ଭୁବନେଶ୍ୱର ୭-୩ (ଓଡ଼ିଆ ପୁଅ) ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ଆଜି ଏକ ନୂଆ ମାଇଲ ଖୁଣ୍ଟ ପ୍ରତିଷ୍ଠା ହୋଇଛି। ରାଜ୍ୟ ସରକାର ଆଜି ଗୋଟିଏ ଦିନରେ ୧୦୩୮ ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି।
ଆଜି ଲୋକସେବା ଭବନ କଭେନସନ୍ ସେଣ୍ଟରରେ ଅନୁଷ୍ଠିତ ନବ ନିଯୁକ୍ତ ଡାକ୍ତରମାନଙ୍କ Induction Traningରେ ମୁଖ୍ୟ ଆତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜିର ଦିନଟି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଐତିହାସିକ ଦିନ ଭାବରେ ବର୍ଣ୍ଣନା କରିଥିଲେ। ଗୋଟିଏ ଦିନରେ ୧୦୩୮ ଜଣ ନିଯୁକ୍ତି ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ପ୍ରକାଶ କରି ଲୋକଙ୍କ ସେବାକୁ ନିଜର ଧର୍ମ ଭାବରେ ବିଚାର କରି କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଡାକ୍ତରମାନଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନୂଆ ଡାକ୍ତର ମାନଙ୍କୁ ମୋ ସରକାର ସଂକଳ୍ପ ପାଠ କରାଇଥିଲେ।
ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନବ କିଶୋର ଦାସ, ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ପ୍ରମୁଖ ଉବୋଧନ ଦେଇ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମର ସୁଫଳ ଯେପରି ଲୋକଙ୍କ ପାଖରେ ଠିକ୍ ଭାବରେ ପହଞ୍ଚିପାରିବ ସେଥିପ୍ରତି ଯତ୍ନବାନ ହେବାକୁ ଡାକ୍ତରମାନଙ୍କୁ ପରାମର୍ଶ ଦେଇଥିଲେ। 5-T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ରାଜ୍ୟ ସରକାରଙ୍କ Five-T କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ସୂଚନା ଦେବା ସହିତ ମୋ ସରକାରର ଲକ୍ଷ୍ୟ ଓ ଆଭିମୁଖ୍ୟ ସଂପର୍କରେ ଡାକ୍ତରମାନଙ୍କୁ ବୁଝାଇଥିଲେ। ନୂଆ ଡାକ୍ତରମାନେ କିପରି ରୋଗୀସେବା କ୍ଷେତ୍ରରେ ଏକ transformative ଭୂମିକା ଗ୍ରହଣ କରିପାରିବେ, ସେ ସଂପର୍କରେ ଆଲୋକପାତ କରିଥିଲେ।
ସୂଚନାଯୋଗ୍ୟ ଯେ ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ୮୭୧୯ ଟି ଡାକ୍ତର ପଦବୀ ମଧ୍ୟରୁ ବର୍ତ୍ତମାନ ୫୪୧୪ ଜଣ ନିୟମିତ ଡାକ୍ତର କାର୍ଯ୍ୟ କରୁଛନ୍ତି। ନିକଟରେ OPSC ୧୪୦୩ ଜଣ ଡାକ୍ତରଙ୍କୁ ଚୟନ କରିଥିବା ବେଳେ ତନ୍ମଧ୍ୟରୁ ୧୦୩୮ ଜଣ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଖୁବ ଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟମାନଙ୍କୁ ନିଯୁକ୍ତି କରାଯିବ।