Home ଜିଲ୍ଲା ପରିକ୍ରମା ୭ ଦଫା ଦାବି ନେଇ ଜିଲା ଟିପ୍ପର ଓ ଡମ୍ପର ମାଲିକ ସଂଘର ଆତ୍ମାହୁତି ଚେତାବନୀ

୭ ଦଫା ଦାବି ନେଇ ଜିଲା ଟିପ୍ପର ଓ ଡମ୍ପର ମାଲିକ ସଂଘର ଆତ୍ମାହୁତି ଚେତାବନୀ

42

ଭଦ୍ରକ, ୨୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାରେ ସମସ୍ତ ହାଇୱା ଗାଡି ଡାଲା ଲେବୁଲରେ ଲୋଡ୍ ବୋହିବା, ବିନା କାରଣରେ ହାଇୱା ଗାଡିମାନଙ୍କୁ ଫାଇନ୍ କରାନଯିବା, ଡାଲା ଲେବୁଲ ହିସାବରେ ଉଚିତ୍ ପ୍ରାପ୍ୟ ପାଇବା, ଜିଲାରେ କାମ ହେଉଥିବାରୁ ଲୋକାଲ୍ ମାଲିକମାନଙ୍କୁ ପ୍ରଥମେ ସେଥିରେ ନିୟୋଜିତ କରିବେ, ଓଭରଲୋଡିଂ କୁ ପ୍ରୋତ୍ସାହନ ଦେଉଥିବା କଂପାନୀ କେଇସି, ଡିବିଏଲ୍‌, ଡିପିସିଏଲ୍‌, ୟୁଏମ୍‌ଏସ୍‌ଏଲ୍‌, ଫେକର ଙ୍କ ଉପରେ ଓଭରଲୋଡିଂ ନକରିବା ପାଇଁ ଅଂକୁଶ ଲଗାଯିବା, ଏହି ଓଭରଲୋଡିଂ କୁ ରୋକିବା ପାଇଁ ଭଣ୍ଡାରିପୋଖରୀ, ଧାମନଗର, ବନ୍ତ ଓ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ୍‌ର ସହଯୋଗ ଏବଂ ଲିଜ୍ ନଥିବାଏବଂ ଆର ଫର୍ମ ନଥିବା ଖାଦାନକୁ ବନ୍ଦ କରାଯିବା ଭଳି ଦାବି ନେଇ ଆଜି ଭଦ୍ରକ ଜିଲା ଟିପ୍ପର ଓ ଡମ୍ପର ମାଲିକ ସଂଘ ପକ୍ଷରୁ ଜିଲାପାଳ ତ୍ରିଲୋଚନ ମାଝୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ର ମୂଳେ ମହାମାରୀ କରୋନାର ତାଣ୍ଡବ ପରେ ଅଭାବନୀୟ ଆର୍ଥିକ ଓ ସାମାଜିକ ପରିସ୍ଥିତିରେ ରୋଜଗାର ନିମନ୍ତେ ବହୁ ଶିକ୍ଷିତ ଓ ବେରୋଜଗାର ଯୁବକମାନେ ଋଣନେଇ ଗାଡି କିଣି ମାଲ ପରିବହନ କ୍ଷେତ୍ରରେ ନିଜକୁ ନିୟୋଜିତ କରିଆସୁଥିବାବେଳେ ଗୁରୁତ୍ୱପୂର୍ଣ୍ଣ ଏହି ପରିବହନ କ୍ଷେତ୍ରରେ ସରକାରୀ ଉଦାସୀନତା ଓ କାମ ଯୋଗାଉଥିବା ଠିକାଦାରମାନଙ୍କ ଶୋଷଣ ଯୋଗୁଁ ବହୁ ଯୁବ ଗାଡି ମାଲିକ ଆତ୍ମାହୁତି ଦେବାର ପରିସ୍ଥିତି ଉପୁଜିଛି ବୋଲି ଆଜି ଜିଲାପାଳଙ୍କ ନିକଟକୁ ଆସିଥିବା ଭଦ୍ରକ ମଲ୍ଟି ଏକ୍ସଲ ଟିପ୍ପର ଓନର୍ସ ଆସୋସିଏସନ୍‌ର କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି।

