Home ଓଡ଼ିଶା ୭ ଅଗଷ୍ଟ – ସାମାଜିକ ନ୍ୟାୟ ଦିବସ ଅବସରରେ ପ୍ରତିବାଦ ବିକ୍ଷୋଭ

୭ ଅଗଷ୍ଟ – ସାମାଜିକ ନ୍ୟାୟ ଦିବସ ଅବସରରେ ପ୍ରତିବାଦ ବିକ୍ଷୋଭ

223

– ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ପଛୁଆବର୍ଗଙ୍କୁ ୨୭ ଭାଗ ସଂରକ୍ଷଣ ଦାବିରେ ସ୍ମାରକପତ୍ର : ସାମ୍ମାଜିକ ନ୍ୟାୟ ସାମ୍ମୁଖ୍ୟ

ଭୁବନେଶ୍ୱର, ୭ା୮ (ଓଡ଼ିଆ ପୁଅ) : ୧୯୯୦ ମସିହା ଅଗଷ୍ଟ ୭ ତାରିଖ ଦିନ କେନ୍ଦ୍ର ସରକାର ମଣ୍ଡଳ କମିଶନ ରିପୋର୍ଟ ଲାଗୁ କରିଥିଲେ। ପଛୁଆ ବର୍ଗଙ୍କ ପାଇଁ ନିଯୁକ୍ତି କ୍ଷେତ୍ରରେ ୨୭% ସଂରକ୍ଷଣ ପ୍ରଦାନ କରାଯାଇଥିଲା। ପରେ ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ଆଇ.ଆଇ.ଟି., ଆଇ.ଆଇ.ଏମ୍ ., ଏ.ଆଇ.ଆଇ.ଏମ୍ .ଏସ୍ . ଭଳି ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ନାମଲେଖା ପାଇଁ ପଛୁଆ ବର୍ଗଙ୍କୁ ୨୭% ସଂରକ୍ଷଣ କେନ୍ଦ୍ର ସରକାର ଦେଲେ। ଓଡ଼ିଶାରେ ୧୯୯୪ ମସିହାରୁ ୨୦୦୭ ମସିହା ଅପ୍ରେଲ୍ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ସରକାରୀ ଚାକିରୀ କ୍ଷେତ୍ରରେ ୨୭% ସ୍ଥାନ ସଂରକ୍ଷଣ ପଛୁଆବର୍ଗଙ୍କୁ କଲେ। କିନ୍ତୁ ଦୁଃଖର କଥା ଓଡ଼ିଶାରେ ନାମଲେଖା କ୍ଷେତ୍ରରେ ପଛୁଆବର୍ଗ ଛାତ୍ରଛାତ୍ରୀଙ୍କୁ ଆଜି ପର୍ଯ୍ୟନ୍ତ ଆଦୌ ସଂରକ୍ଷଣ ଦିଆଯାଉନାହିଁ ଏବଂ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଏକ ମକଦ୍ଦମାର ଆଳ ଦେଖାଇ ୨୭% ନିଯୁକ୍ତି କ୍ଷେତ୍ରରେ ଦିଆଯାଇଥିବା ସଂରକ୍ଷଣକୁ ୧୧.୨୫%କୁ କମାଇଦେଲେ। ଆଜି ରାଜ୍ୟରେ ଖାଲିପଡ଼ିଥିବା ୧ଲକ୍ଷ ୩୧ ହଜାର ସରକାରୀ ଚାକିରୀରେ ଯଦି ୨୭% ସଂରକ୍ଷଣ ଆଧାରରେ ନିଯୁକ୍ତି ଦିଆଯାଇଥାନ୍ତା, ତାହେଲେ ପାଖାପାଖି ୩୬ ହଜାର ପଛୁଆବର୍ଗର ବେକାର ଯୁବକ ଯୁବତୀମାନେ ଚାକିରୀ ପାଇପାରିଥାନ୍ତେ। ସେହିଭଳି ମେଡିକାଲ, ଇଂଜିନିୟରିଂ, ଏମ୍ .ବି.