Home ଜିଲ୍ଲା ପରିକ୍ରମା ୱାର୍ଡମେମ୍ବରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଅଭିଯୁକ୍ତଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ

ୱାର୍ଡମେମ୍ବରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଅଭିଯୁକ୍ତଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ

42

ଭଦ୍ରକ, ୨୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ଦେବଦତ୍ତ ପଟ୍ଟନାୟକ ଆଗରପଡା ଥାନା ରାଉତରାଗଡିଆ ୱାର୍ଡମେମ୍ବର ଚିନ୍ତାମଣି ପାଳଙ୍କୁ ମରଣାନ୍ତକ ଆକ୍ରମଣ ଓ ହତ୍ୟା ଉଦ୍ୟମ ମାମଲାର ବିଚାର କରି ଅଭିଯୁକ୍ତ ସେହି ଗ୍ରାମର କମଳାକାନ୍ତ ଗିରିଙ୍କ ପୁତ୍ର ପ୍ରଫୁଲ୍ଲ କୁମାରଙ୍କୁ ୩୦୭ ଦଫାରେ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ପୁଣି ୬ ମାସ ସଶ୍ରମ ଜେଲ ଦଣ୍ଡ ଭୋଗିବା ପାଇଁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେବା ସହ ଆଦାୟ ଜରିମାନା ଟଙ୍କାକୁ ୱାର୍ଡମେମ୍ବର ଚିନ୍ତାମଣିଙ୍କୁ ଦେବାପାଇଁ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ସୂଚନା ଅନୁସାରେ ୨୦୧୫ ମସିହାରେ ରାଉତରାଗଡିଆ ରେ କେନାଲ କାମ ଚାଲୁଥିବାବେଳେ ସେହି ଗ୍ରାମର ୱାର୍ଡମେମ୍ବର ଚିନ୍ତାମଣି ଉପସ୍ଥିତ ରହି କାମ ତଦାରଖ କରୁଥିଲେ । ସେହିବର୍ଷ ଫେବୃୟାରୀ ମାସ ୬ ତାରିଖ କାମ ଚାଲୁଥିବାବେଳେ ସେହି ଗ୍ରାମର ପ୍ରଫୁଲ୍ଲ ପାଳ ହଠାତ୍ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଏକ ଗୁଟିଆ (ଛୋଟ କୁରାଢୀ) ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରି ରକ୍ତାକ୍ତ କରି ଦେଇଥିଲା । ଫଳରେ ଗୁରୁତର ଆଘାତ ପ୍ରାପ୍ତ ହୋଇଥିବା ଚିନ୍ତାମଣିଙ୍କୁ ପ୍ରଥମେ ଆଗରପଡା ପରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ସେ ଗୁରୁତର ଥିବାରୁ ଏ ବିଷୟରେ ସେହି ଗ୍ରାମର କାହ୍ନୁଚରଣ ଗିରି ଆଗରପଡା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ କେଶ୍ ନଂ ୧୫/୧୫, ଦଫା ୨୯୪/ ୩୨୩ / ୩୨୫ / ୩୦୭ ଦଫାରେ ଏକ ମାମଲା ରୁଜୁ କରି ପ୍ରଫୁଲ୍ଲକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରେ ମାନ୍ୟବର କୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିଥିଲେ । ମାମଲାଟି ତଦନ୍ତ ପରେ ଚାର୍ଜସିଟ୍ ହେବା ପରେ ଏହି ମାମଲାଟି ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତରେ ଏସ୍‌ଟି ନଂ ୩/୨୦୧୭ ରେ ବିଚାର ହୋଇ ଆଜି ଏହି ରାୟ ପ୍ରକାଶ ପାଇଛି । ସରକାରଙ୍କର ପକ୍ଷରୁ ଭଦ୍ରକର ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର ଯତିକାନ୍ତ ନାୟକ ମାମଲା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.