Home ଜିଲ୍ଲା ପରିକ୍ରମା ୮ ଜଣଙ୍କୁ ‘ସାଳନ୍ଦୀ ସାହିତ୍ୟ ସଙ୍ଗମ’ ସୃଜନ ପୁରସ୍କାର, ଛଅଜଣ ପାଇବେ ‘ସାହିତ୍ୟସଖା’ ସମ୍ମାନ

୮ ଜଣଙ୍କୁ ‘ସାଳନ୍ଦୀ ସାହିତ୍ୟ ସଙ୍ଗମ’ ସୃଜନ ପୁରସ୍କାର, ଛଅଜଣ ପାଇବେ ‘ସାହିତ୍ୟସଖା’ ସମ୍ମାନ

11

ଭଦ୍ରକ, ୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବୋତର ଓଡ଼ିଶାର ସର୍ବବୃହତ ତଥା ଏକମାତ୍ର ଦ୍ୱିଦିବସୀୟ ସାହିତ୍ୟ ଉତ୍ସବ ‘ସାଳନ୍ଦୀ ସାହିତ୍ୟ ସଙ୍ଗମ’ର ସୃଜନ ପୁରସ୍କାର ଚଳିତ ବର୍ଷ ପାଇଁ ଘୋଷିତ ହୋଇଛି। ଭୁବନେଶ୍ୱରରେ ଅବସ୍ଥାପିତ ଓଡ଼ିଶାର ସ୍ୱନାମଧନ୍ୟ ପ୍ରକାଶନ ସଂସ୍ଥା ‘ଟାଇମ୍‌ପାସ’ ପକ୍ଷରୁ ଭଦ୍ରକଠାରେ ବିଗତ ତିନିବର୍ଷ ଧରି ଆୟୋଜିତ ହୋଇଆସୁଥିବା ଏହି ନିଆରା ସାହିତ୍ୟ ଉତ୍ସବର ଚଳିତ ସଂସ୍କରଣରେ ଭଦ୍ରକର ବରପୁତ୍ରମାନଙ୍କ ନାମରେ ନାମିତ ଆଠଜଣ ବିଶିଷ୍ଟ ପ୍ରତିଭାଙ୍କୁ ସୃଜନ ପୁରସ୍କାର ଓ ଛଅ ଜଣ ବ୍ୟକ୍ତିବିଶେଷଙ୍କୁ ସାହିତ୍ୟସଖା ସମ୍ମାନ ପ୍ରଦାନ କରାଯିବାକୁ ନିଷ୍ପତି ହୋଇଛି। ଏହି କ୍ରମରେ ‘ଯାଜ୍ଞସେନୀ’ର ଲେଖିକା ଜ୍ଞାନପୀଠ ବିଜୟିନୀ ସୁଖ୍ୟାତ କଥାଶିଳ୍ପୀ ଡ. ପ୍ରତିଭା ରାୟଙ୍କୁ ‘ନିତ୍ୟାନନ୍ଦ ମହାପାତ୍ର ଉପନ୍ୟାସ ପୁରସ୍କାର’, ‘ଯୋଗିନୀଗୀତ’ର ବିଶିଷ୍ଟ କବି ଡ. ଅପର୍ଣ୍ଣା ମହାନ୍ତିଙ୍କୁ ‘କବିଶେଖର ଚିନ୍ତାମଣି ମହାନ୍ତି କବିତା ପୁରସ୍କାର’, ବରିଷ୍ଠ କଥାଶିଳ୍ପୀ ଦାଶ ବେନହୁରଙ୍କୁ ‘କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଗଳ୍ପ ପୁରସ୍କାର’, ସମାଲୋଚକ ପ୍ରଫେସର କଇଳାଶ ପଟ୍ଟନାୟକଙ୍କୁ ‘ହରେକୃଷ୍ଣ ମହତାବ ପ୍ରବନ୍ଧ ପୁରସ୍କାର’, ଅନୁବାଦକ ପ୍ରଦୀପ କୁମାର ରାୟଙ୍କୁ ‘ଲକ୍ଷ୍ମୀନାରାୟଣ ମହାନ୍ତି ଅନୁବାଦ ପୁରସ୍କାର’, ‘ଆହେ ନୀଳ ଶଇଳ’ର ନିଦ୍ଦେର୍ଶକ ଲାଲା ବୀରେନ ରାୟଙ୍କୁ ‘ବଂଶୀବଲ୍ଲଭ ଗୋସ୍ୱାମୀ ନାଟକ ପୁରସ୍କାର’, ‘ହୃଦୟର ଏଇ ଶୂନ୍ୟତାକୁ’ ଗୀତର ପ୍ରସିଦ୍ଧ କଣ୍ଠଶିଳ୍ପୀ ଶେଖର ଘୋଷଙ୍କୁ ‘ମନମୋହନ ସାବତ ସଙ୍ଗୀତ ପୁରସ୍କାର’ ଏବଂ ‘ରାଣ୍ଡୀପୁଅ ଅନନ୍ତା’ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କୁ ‘ନୀରଦ ମହାପାତ୍ର ଚଳଚ୍ଚିତ୍ର ପୁରସ୍କାର’ ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି। ପ୍ରତ୍ୟେକଙ୍କୁ ଦଶହଜାର ଟଙ୍କାର ଅର୍ଥରାଶି ସହିତ ସମ୍ମାନପତ୍ର ଓ ଫଳକ ପ୍ରଦାନ କରାଯିବ। ଏଥିସହିତ ସାହିତ୍ୟସଖା ସମ୍ମାନରେ ସମ୍ବର୍ଦ୍ଧିତ ହେବେ ପ୍ରସିଦ୍ଧ ସାହିତ୍ୟପତ୍ରିକା ‘ଝଙ୍କାର’ର ବରିଷ୍ଠ ସମ୍ପାଦକ ସରୋଜ ରଞ୍ଜନ ମହାନ୍ତି, ଭଦ୍ରକର ବିଶିଷ୍ଟ ସାହିତ୍ୟାନୁରାଗୀ ଅଜୟ ନାୟକ, ବାଲେଶ୍ୱରର ସୁଦକ୍ଷ ସାହିତ୍ୟ ସଂଗଠକ ପ୍ରଶାନ୍ତ କୁମାର ଦାସ, ‘ପକ୍ଷୀଘର’ର ପ୍ରକାଶକ ବନୋଜ ତ୍ରିପାଠୀ, ସାହିତ୍ୟର ପ୍ରବାସୀ ପ୍ରୋତ୍ସାହକ ତଥା ‘ଆକାଂକ୍ଷା’ର ସଂପାଦକ ସୁରେଶ ନାୟକ ଏବଂ ବିଶିଷ୍ଟ ପ୍ରଚ୍ଛଦଶିଳ୍ପୀ ଚୂଡାମଣି ଦାସ। ଫେବୃଆରୀ ୧୪ ଓ ୧୫ ଦୁଇଦିନ ଧରି ସାଳନ୍ଦୀ ବାଇପାସସ୍ଥିତ ‘ସଙ୍ଗମ କନଭେନ୍‌ସନ’ଠାରେ ମହା ସମାରୋହରେ ଆୟୋଜିତ ହେବାକୁ ଥିବା ଏହି ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ବିଶିଷ୍ଟ ଲେଖକ, କଳାକାର, ଅଭିନେତା, ନିର୍ଦ୍ଦେଶକ, ସଙ୍ଗୀତଜ୍ଞଙ୍କ ସମାବେଶରେ ସାହିତ୍ୟର ବିଭିନ୍ନ ସଂପାନ ଓ ଆବୃତି ସହିତ ଏକ ନୂତନ ଓଡ଼ିଆ ଚଳଚ୍ଚିତ୍ର ‘କାନ୍ଦମାଷ୍ଟ୍ରେ’ର ପ୍ରିମିୟର ଶୋ ଅନୁଷ୍ଠିତ ହେବ ବୋଲି ଉତ୍ସବର ନିର୍ଦ୍ଦେଶକ ଯୁବଲେଖକ ସରୋଜ ବଳ ଓ ସଭାପତି କଥାକାର ପବିତ୍ର ପାଣିଗ୍ରାହୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.