Home ଓଡ଼ିଶା ୫୦ ପ୍ରଭାବଶାଳୀ ଭାରତୀୟ: ତାଲିକାରେ ୨ ଓଡ଼ିଆ ପୁଅ; ସର୍ବାଗ୍ରେ ମୋଦୀ

୫୦ ପ୍ରଭାବଶାଳୀ ଭାରତୀୟ: ତାଲିକାରେ ୨ ଓଡ଼ିଆ ପୁଅ; ସର୍ବାଗ୍ରେ ମୋଦୀ

848

ଭୁବନେଶ୍ୱର: ଫେମ୍ ଇଣ୍ଡିଆ ପତ୍ରିକା ଏବଂ ଏସିଆ ପୋଷ୍ଟ ପକ୍ଷରୁ ୨୦୨୦ ବର୍ଷର ୫୦ ଜଣ ପ୍ରଭାବଶାଳୀ ଭାରତୀୟଙ୍କ ତାଲିକା ପ୍ରକାଶ ପାଇଛି। ଏହି ସର୍ଭେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭାରତର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତି ଭାବେ ବିବେଚନା କରାଯାଇଛି। ସର୍ବେକ୍ଷଣରେ ବ୍ୟକ୍ତିତ୍ୱ, ପ୍ରଭାବ, ଦୂରଦୃଷ୍ଟି, ଭାବମୂର୍ତ୍ତି, ବିକାଶମୂଳକ କାର୍ଯ୍ୟଶୈଳୀ ଏବଂ ଜନ କଲ୍ୟାଣକାରୀ ଉଦ୍ୟମ ଆଦି ୯ଟି ମାନଦଣ୍ଡ ଆଧାରରେ ୧୨ ହଜାରରୁ ଅଧିକ ଜ୍ଞାନବାନ ବ୍ୟକ୍ତିଙ୍କ ମତାମତକୁ ନେଇ ଚୟନ କରାଯାଇଛି। ରାଜନୀତି, ଅମଲାତନ୍ତ୍ର, ଆଧ୍ୟାତ୍ମିକତା, ଚିକିତ୍ସା, ବିଜ୍ଞାନ, ସାମ୍ବାଦିକତା, ସାମାଜିକ ସେବା, ସମବାୟ, ଶିଳ୍ପ, ବ୍ୟବସାୟ, କଳା, ଅଭିନୟ ଇତ୍ୟାଦି ସହିତ ଜଡ଼ିତ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ଏହି ସର୍ଭେରେ ଅନ୍ତର୍ଭୁକ୍ତ କରାଯାଇଛି।

ମୋଦିଙ୍କ ପରେ ଯୋଗୀ, ତା’ପରେ ଶାହା –
ସର୍ଭେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରାୟ ୯୯.୬ ପ୍ରତିଶତ ଲୋକ ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ବ୍ୟକ୍ତି ତଥା ଜନନାୟକ ଭାବରେ ମନୋନୀତ କରିଛନ୍ତି। ତାଙ୍କର କାର୍ଯ୍ୟକୁଶଳତା ଏବଂ ଲୋକପ୍ରିୟତା ହେତୁ ସେ ସର୍ଭେରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ଦୃଢ଼ ଉଦ୍ଦେଶ୍ୟ, ସଚ୍ଚୋଟ ଭାବମୂର୍ତ୍ତି ଏବଂ ଦୂରଦୃଷ୍ଟି କାରଣରୁ ୯୭ ପ୍ରତିଶତ ଲୋକଙ୍କ ମତ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଦୃଢ଼ ନିର୍ଣ୍ଣୟ ନେଇ ଏହାକୁ ସଫଳତାର ସହ କାର୍ଯ୍ୟକାରୀ କରିବାର କ୍ଷମତା ରଖିଥିବା ଭାରତର ଗୃହମନ୍ତ୍ରୀ ଅମିତ ଶାହା ୯୬.୫ ପ୍ରତିଶତ ମତ ସହିତ ସର୍ଭେରେ ତୃତୀୟ ସ୍ଥାନରେ ରଖିଛନ୍ତି। ତାଙ୍କ ପରେ ୯୫.୨ ପ୍ରତିଶତ ମତରେ ଦେଶର ବିଶିଷ୍ଟ ଶିଳ୍ପପତି ରତନ ଟାଟା ସାମାଜିକ ଚିନ୍ତା ଏବଂ ଉଦ୍ୟୋଗ ପାଇଁ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ଏହା ସହିତ ଭାରତର ସବୁଠାରୁ ଧନୀ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ନାମ ୯୫ ପ୍ରତିଶତ ମତ ସହିତ ପଞ୍ଚମ ସ୍ଥାନରେ ରହିଛି। ଦେଶର ସାଧାରଣ ଲୋକଙ୍କ ପାଇଁ ଇଣ୍ଟରନେଟ୍ ଉପଲବ୍ଧ କରାଇବା ପାଇଁ ଲୋକମାନେ ତାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି।

ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ନବୀନ –
ତାଲିକାରେ କେରଳର ମୁଖ୍ୟମନ୍ତ୍ରୀ ପି ବିଜୟନଙ୍କୁ ଷଷ୍ଠ ସ୍ଥାନରେ ବିବେଚନା କରାଯାଇଛି। ପରିସ୍ଥିତିର ମୁକାବିଲା ପାଇଁ ତାଙ୍କୁ ଜଣେ ସଫଳ ମୁଖ୍ୟମନ୍ତ୍ରୀ ଭାବରେ ବର୍ଣ୍ଣନା କରାଯାଇଛି। ଆର୍ଟ ଅଫ୍ ଲିଭିଂର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କର ବିଶ୍ୱଶାନ୍ତି ଗୁରୁ ଭାବରେ ତାଲିକାର ସପ୍ତମ ସ୍ଥାନ ନିଶ୍ଚିତ କରିଛନ୍ତି। ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସ୍ୱଚ୍ଛ ଭାବମୂର୍ତ୍ତି ଏବଂ ବିକାଶ ଶୈଳୀ ଆଧାରରେ ଅଷ୍ଟମ ସ୍ଥାନରେ ଅଛନ୍ତି। ଏନଏସଏ ଅଜିତ ଡୋଭାଲ କଠିନ ସମୟରେ ଶଙ୍କଟମୋଚକ ଭାବରେ ନବମ ସ୍ଥାନରେ ରହିଛନ୍ତି। ଏହାସହ ସ୍ୱଚ୍ଛ ଭାବମୂର୍ତ୍ତୀ ତଥା ସଫଳ ମୁଖ୍ୟମନ୍ତ୍ରୀ ଭାବରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଲିକାରେ ଦଶମ ସ୍ଥାନ ଅଧିକାର କରିଛନ୍ତି।

ତାଲିକାରେ ଦୁଇ ଓଡ଼ିଆ ପୁଅ –
ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟତିତ ଆଉ ଜଣେ ଓଡ଼ିଆ ପୁଅ ତାଲିକାରେ ସ୍ଥାନ ପାଇଛନ୍ତି। ସେ ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ପ୍ରମୋଦ କୁମାର ମିଶ୍ର। ପରିଚାଳନା ଦକ୍ଷତା ଏବଂ ପ୍ରଭାବଶାଳୀ କାର୍ଯ୍ୟଶୈଳୀ ଯୋଗୁଁ ପ୍ରମୋଦ ମିଶ୍ର ଏକାଦଶ ସ୍ଥାନରେ ଅଛନ୍ତି। ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଦ୍ୱାଦଶ ସ୍ଥାନରେ ଏବଂ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୧୩ତମ ସ୍ଥାନ ହାସଲ କରିବାରେ ସଫଳ ହୋଇଛନ୍ତି। ବିକାଶ କାର୍ଯ୍ୟ ଯୋଜନାରେ ସଫଳ ହୋଇଥିବା କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ତଥା ଏମଏସଏମଇ ମନ୍ତ୍ରୀ ନିତିନ ଗଡକରୀ ଚତୁର୍ଦ୍ଦଶ ସ୍ଥାନରେ ଅଛନ୍ତି। କେନ୍ଦ୍ର ବାଣିଜ୍ୟ ଏବଂ ରେଳମନ୍ତ୍ରୀ ପୀୟୁଷ ଗୋୟଲ ୧୫ତମ ସ୍ଥାନରେ ଅଛନ୍ତି। ବିହାରରେ ସାତୋଟି ନିଷ୍ପତ୍ତି ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିବାରେ ସଫଳ ହୋଇଥିବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୧୬ତମ ସ୍ଥାନରେ ଅଛନ୍ତି। ବିଜେପିର ଜାତୀୟ ସଭାପତି ଜଗତ ପ୍ରକାଶ ନଡ୍ଡା ୧୭ତମ ସ୍ଥାନରେ ଅଛନ୍ତି। ଜନସ୍ୱାସ୍ଥ୍ୟ ନୀତି ହେତୁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ୧୮ତମ ସ୍ଥାନରେ, ଲୋକସଭାକୁ ସଫଳତାର ସହ ପରିଚାଳନା କରିବା ପାଇଁ ବାଚସ୍ପତି ଓମ ବିର୍ଲା ୧୯ତମ ସ୍ଥାନରେ ଏବଂ ଯୋଗଗୁରୁ ତଥା ପତଞ୍ଜଳି ଗୋଷ୍ଠୀ ମୁଖ୍ୟ ବାବା ରାମଦେବ ୨୦ତମ ସ୍ଥାନରେ ଅଛନ୍ତି।

