ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଟକ ବାଲିଯାତ୍ରା ଭଳି ନହେଲେ ବି ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ଦୀର୍ଘ ୬୯ ବର୍ଷ ଧରି ବଜାୟ ରଖିଛି ବାଉଦପୁର ଅଂଚଳର ହରିହର ବାଲିଯାତ୍ରା ଓ ବୋଇତ ବନ୍ଦାଣ। ଗତ ୫ ତାରିଖ ଠାରୁ ଏହି ବାଲିଯାତ୍ରା ଆରମ୍ଭ ହୋଇ ଆଜି ଉଦ୍ଯାପିତ ହୋଇଛି। ବାଉଦପୁର ଅଂଚଳର ହରିହର ବାଲିଯାତ୍ରା ଏହି ଅଂଚଳ ଦେଇ ପ୍ରବାହିତ ସାଳନ୍ଦୀ ନଦୀକୂଳ ବାଲିପଠାରେ ୧୯୫୬ ମସିହାରୁ ପାଳିତ ହୋଇଆସୁଅଛି। ତେବେ ସେଦିନର ନଦୀପଠା ବାଲିରେ ତିଆରି ମନ୍ଦିର ଉପରେ ତୁଳସୀ ଗଛ ପୋତି ବ୍ୟକ୍ତିଗତ ଉଦ୍ୟମରେ ଆରମ୍ଭ ହୋଇଥିବା ବାଲିଯାତ୍ରା ଆଜି ସାର୍ବଜନୀନ ହୋଇ ଖ୍ୟାତି ଲାଭ କରିଛି। ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଐତିହ୍ୟକୁ ବଜାୟ ରଖିବା ସହ ଗ୍ରାମ୍ୟ ଏକତା ଓ ସାମାଜିକ ସହାବସ୍ଥାନକୁ ମଜବୁତ କରିପାରିଛି। ଏବେ ଏହି ବାଲିଯାତ୍ରାର ଆୟୋଜନ ବ୍ୟୟବହୁଳ ହେବା ସହ ମେଳା, ତୋରଣ, ସାଜସଜ୍ଜା, ରଙ୍ଗ ବେରଙ୍ଗର ଆଲୋକ ସାଙ୍ଗକୁ ଅପେରା ପାର୍ଟି ଦେଖଣାହାରୀଙ୍କୁ ଅଧିକ ଆକର୍ଷିତ କରିଛି। ବାଲିଯାତ୍ରାର ଆକର୍ଷଣ ସାଙ୍ଗକୁ ହରିହର ମନ୍ଦିରରେ କାର୍ତିକ ପୂର୍ଣ୍ଣମୀ ପରଠାରୁ ୭ଦିନ ବ୍ୟାପୀ ଭଜନ କୀର୍ତନ ସମାରୋହ ସମଗ୍ର ବାଉଦପୁର ଓ ଆଖପାଖ ଅଂଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥାଏ। ଏହିସବୁ ଅଂଚଳର ଶ୍ରଦ୍ଧାଳୁମାନେ ପ୍ରତିଦିନ ସନ୍ଧ୍ୟାରେ ହରିହରଙ୍କ ପୂଜା ଆରାଧନାରେ ସାମିଲ ହେବା ସହ ଭଜନ କୀର୍ତନରେ ମଜିଯିବା ସହ ଯାତ୍ରାର ମାହୌଲକୁ ଉପଭୋଗ କରିଥାନ୍ତି। ବିଶେଷକରି ଚଳିତବର୍ଷର ସ୍ଥାନୀୟ ଅଂଚଳ ତଥା ଓଡ଼ିଶାର ବିଶିଷ୍ଟ କାଠ ପଥର ମୂର୍ତି ଶିଳ୍ପୀ ଅଶୋକ ଦେ’ଙ୍କ ଦ୍ୱାରା ନିର୍ମିତ ସୁଦୀର୍ଘ ବାଲିଯାତ୍ରା ତୋରଣଟି ଏଥର ଦର୍ଶକମାନଙ୍କୁ କିଣିପାରିଥିବା କଥା କୁହନ୍ତି ମେଳାକୁ ଆସିଥିବା ଯାତ୍ରୀ ଶୁଭଲକ୍ଷ୍ମୀ ମହାନ୍ତି। ଆକର୍ଷଣୀୟ ତୋରଣ ସହ ରଙ୍ଗବେରଙ୍ଗର ଆଲୋକ ସଜ୍ଜା ଓ ପ୍ରତିଦିନ ସନ୍ଧ୍ୟାରେ ମେଲୋଡି, ଅପେରା ଭଳି ଭିନ୍ନ ଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଏଥର