଶର୍ମା ବିଜେପିର ଦୁଇ ଜଣ ପ୍ରମୁଖ ନେତ୍ରୀ।ଉଭୟ ଚମତ୍କାର ଭାଷଣ ଦେଇ ପାରନ୍ତି।ମିନାକ୍ଷି ଲେଖି ଏବେ ଏବେ ଦିଲ୍ଲୀର ଏକ ଆସନରୁ ସାଂସଦ ଅଛନ୍ତି।ନୂପୁର ଅନ୍ୟତମ ରାଷ୍ଟ୍ରୀୟ ପ୍ରବକ୍ତା।ସେହିପରି ମହାଭାରତ ସିରିଏଲର ଦ୍ରୌପଦୀ ଭୁମିକାରେ ଥିବା ରୂପା ଗାଙ୍ଗୁଲି, ନଗମା, ମିସ୍ ୟୁନିଭର୍ସ ପ୍ରତିଯୋଗୀ ତଥା ମଡେଲ ଅଭିନେତ୍ରୀ ଗୁଲ ପନାଗଙ୍କ ପରି ଅନେକ ଅଭିନେତ୍ରୀ ରାଜନୀତିକୁ ଆପଣେଇଛନ୍ତି।ପୂର୍ବରୁ ହେମା ମାଳିନୀ, ଜୟା ବଚ୍ଚନ, ଜୟପ୍ରଦା, ସାବନା ଆଜମୀ ପରି କେତେକ ଅଭିନେତ୍ରୀ ରାଜନୀତିକୁ ଆସିଛନ୍ତି, ସାଂସଦ ହୋଇ ପାରିଛନ୍ତି।ଅଭିନେତ୍ରୀ ରେଖା ରାଜ୍ୟସଭାକୁ ମନୋନୀତ ହୋଇ ଯାଇଛନ୍ତି।ଏ ସବୁ ଭିତରେ ଆସାମର ଗ୍ଲାମର ଗାର୍ଲ ଅଙ୍ଗୁରଲତା ଡେକାଙ୍କ ଚର୍ଚ୍ଚା କମ ନୁହଁ।ଅଭିନୟ ଜଗତରୁ ଆସିଥିବା ଅଙ୍ଗୁରଲତା ଏବେ ବିଜେପି ବିଧାୟିକା ଅଛନ୍ତି।ଗ୍ଲାମର ଚେହେରା ସାଙ୍ଗକୁ ତାଙ୍କ ବେଶଭୂଷା ପୋଷାକ ସହ ହୋଟେଲ, ପାର୍ଟି, ସୁଇମିଂ ପୁଲ ଆଦି ନେଇ ସେ ସବୁବେଳେ ଚର୍ଚ୍ଚାରେ।ଏ ଭିତରେ ଜଣେ ମୂଳ ଭାରତୀୟ ତଥା ଆମେରିକାନ ନାଗରିକ ନିକ୍କି ହାଲେ ଖୁବ୍ ଚର୍ଚ୍ଚିତ ଚେହେରା।ସେ ଏବେ ଦକ୍ଷିଣ କାରୋଲିନାରେ ଗଭର୍ଣର ଅଛନ୍ତି।ପଡ଼ୋଶୀ ଦେଶ ପାକିସ୍ଥାନରେ ବୈଦେଶୀକ ମନ୍ତ୍ରୀ ଥିବା ହିନା ରବାନି ଖ୍ଖର ତାଙ୍କର ଗ୍ଲାମର ଲୁକ୍ ସାଙ୍ଗକୁ ଦକ୍ଷତା ପାଇଁ ବେଶ ପରିଚିତ ଥିଲେ।ଭାରତରେ ମଧ୍ୟ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି।

 

ତେବେ ଅନୁଶୀଳନ କଲେ ଦେଖା ଯାଉଛି କେବଳ ଗ୍ଲାମର ଲୁକ୍ ନୁହେଁ, ବିଉଟି ସହ ଟ୍ୟାଲେଣ୍ଟ ଥିବା କିଛି ମହିଳା ହିଁ ରାଜନୀତିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.