Home ଓଡ଼ିଶା କୃଷି ବିଲକୁ ରାଜ୍ୟ ସଭାରେ ବିରୋଧ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସମାଜବାଦୀ ପାର୍ଟିର ଚିଠି

କୃଷି ବିଲକୁ ରାଜ୍ୟ ସଭାରେ ବିରୋଧ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସମାଜବାଦୀ ପାର୍ଟିର ଚିଠି

186

ଭୁବନେଶ୍ୱର, ୧୯ା୯ (ଓଡ଼ିଆ ପୁଅ) : କେନ୍ଦ୍ର ସରକାର କୃଷିର ଉନ୍ନତି ଓ କୃଷକର ଆୟକୁ ଦ୍ୱିଗୁଣ କରିବା ନାଁରେ ଭାରତ ବର୍ଷର କୃଷି ବ୍ୟବସ୍ଥାକୁ ସବୁଦିନ ପାଇଁ କର୍ପୋରେଟ୍ ଜଗତ ହାତରେ ଟେକିଦେବାର ମସୁଧା କରି ଲୋକସଭାରେ ତିନୋଟି ବିଧେୟକ ଆଗତ କରିଥିଲେ। (୧) କୃଷି ଉତ୍ପାଦନ ବ୍ୟାପାର ଏବଂ ବାଣିଜ୍ୟ (ବିକ୍ରି ବୃଦ୍ଧି ଏବଂ ସୁବିଧା) ବିଧେୟକ ୨୦୨୦ (୨) କୃଷକ (ସୁରକ୍ଷା ଓ ସଶକ୍ତିକରଣ), ବୁଝାମଣା ମୂଲ୍ୟ ଆଶ୍ୱସନା ଏବଂ କୃଷି ସେବା ବିଧେୟକ ୨୦୨୦ (୩) ଅତ୍ୟାବଶ୍ୟକୀୟ ବସ୍ତୁ ସଂଶୋଧନ ବିଲ୍, ଯାହାକି ଏନ୍-ଡି-ଏ- ସରକାର ପାଶବିକ ସଂଖ୍ୟାଗରିଷ୍ଠତାକୁ ଲୋକସଭାରେ ଭିତ୍ତିକରି ଅତି ସହଜରେ ପାରିତ କରିପାରିଛି। ଏହି ତିନିଗୋଟି ବିଧେୟକ ଆସନ୍ତା ରବିବାର ଦିନ ରାଜ୍ୟସଭାରେ ପାରିତ ହେବାର ସମ୍ଭାବନା ରହିଛି। ଏହି କୃଷକ ବିରୋଧି ଅଗଣତାନ୍ତ୍ରିକ କୃଷି ବିଧେୟକକୁ ବିରୋଧ କରି ସମସ୍ତ ବିରୋଧି ଦଳ ଏକ ହୋଇ ଏହାକୁ ବିରୋଧ କରିବାର ସମ୍ଭାବନା ରହିଛି। ଏଭଳିକି ୩୦ ବର୍ଷ ଧରି ଏନ୍ଡିଏର ପ୍ରତିଷ୍ଠାତା ସଦସ୍ୟ ଥିବା ଅକାଳୀ ଦଳର ଏକମାତ୍ର କ୍ୟାବିନେଟ୍ ମନ୍ତ୍ରୀ ହରସିମରତ କାଉର ବାଦଲ ମଧ୍ୟ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ଏହି କୃଷି ବିଧେୟକ ଯଦି ରାଜ୍ୟସଭାରେ ପାରିତ ହୋଇଯାଏ ତାହେଲେ ଦେଶର କୃଷି ଓ କୃଷକମାନଙ୍କ ଭାଗ୍ୟକୁ କର୍ପୋରେଟ୍ ଜଗତ ନିୟନ୍ତ୍ରଣ କରିବାର ଯଥେଷ୍ଟ ସମ୍ଭାବନା ଅଛି। କେବଳ କୃଷକମାନେ ତ ନ୍ୟାୟ ପାଇବାରୁ ବଞ୍ଚିତ ହେବେ, ତା’ ନୁହେଁ ଦେଶର ୧୩୦କୋଟି ଖାଉଟି ମଧ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ କଳା ବଜାର ଓ ମୁନାଫାଖୋରୀଙ୍କଠାରୁ ଅଧିକ ଦାମ୍ରେ କିଣିବାକୁ ବାଧ୍ୟ ହେବେ। କୃଷକଙ୍କୁ ଲାଭ ଦେବା ନାଁରେ ସରକାର ଏହି ବିଲ୍ ଜରୀଆରେ ସର୍ବନିମ୍ନ ସହାୟକ ମୂଲ୍ୟକୁ ମଧ୍ୟ ଉଚ୍ଛେଦ କରିବାର ଯୋଜନା କରିଛନ୍ତି। ଫଳରେ ଯେଉଁ ସର୍ବନିମ୍ନ ସହାୟତା ଚାଷୀ ପାଇପାରୁଛି, ସେତେକ ମଧ୍ୟ ଅବିଳମ୍ବେ ଖତମ୍ ହୋଇଯିବ। ତେଣୁ କୃଷକମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ତାଙ୍କ ଦଳୀୟ ସାଂସଦମାନଙ୍କୁ ରାଜ୍ୟସଭାରେ ଏହି ବିଲ୍କୁ ବିରୋଧ କରିବାକୁ ସମାଜବାଦୀ ପାର୍ଟି ଅନୁରୋଧ କରୁଛି। ପାର୍ଟିର ରାଜ୍ୟସଭାପତି ରବି ବେହେରା ଆଜି ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ଦର୍ଶାଇଛନ୍ତି ଯେ, ନବୀନ ବାବୁ ସବୁବେଳେ ‘ମୋ ସରକାର ଚାଷୀଙ୍କ ପାଇଁ ସମର୍ପିତ’ ବୋଲି କହିଆସିଛନ୍ତି। ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ତାଙ୍କ ନେତୃତ୍ୱାଧିନ ସରକାର ସ୍ୱତନ୍ତ୍ର କୃଷି କ୍ୟାବିନେଟ୍ ଗଠନ କରିବା ଭଳି ଐତିହାସିକ ପଦକ୍ଷେପ ମଧ୍ୟ ନେଇଛନ୍ତି। ସେହିଭଳି କୃଷି ଓ କୃଷକମାନଙ୍କର ସଶକ୍ତିକରଣ ପାଇଁ ଜଳସେଚନ ଓ କୃଷିକୁ ଓଡ଼ିଶା ସରକାର ତାଙ୍କ ବଜେଟ୍ରେ ସର୍ବାଧିକ ଅର୍ଥପ୍ରଦାନ କରିଛନ୍ତି। କୃଷକମାନଙ୍କୁ ତକ୍ରାଳ ଆର୍ଥିକ ଫାଇଦା ଦେବାପାଇଁ ସରକାର ‘କାଳିଆ ଯୋଜନା’ ମଧ୍ୟ ପ୍ରଚଳନ କରିଛନ୍ତି। ଭୂମିହୀନ କୃଷକ ଏବଂ ଭାଗଚାଷୀମାନଙ୍କୁ ଋଣ ଯୋଗାଇ ଦେବାପାଇଁ ଓଡ଼ିଶା ସରକାର ‘ବଳରାମ ଯୋଜନା’ ମଧ୍ୟ କାର୍ଯ୍ୟକାରୀ କରୁଛନ୍ତି। ତେଣୁ ରାଜ୍ୟର କୃଷକମାନଙ୍କର ସ୍ୱାର୍ଥ ଦୃଷ୍ଟିରୁ ବିଶେଷତଃ କ୍ଷୁଦ୍ର ନାମମାତ୍ର ଚାଷୀ, ଭାଗଚାଷୀ ଏବଂ କୃଷି ଶ୍ରମିକଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆସନ୍ତାକାଲି ରାଜ୍ୟସଭାରେ ପାରିତ ହେବାକୁ ଥିବା କୃଷି ବିଧେୟକକୁ ବିରୋଧ କରିବା ପାଇଁ ବିଜେଡ଼ି ସାଂସଦମାନଙ୍କୁ ନିର୍ଦ୍ଦେଶ ଦେବାକୁ ଶ୍ରୀ ବେହେରା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏହି ଚିଠିରେ ଅନୁରୋଧ କରିଛନ୍ତି। ଏଠାରେ ଉଲ୍ଲେଖଥାଉକି, କୃଷି ବିଧେୟକ ଉପରେ ଲୋକସଭା ବିତର୍କରେ ଭାଗନେଇ ବିଜେଡ଼ି ସାଂସଦ ଶ୍ରୀଯୁକ୍ତ ଅନୁଭବ ମହାନ୍ତି ଏହି ବିଧେୟକକୁ ‘ସିଲେକ୍ଟ କମିଟି’କୁ ପଠାଇବାର ଦାବି ଉପସ୍ଥାପିତ କରିଛନ୍ତି। ତେଣୁ ଆସନ୍ତାକାଲି ରାଜ୍ୟସଭାରେ ପାରିତ ହେବାକୁ ଥିବା ଏହି ବିଧେୟକକୁ ବିଜେଡ଼ି ବିରୋଧ କରିବା ପାଇଁ ଶ୍ରୀ ବେହେରା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.