ଯାତ୍ରାକୁ ବେଶ୍ ରଙ୍ଗାରଙ୍ଗ କରିଛି। ଚଳିତବର୍ଷ ଏହି ବାଲିଯାତ୍ରା ପାଇଁ ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ କରାଯାଇଥିବା କଥା କୁହନ୍ତି ହରିହର ବାଲିଯାତ୍ରା କମିଟିର ସଭାପତି ଦୟାନିଧି ପଣ୍ଡା। ଏହି ପୂଜା ଆୟୋଜନରେ ସ୍ଥାନୀୟ ଯୁବକମାନଙ୍କ ନିଷ୍ଠା ଓ ନିରବଚ୍ଛିନ୍ନ ଉଦ୍ୟମ ଏହି ବାଲିଯାତ୍ରାକୁ ଅଧିକ ପ୍ରସାରିତ କରିଛି ବୋଲି କୁହନ୍ତି ସଂପାଦକ ସୁବଳ କୁମାର ଦାସ। ଦଶହରା ପରଦିନ ଠାରୁ ହରିହର ବାଲିଯାତ୍ରା କମିଟିର ବୈଠକ ବସି ପୂଜା ଆୟୋଜନର ନିଷ୍ପତିମାନ ନିଆଯାଇଥାଏ। ବାଉଦପୁର ଅଂଚଳର ଏହି ଯାତ୍ରା ହେଉଥିଲେ ମଧ୍ୟ ପାଖଆଖ ଓଗାଳପୁର, ଗୋବିନ୍ଦପୁର, ବାଘୁରାଇ, ରାନ୍ଦିଆ, ଜାନୁଗଞ୍ଜ, ଚାରିଘରିଆ, ମଣିସାହି ଅଂଚଳର ଲୋକମାନେ ଏଥିରେ ସାମିଲ ହେବା ସହ ଚାନ୍ଦା ମଧ୍ୟ ଦେଇଥାଆନ୍ତି। ଦଶହରା ପରଠାରୁ ଯୁବକମାନେ ପୂଜା ପାଇଁ ଚାନ୍ଦା ଆଦାୟରେ ଲାଗିପଡୁଥାନ୍ତି। କାର୍ତିକ ପୂର୍ଣ୍ଣମୀ ଦିନ ସକାଳେ ହରିହରଙ୍କ ମନ୍ଦିରରେ ଅଷ୍ଟପ୍ରହରୀ ପାଇଁ ଅଧିବାସ ଆରମ୍ଭ ହୋଇ ସନ୍ଧ୍ୟାରେ ଯାକ ଜମକରେ ସାଳନ୍ଦୀ ନଦୀରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ବାଲିଯାତ୍ରାର ଅନ୍ୟତମ ଆକର୍ଷଣ ହେଉଛି ମେଳା। ମେଳାରେ ବିଭିନ୍ନ ଅଂଚଳର ବ୍ୟବସାୟୀମାନେ ବିପ୍ପଣୀ ଖୋଲି ବାଲିଯାତ୍ରାଟିରେ ଜନଗହଳି ସୃଷ୍ଟି କରିଥାଆନ୍ତି। ଏହି ବାଲିଯାତ୍ରାର ଶୁଭାରମ୍ଭ ବାଘୁରାଇ ଅଂଚଳର ଧୃବଚରଣ ଦାସଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ବାଉଦପୁର ସାଳନ୍ଦୀ ନଦୀପଠା ବାଲିରେ ମନ୍ଦିର ତିଆରି କରି ସେଥିରେ ତୁଳସୀ ଗଛ ପୋତି ଏହି ବାଲିଯାତ୍ରାର ଶୁଭାରମ୍ଭ କରିଥିଲେ। କଟକରେ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ତାଙ୍କ ପୁତ୍ର ଗୌରାଙ୍ଗ ଦାସ କଟକ ବାଲିଯାତ୍ରାରୁ ପ୍ରଭାବିତ ହୋଇ ଏହି ବାଲିଯାତ୍ରା ଆରମ୍ଭ କରିଥିଲେ ବୋଲି ପୁରୁଖା ଲୋକମାନେ କହନ୍ତି। ମନ୍ଦିର ପ୍ରତିଷ୍ଠା ହେବା ଠାରୁ ବାଲିଯାତ୍ରାର ମହତ୍ୱ ବୃଦ୍ଧି ପାଇଛି। ପିଲାଠାରୁ ବୁଢାବୁଢି ପର୍ଯ୍ୟନ୍ତ ୭ଦିନ ବ୍ୟାପୀ ବାଲିଯାତ୍ରାର ଭରପୁର ମଜା ଉଠାଇଥାଆନ୍ତି।