ଏ ସଂପର୍କରେ ଏହି ଆସୋସିଏସନ୍‌ର ସଭାପତି ବୈକୁଣ୍ଠନାଥ ବାରିକ, ଉପସଭାପତି ସୁଶୀଲ ଗୁପ୍ତା, ସାଧାରଣ ସଂପାଦକ ପ୍ରଫୁଲ୍ଲ ଚନ୍ଦ୍ର କର, ଯୁଗ୍ମ ସଂପାଦକ ଶ୍ୟାମସୁନ୍ଦର ଗୁପ୍ତା ଓ କୋଷାଧ୍ୟକ୍ଷ ସୁରେଶ ଚନ୍ଦ୍ର ନାୟକ ପ୍ରମୁଖ ଜିଲାପାଳଙ୍କୁ ଦେଇଥିବା ଅଭିଯୋଗ ପତ୍ର ମୂଳେ ଏହି ଜିଲାର ପରିବହନ କ୍ଷେତ୍ରରେ ଧାମରା ପୋର୍ଟର ରେଳପଥ ବିକାଶ, କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ପ୍ରଶସ୍ତିକରଣ ଓ ଅନ୍ୟ ଛୋଟବଡ ଶିଳ୍ପ ମାନଙ୍କ ପାଇଁ ମାଲ ପରିବହନ କ୍ଷେତ୍ରରେ ମୁଖ୍ୟତଃ ଗାଡିଗୁଡିକ କାମ ଯୋଗାଇଥାଏ। କିନ୍ତୁ ଏହି ପରିବହନ ନିମନ୍ତେ ସର୍ବନିମ୍ନ ଭଡା ନଦେଇପାରି ଓଭରଲୋଡିଂକୁ ପ୍ରୋତ୍ସାହନ କରୁଥିବାରୁ ଗାଡି ମାଲିକମାନେ ସରକାରୀ କର୍ମଚାରୀମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଜରିମାନା ଓ ଚାନ୍ଦା ଦେଇ ଦେବାଳିଆ ହୋଇଗଲେଣି। ଘୋଡା ଛ’ ଟଙ୍କାକୁ ଦାନା ନ’ ଟଙ୍କା ଭଳି ପରିସ୍ଥିତିରେ ପଡି ଗାଡି ମାଲିକମାନେ ସର୍ବନିମ୍ନ ଭଡା ପାଉନଥିବାରୁ ଓଭରଲୋଡିଂ କରିବା ପାଇଁ ବାଧ୍ୟ ହେଉଛନ୍ତି। ଫଳସ୍ୱରୂପ ଓଭରଲୋଡିଂ ପରେ ଜିଲାର ବିଭିନ୍ନ ସ୍ଥାନରେ ହଜାର ହଜାର ଟଙ୍କା ଜରିମାନା ଓ ଚାନ୍ଦା ଆକାରରେ ରାଜ୍ୟ ସରକାରଙ୍କ ପୁଲିସ୍‌, ଆରଟିଓ ଓ ତହସିଲ କର୍ମଚାରୀମାନଙ୍କୁ ଦେଇ ତଳି ତଳାନ୍ତ ହେବାକୁ ବସିଲେଣି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପରିବହନ ଭଡାର ନିୟମକୁ ଖିଲାପ କରି ଏକଛତ୍ରବାଦ ଭାବେ ଜୋର ଜବରଦସ୍ତ ଭଡାକୁ ଲଦି ଦିଆଯାଇ ପରିବହନ କରିବା ପାଇଁ ବାଧ୍ୟ କରିବା ହେତୁ ଅସଂଗଠିତ ଓ ଅବହେଳିତ ଗାଡି ମାଲିକ ମାନେ ନିଜର ନ୍ୟାର୍ଯ୍ୟ ପ୍ରାପ୍ୟ ପାଇବା ପାଇଁ ଅସମର୍ଥ ହେଉଛନ୍ତି।