ତାଲିକାରେ ଅଭିନେତା ଅକ୍ଷୟ କୁମାର –
କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ୨୧ତମ ସ୍ଥାନରେ ଅଛନ୍ତି। ରନ୍ ଫର ୱାଟର ପ୍ରଣେତା ଇଶା ଫାଉଣ୍ଡେସନର ମୁଖ୍ୟ ସଦଗୁରୁ ଜଗ୍ଗୀ ବାସୁଦେବ ୨୨ତମ ସ୍ଥାନରେ ଅଛନ୍ତି। ଏହା ସହ ଦେଶର ଜାତୀୟତାବାଦୀ ଭାବମୂର୍ତ୍ତି ଚେହେରା ଅଭିନେତା ଅକ୍ଷୟ କୁମାର ୨୩ତମ ସ୍ଥାନରେ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ୨୪ତମ ସ୍ଥାନରେ ଏବଂ କୃଷି କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ୨୫ତମ ସ୍ଥାନରେ ରହିଛନ୍ତି। ଗୋଆ ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ ୨୬ତମ ସ୍ଥାନରେ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ୨୭ତମ ସ୍ଥାନରେ ଅଛନ୍ତି। ସେହିପରି କେନ୍ଦ୍ର ଶକ୍ତିମନ୍ତ୍ରୀ ରାଜ କୁମାର ସିଂ ୨୮ତମ ସ୍ଥାନରେ, ଭାରତ ସରକାରଙ୍କ ଗୃହ ସଚିବ ଅଜୟ ଭାଲା ୨୯ତମ ସ୍ଥାନରେ ଅଛନ୍ତି। ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ଆନ୍ଧ୍ରପ୍ରଦେଶ କ୍ୟାଡରର ୧୯୮୩ ବ୍ୟାଚ୍ ଆଇଏଏସ୍ ପ୍ରୀତି ସୁଦାନ ୩୦ତମ ସ୍ଥାନରେ ଅଛନ୍ତି।

ତାଲିକାରେ ଅନେକ ଶିଳ୍ପପତି –
ସେହିପରି ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ‘ମେକ୍ ଇନ୍ ଇଣ୍ଡିଆ’କୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିରକ୍ଷା ଏକ୍ସପୋକୁ ସଫଳତାର ସହ ଆୟୋଜନ କରିଥିବା ଭାରତ ସରକାରଙ୍କ ପ୍ରତିରକ୍ଷା ସଚିବ ଅଜୟ କୁମାର ୩୧ତମ ସ୍ଥାନରେ ଅଛନ୍ତି। ଭାରତ ସରକାରଙ୍କ ପ୍ରଥମ ସିଡିଏସ୍ ଜେନେରାଲ୍ ବିପିନ୍ ରାୱତ ୩୨ତମ ସ୍ଥାନରେ ଅଛନ୍ତି। ୩୩ତମ ସ୍ଥାନରେ ପ୍ରସିଦ୍ଧ ଶିଳ୍ପପତି ଆଦାନୀ ଗ୍ରୁପର ଗୌତ୍ତମ ଆଦାନୀ ଅଛନ୍ତି। ବୃହତ୍ତମ ସ୍ୱାସ୍ଥ୍ୟ ସେବା କମ୍ପାନୀ କ୍ୟାଡିଲା ମାଲିକ ତଥା ଶିଳ୍ପପତି ପଙ୍କଜ ଭାଇ ପଟେଲ ୩୪ତମ ସ୍ଥାନରେ ଅଛନ୍ତି। ଦେଶ ସହିତ ସର୍ବଦା ଛିଡ଼ା ହେଉଥିବା ଶିଳ୍ପପତି ସଜ୍ଜନ ଜିନ୍ଦଲ ୩୫ତମ ସ୍ଥାନରେ ଅଛନ୍ତି। ଆଭେନ୍ୟୁ ସୁପରମାର୍ଟର ପ୍ରତିଷ୍ଠାତା ରାଧାକୃଷ୍ଣ ଦମାନୀ ୩୬ତମ ସ୍ଥାନରେ ଅଛନ୍ତି। ଟି ସିରିଜର ଭୂଷଣ କୁମାର ୩୭ତମ ସ୍ଥାନରେ ଅଛନ୍ତି। ଦୁର୍ବଳ ବର୍ଗଙ୍କୁ ସାହାଯ୍ୟ କରିବା ପାଇଁ ଆଦର୍ଶ କାର୍ଯ୍ୟ କରିଥିବା ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ୩୮ତମ ସ୍ଥାନରେ ଏବଂ ଦେଶର ପରିମଳ ଏବଂ ସ୍ୱଚ୍ଛତା କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରିଥିବା ସୁଲଭ ଇଣ୍ଟରନ୍ୟାସନାଲ୍ ପ୍ରତିଷ୍ଠାତା ଡକ୍ଟର ବିନ୍ଦେଶ୍ୱର ପାଠକ ୩୯ ତମ ସ୍ଥାନରେ ରହିଛନ୍ତି। ଦେଶର ସର୍ବବୃହତ ସମବାୟ ସଂଗଠନ ଇଫକୋ ଏମଡି ଏବଂ ସିଇଓ ୟୁଏସ୍ ଅୱସ୍ତି ୪୦ତମ ସ୍ଥାନରେ ଅଛନ୍ତି।

