Home ଜିଲ୍ଲା ପରିକ୍ରମା ୮୭ ତମ ଓଡ଼ିଶା ଦିବସ ପାଳନ ପ୍ରସ୍ତୁତି ବୈଠକ

୮୭ ତମ ଓଡ଼ିଶା ଦିବସ ପାଳନ ପ୍ରସ୍ତୁତି ବୈଠକ

36

ଭଦ୍ରକ, ୨୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗାମୀ ୮୭ ତମ ଓଡ଼ିଶା ଦିବସ-୨୦୨୨ କୁ ଭଦ୍ରକ ଜିଲ୍ଲା ସ୍ତରରେ ପାଳନ କରାଯିବା ପାଇଁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୈାର ନିର୍ବାଚନ ନେଇ ଆଦର୍ଶ ଆଚରଣ ବିଧି ଲାଗି ରହିଥିବାରୁ ଏହି ଉତ୍ସବ ପାଳନ ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଏହି ବୈଠକ ଆୟୋଜନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ର ଓ ଏହି କାର୍ଯ୍ୟକ୍ରମର ସଂଯୋଜକ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଏହି ବୈଠକରେ ଉପସ୍ଥିତ ଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀଯୁକ୍ତ ନାୟକଙ୍କ ଦ୍ୱାରା ବୈଠକରେ ପୂର୍ବ ବର୍ଷର ପାଳନ ବିବରଣୀ ଉପସ୍ଥାପନ ଅନୁଯାୟୀ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଥିଲା। ତା.୦୧.୦୪.୨୦୨୨ ରିଖ ଶୁକ୍ରବାର ଦିନ ପାଳିତ ହେବାକୁ ଥିବା ଏହି ସମାରୋହ ପାଇଁ ପ୍ରତ୍ୟୁଷରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ଭଦ୍ରକ ପୌର ପରିଷଦ ଅଞ୍ଚଳରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ପରିକ୍ରମା କରାଯିବ।

ସକାଳ ୮ ଘଟିକା ସମୟରେ ସରକାରଙ୍କ ଦ୍ୱାରା ସ୍ଥିରିକୃତ ମୁଖ୍ୟ ଅତିଥି, ଜିଲ୍ଲାପାଳ ଓ ଉପସ୍ଥିତ ଅନ୍ୟ ଅତିଥି ଓ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ଦ୍ୱାରା ଭଦ୍ରକ ସହର ମୁଖ୍ୟ ରାସ୍ତା ପାଶ୍ୱର୍ରେ ପ୍ରାୟ ୯ ଗୋଟି ସ୍ଥାନରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ। ପରେ ପରେ ଦିବା ଘ.୧୦.୩୦ ମି ରେ ଜିଲ୍ଲା ସଂସ୍କୃତି ଭବନରେ ଓଡ଼ିଶା ଦିବସ ପାଳନ ନେଇ ଏକ ସାଧାରଣ ସଭା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଉତ୍ସବ ପାଳନ ଦିନ ସନ୍ଧ୍ୟାରେ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ କୋଠା, ବ୍ୟାଙ୍କ୍‌, ବିଭିନ୍ନ ପ୍ରତିଷ୍ଠାନ କାର୍ଯ୍ୟାଳୟ ଆଦି ବିଦ୍ୟୁତ ଆଲୋକମାଳାରେ ସଜ୍ଜୀକରଣ ପାଇଁ ଥିବା ସରକାରୀ ନିର୍ଦ୍ଦେଶମତେ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପରାମର୍ଶ ପ୍ରଦାନ କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ତରଫରୁ ଦେଶାତ୍ମବୋଧକ ସଙ୍ଗୀତକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ବନ୍ଦେ ଉତ୍କଳ ଜନନୀ’ ଶ୍ରୀ ଜଗନ୍ନାଥ ସାଂସ୍କୃତିକ କଳାକାର ସଂଘ, ଭଦ୍ରକ ଦ୍ୱାରା ସନ୍ଧ୍ୟାରେ ସହିଦ୍ ସ୍ମୃତି ଭବନରେ ଅନୁଷ୍ଠିତ ହେବ ବୋଲି ବୈଠକରେ ଉପସ୍ଥିତ ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.