ଏ. ସମେତ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ପଛୁଆବର୍ଗ ଛାତ୍ରଛାତ୍ରୀଙ୍କୁ ନାମଲେଖା କ୍ଷେତ୍ରରେ ୨୭% ସଂରକ୍ଷଣ ଦିଆଯାଇଥିଲେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷାର ସୁଯୋଗ ପାଇପାରିଥାନ୍ତେ। କିନ୍ତୁ ଦୁଃଖର କଥା ରାଜ୍ୟର ୫୨ଭାଗ ପଛୁଆବର୍ଗର ଏହି ସାମ୍ବିଧାନିକ ଅଧିକାରକୁ ଓଡ଼ିଶା ସରକାର ଆଜି ପର୍ଯ୍ୟନ୍ତ ଅଣଦେଖା କରିଆସିଛନ୍ତି। ଏଭଳିକି ରାଜ୍ୟରେ ପଛୁଆବର୍ଗ କମିଶନ ମଧ୍ୟ ଆଜି ପର୍ଯ୍ୟନ୍ତ ଗଠିତ ହୋଇପାରିଲା ନାହିଁ। ପଛୁଆବର୍ଗ ଅର୍ଥନିଗମ ନିଷ୍କ୍ରିୟ ହୋଇ ପଡ଼ିଥିବା ଯୋଗୁଁ ଲକ୍ଷ ଲକ୍ଷ ପଛୁଆବର୍ଗର ବେକାର ଯୁବକଯୁବତୀମାନେ ସୁବିଧାରେ ଋଣ ପାଇବାରୁ ବଞ୍ଚିତ ହେଉଛନ୍ତି ଏବଂ ଆତ୍ମ ନିଯୁକ୍ତିର ସୁଯୋଗ ପାଇପାରୁନାହାଁନ୍ତି। କଲେଜ ଏବଂ ବିଶ୍ୱବିଦ୍ୟାଳୟମାନଙ୍କରେ ପଛୁଆବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ୍ ମଧ୍ୟ ସମ୍ପୂର୍ଣ୍ଣ ନିର୍ମାଣ କରାଯାଇପାରିନାହିଁ। ପ୍ରତିବର୍ଷ ଭଳି ଏ ବର୍ଷ ୭ ଅଗଷ୍ଟକୁ ଆମ୍ଭେ ସାମାଜିକ ନ୍ୟାୟ ଦିବସ ଭାବେ ପାଳନ କରି ଏହି ପ୍ରତିବାଦ ଓ ବିକ୍ଷୋଭ ଜରିଆରେ ରାଜ୍ୟ ସରକାରଙ୍କ ପାଖରେ ଦାବି କରୁଛୁ ଯେ, (୧) ପଛୁଆବର୍ଗ ଛାତ୍ରଛାତ୍ରୀଙ୍କୁ ନାମଲେଖା ନିଯୁକ୍ତିରେ ୨୭% ସ୍ଥାନ ସଂରକ୍ଷଣ ଦିଆଯାଉ (୨) ଓଡ଼ିଶାରେ ଓବିସି କମିଶନ ଗଠନ କରାଯାଇ ପଛୁଆବର୍ଗଙ୍କର ସାମ୍ବିଧାନିକ ଅଧିକାରକୁ ମାନ୍ୟତା ପ୍ରଦାନ କରାଯାଉ (୩) ପଛୁଆବର୍ଗ ଅର୍ଥ ନିଗମକୁ ସକ୍ରୀୟ କରି ଆତ୍ମନିଯୁକ୍ତି ପାଇଁ ସହଜ ସୁଧରେ ଋଣ ପ୍ରଦାନ କରାଯାଉ (୪) ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ପଛୁଆବର୍ଗ ଛାତ୍ରଛାତ୍ରୀଙ୍କ ପାଛଁ ହଷ୍ଟେଲ୍ ନିର୍ମାଣ କରାଯାଉ। ‘ସାମ୍ମୁଖ୍ୟ’ର ଆବାହକ ରବି ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଆଜିର ଏହି ପ୍ରତିବାଦ ବିକ୍ଷୋଭରେ ପ୍ରଫୁଲ୍ଲ ଦାସ, ସୁଦର୍ଶନ ପ୍ରଧାନ, ଦିପ୍ତୀ ପଣ୍ଡା, ସଂଜୟ ନାୟକ, ସୁବ୍ରତ ଲେଙ୍କା, ବିଜୟ ବେହେରା, ଦୀପଦାସ ଯାଦବ, ପୀତବାସ ବେହେରା ଓ ନାରୀନେତ୍ରୀ ସାବିତ୍ରୀ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ। ମାନ୍ୟବର ରାଜ୍ୟପାଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୪ ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.