ତାଲିକାରେ ବୈଜ୍ଞାନିକ ଏବଂ ସାମ୍ବାଦିକ ସାମିଲ –
ଆଦିବାସୀ ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଉତ୍ତମ କାର୍ଯ୍ୟ କରୁଥିବା ଟ୍ରାଇଫେଡ୍ ପରିଚାଳନା ନିର୍ଦ୍ଦେଶକ ପ୍ରବୀଣ କୃଷ୍ଣା ୪୧ତମ ସ୍ଥାନରେ ଅଛନ୍ତି। ବିଜ୍ଞାନ କ୍ଷେତ୍ରରେ ମହିଳା ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପ୍ରସିଦ୍ଧ ବୈଜ୍ଞାନିକ ତଥା ବାୟୋ ଟେକ୍ନୋଲୋଜି ବିଭାଗର ସଚିବ ରେଣୁ ସ୍ୱରୂପ ୪୨ ତମ ସ୍ଥାନରେ ଅଛନ୍ତି। ସେହିପରି ଭାରତର ସ୍ପେସ୍ ସାଇଣ୍ଟିଷ୍ଟ ତଥା ଇସ୍ରୋ ସଭାପତି କୈଲାସାବଟିବୁ ଶିବନ ୪୩ତମ ସ୍ଥାନରେ ଅଛନ୍ତି। ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ବାଇରୋଲୋଜି ପୁନେର ନିର୍ଦ୍ଦେଶକ ପ୍ରିୟା ଆବ୍ରହାମ ୪୪ ତମ ସ୍ଥାନରେ ଏବଂ ଡିଜିଟାଲ୍ ପେମେଣ୍ଟ୍, ପେଟିଏମର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ୪୫ତମ ସ୍ଥାନରେ ରହିଛନ୍ତି। କୋଭିଡ୍- ୧୯ ପାଇଁ ଡାୟଗ୍ନୋସ୍ଟିକ୍ କ୍ଷମତା ବଢ଼ାଇବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇଥିବା ବରିଷ୍ଠ ବୈଜ୍ଞାନିକ ଡକ୍ଟର ନିବେଦିତା ଗୁପ୍ତା ୪୬ତମ ସ୍ଥାନରେ ଅଛନ୍ତି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ୪୭ତମ ସ୍ଥାନରେ ଅଛନ୍ତି। ୪୮ତମ ସ୍ଥାନରେ ହିନ୍ଦୁସ୍ତାନ ଖବରକାଗଜର ସମ୍ପାଦକ ଶଶି ଶେଖର ରହିଥିବା ବେଳେ ରମନ୍ ମାଗସେସେ ପୁରସ୍କାର ପ୍ରାପ୍ତ ରବିଶ କୁମାର ୪୯ତମ ସ୍ଥାନରେ ଏବଂ ରିପବ୍ଲିକ୍ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ୫୦ତମ ସ୍ଥାନରେ ଅଛନ୍ତି। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.