ବିଶେଷକରି ଭଦ୍ରକ ଭଳି ଏକ ଉଚ୍ଚଶିକ୍ଷିତ ଜିଲାରେ (ଯେଉଁଠାରେ ଧାମରା ପୋର୍ଟ, ବେଦାନ୍ତ ଓ ଅନ୍ୟ ବହୁ ଛୋଟବଡ ଶିଳ୍ପ ରହିଛି) ଜିଲା ପ୍ରଶାସନ ନାକତଳେ ପରିବହନ କ୍ଷେତ୍ରରେ ଘଟୁଥିବା ଶୋଷଣ ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ। ମାଲ ପରିବହନ କରୁଥିବା କୌଣସି ଗାଡି ମାଲିକ ଗାଡିର ସାମର୍ଥ୍ୟ, ଦୁର୍ଘଟଣା ହେବାର ସମ୍ଭାବନା ଓ ଆଇନ୍ ଅବମାନନା, ଗାଡିର କ୍ଷତି ଓ ଚାନ୍ଦାକୁ ଆଖିରେ ରଖି କୌଣସି ପରିସ୍ଥିତିରେ ମାତ୍ରା ଠାରୁ ଅଧିକ ପରିବହନ (ଓଭରଲୋଡିଂ) କରିବା ପାଇଁ ଚାହିଁବେ ନାହିଁ। କିନ୍ତୁ ଉଚିତ୍ ଭଡା ଅଭାବରେ ଗାଡି କ୍ରୟ ବାବଦ ଆଣିଥିବା ଋଣର ପରିଶୋଧ, ପରିବାର ଗୁଜୁରାଣ ଓ ଗାଡିରେ ନିୟୋଜିତ ହୋଇଥିବା ଗାଡି ଡ୍ରାଇଭର, ହେଲପରଙ୍କ ଦରମା ପାଇଁ ଓଭରଲୋଡିଂ ଭଳି ବେଆଇନ୍ କାର୍ଯ୍ୟରେ ସାମିଲ ହେବାକୁ ବାଧ୍ୟ ହେଉଛନ୍ତି। ଏଭଳି ପରିସ୍ଥିତିରେ ପଡି ଓଭରଲୋଡିଂ କାର୍ଯ୍ୟ କରିଆସୁଥିବା ଚାଳକମାନଙ୍କ ପକ୍ଷରୁ ‘ଓଡ଼ିଶା ଡ୍ରାଇଭର ମହାସଂଘ’ ର ଭଦ୍ରକ ଜିଲା ସଭାପତି ଦିଲ୍ଲୀପ ସାହୁ ଜିଲା ପ୍ରଶାସନର ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି ଓ ଓଭରଲୋଡିଂ ତୁରନ୍ତ ବନ୍ଦ କରିବାକୁ ସମସ୍ତ ଗାଡି ମାଲିକ ସଂଘକୁ ନିବେଦନ କରିଛନ୍ତି। ଏଣୁ ତୁରନ୍ତ ପରିବହନ କାମ କରୁଥିବା ସଂସ୍ଥାମାନଙ୍କର କର୍ତ୍ତୃପକ୍ଷମାନଙ୍କୁ ଡକାଇ ଜିଲାରେ ଓଭରଲୋଡିଂ ବନ୍ଦ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉ। ନଚେତ୍ ଜିଲା ଟିପ୍ପର, ଡମ୍ପର ମାଲିକ ସଂଘର କର୍ମକର୍ତ୍ତା ଓ ଗାଡି ମାଲିକମାନେ ଧର୍ମଘଟ କରିବା ପାଇଁ ପଛାଇବେ ନାହିଁ ବୋଲି ଜିଲା ଟିପ୍ପର ଓ ଡମ୍ପର ମାଲିକ ସଂଘ ଜିଲାପାଳଙ୍କୁ ଦେଇଥିବା ଅଭିଯୋଗ ପତ୍ର ମାଧ୍ୟମରେ ଚେତାବନୀ ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.