ନୂଆଦିଲ୍ଲୀ: ବିଏସଏଫ୍ ଏବଂ ସିଆରପିଏଫ୍ ସେଣ୍ଟ୍ରାଲ୍ ଫୋର୍ସରେ ଏକ ଲକ୍ଷରୁ ଅଧିକ ପଦବୀ ଖାଲି ପଡ଼ିଛି। ଯାହା ସରକାର ଖୁବ୍ ଶୀଘ୍ର ପୂରଣ କରିବାକୁ ଯାଉଛନ୍ତି। ପ୍ରକାଶ ଯେ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPFs)ରେ ଏକ ଲକ୍ଷରୁ ଅଧିକ ପଦବୀ ଖାଲି ପଡ଼ିଛି। ଏହି ଖାଲି ପଦବୀ ଗୁଡ଼ିକ ମଧ୍ୟରୁ ଅଧିକାଂଶ ସୀମା ସୁରକ୍ଷା ବଳ ଏବଂ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସରେ ରହିଛି। କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି। ଅବସର, ଇସ୍ତଫା ଏବଂ କର୍ମଚାରୀଙ୍କ ମୃତ୍ୟୁ କାରଣରୁ ଅଧିକାଂଶ ପଦବୀ ଖାଲି ପଡ଼ିଛି ବୋଲି ସେ କହିଛନ୍ତି।
ଖାଲି ରହିଥିବା ପଦ –
ବିଏସଏଫ୍- ୨୮, ୯୨୬
ସିଆରପିଏଫ୍- ୨୬, ୫୦୬
ସିଆଇ ଏସ ଏଫ୍- ୨୩, ୯୦୬
ଏସ ଏସ ବି – ୧୮, ୬୪୩
ଆଇ ଟି ବି ପି – ୫, ୭୮୪
ଆସାମ ରାଇଫଲ୍ସ – ୭,୩୨୮
ଏକ ଲିଖିତ ପ୍ରଶ୍ନର ଉତ୍ତରରେ ରାୟ କହିଛନ୍ତି ଯେ ଅବସର, ଇସ୍ତଫା, ମୃତ୍ୟୁ, ନୂତନ ନିଯୁକ୍ତି, ନୂତନ ପଦବୀ ସୃଷ୍ଟି ଆଦି ପାଇଁ CAPFs ଏବଂ ଆସାମ ରାଇଫଲରେ ଭ୍ୟାକେନ୍ସି ସୃଷ୍ଟି ହୋଇଛି। ଏହି ପଦବୀ ଗୁଡ଼ିକ ମଧ୍ୟରୁ ଅଧିକାଂଶ କନଷ୍ଟେବଳ ଗ୍ରେଡରେ ରହିଛି। ସେ କହିଛନ୍ତି ଯେ ସିଧାସଳଖ ନିଯୁକ୍ତି, ପଦୋନ୍ନତି ଏବଂ ଡେପୁଟେସନ ମାଧ୍ୟମରେ ଏହି ପଦବୀ ଗୁଡ଼ିକର ପୂରଣ ପ୍ରକ୍ରିୟା ଚାଲିଛି। ମନ୍ତ୍ରୀ କହିଛନ୍ତି ଯେ CAPFsରେ ଖାଲିଥିବା ପଦବୀ ପୂରଣ ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି ଏବଂ ପ୍ରକ୍ରିୟା ଚାଲିଛି। ଗୃହରାଜ୍ୟ ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ କର୍ମଚାରୀ ଚୟନ ଆୟୋଗ (ଏସଏସସି) ମାଧ୍ୟମରେ ୬୦, ୨୧୦ କନଷ୍ଟେବଳଙ୍କ ନିଯୁକ୍ତି ପ୍ରକ୍ରିୟା ଚାଲିଛି। ଏହା ବ୍ୟତୀତ, SSC ମାଧ୍ୟମରେ ୨, ୫୩୪ ସବ୍ ଇନ୍ସପେକ୍ଟର ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଚାଲିଛି। ୩୩୦ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ନିଯୁକ୍ତି ପ୍ରକ୍ରିୟା ମଧ୍ୟ କେନ୍ଦ୍ର ଜନସେବା ଆୟୋଗ (UPSC) ମାଧ୍ୟମରେ ଚାଲିଛି। -@DevDr