Home ଜିଲ୍ଲା ପରିକ୍ରମା ୬୭ ବର୍ଷରେ ପଦାର୍ପଣ କଲା ହରିହର ବାଲିଯାତ୍ରା

୬୭ ବର୍ଷରେ ପଦାର୍ପଣ କଲା ହରିହର ବାଲିଯାତ୍ରା

37

ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -କରୋନା କଟକଣା ପାଇଁ ୨ ବର୍ଷ ହେଲା ଭଦ୍ରକ ସହରରେ ବାଉଦପୁର ବାଲିଯାତ୍ରା ବନ୍ଦ ରହିଥିଲା। ଚଳିତବର୍ଷ ଉକ୍ତ ଯାତ୍ରା ୬୭ ବର୍ଷରେ ପଦାର୍ପଣ କରିଥିବାବେଳେ ଏହାକୁ ଧୁମ୍‌ଧାମରେ ପାଳନ କରାଯିବ। ଆଜି ଠାରୁ ଏହା ଆରମ୍ଭ ହୋଇ ପ୍ରଥମ ଦିନରେ ଅଧିବାସ, ୮ ତାରିଖରେ କୀର୍ତ୍ତନ ଆରମ୍ଭ, ୯ ତାରିଖ ନଗର କୀର୍ତ୍ତନ ଓ ଭଜନ ସମାରୋହ, ୧୦ ଓ ୧୧ ତାରିଖରେ ମେଲୋଡି କାର୍ଯ୍ୟକ୍ରମ ରହିଛି। ୧୨ ରୁ ୧୪ ତାରିଖ ଯାଏ ଯାତ୍ରା ପରିବେଷଣ ହେବ ବୋଲି ସଭାପତି ଦୟାନିଧି ପଣ୍ଡା କହିଛନ୍ତି। କିମ୍ବଦନ୍ତୀ କହେ, ନୌବାଣିଜ୍ୟ ପରମ୍ପରା ଅପେକ୍ଷା ଶ୍ରୀ ଚୈତନ୍ୟଙ୍କ ଓଡ଼ିଶା ଆଗମନ ଓ ଧର୍ମ ପ୍ରଚାର ଏହି ବାଲିଯାତ୍ରାର ମୂଳ ଉତ୍ସବ। କଟକ ଅଂଚଳର ଧ୍ରୁବ ଚରଣ ଦାସ ବାଗୁରାଇରେ ରହି ରାଜମିସ୍ତ୍ରୀ କାମ କରୁଥିଲେ। କଟକ ବାଲିଯାତ୍ରା ଦ୍ୱାରା ଅନୁପ୍ରାଣିତ ହୋଇ ସେହି ଢାଞ୍ଚାରେ ବାଉଦପୁର ଦେଇ ଯାଇଥିବା ସାଳନ୍ଦୀ ନଦୀ ପାଖ ଗ୍ରାମରେ ବାଲିଯାତ୍ରା ଉତ୍ସବ ପରିକଳ୍ପନା କରିଥିଲେ। ଏହି ବାଲିଯାତ୍ରା ପ୍ରଥମେ ୧୯୫୬ ମସିହା ନଭେମ୍ବର ୧୮ ତାରିଖରେ ହୋଇଥିଲା।

ନଦୀପଠା ରେଲ୍‌ୱେ ପୋଲ ନିକଟରେ ବାଲୁକା ପିଣ୍ଡିକରି ଶ୍ରୀ ଚୈତନ୍ୟଙ୍କ ପାଦୁକା ଓ ତୁଳସୀ ଗଛ ରଖି ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ପୂଜା ଆରମ୍ଭ କରିଥିଲେ। ଯାତ୍ରାର କିଛିବର୍ଷ ପରେ ନିତାଇଗୌରଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରି ଏହି ପୂଜା କାର୍ଯ୍ୟ ଚାଲିଥିଲା। ସେବେଠାରୁ ସ୍ୱର୍ଗତଃ ଧ୍ରୁବଚରଣ ଆଉ ପଛକୁ ଫେରି ନଥିଲେ। ୧୯୬୯ ମସିହାରେ ବାଉଦପୁର ଅଂଚଳର ବିଶିଷ୍ଟ ଔଷଧ ବ୍ୟବସାୟୀ ସ୍ୱର୍ଗତଃ ଚନ୍ଦ୍ରଶେଖର ପଣ୍ଡା ଓ ତାଙ୍କ ପତ୍ନୀ ବିଳାସିନୀ ପଣ୍ଡା ବାଲିଯାତ୍ରା ପଡିଆରେ ଏକ ମନ୍ଦିର ପ୍ରତିଷ୍ଠା କରିଥିଲେ। ଯେଉଁ ମନ୍ଦିରରେ ପୂଜା ପାଉଛନ୍ତି ପ୍ରଭୁ ଶ୍ରୀ ହରିହର। ୧୬୬୯ ଠାରୁ ଏହି ବାଲିଯାତ୍ରା ଉତ୍ସବ ଏକ ମହାତ୍ସବରେ ପରିଣତ ହୋଇଥିଲା। ହରିହର ବାଲିଯାତ୍ରାର ସଭାପତି ଦୟାନିଧି ପଣ୍ଡା ଓ ସଂପାଦକ ସୁବଳ କୁମାର ଦାସ କୁହନ୍ତି ବାଉଦପୁର, ଓଗାଳପୁର, ରାନ୍ଦିଆ, ଗୋବିନ୍ଦପୁର ଓ ବାଗୁରାଇ ଗ୍ରାମର ଲୋକମାନଙ୍କ ମିଳିତ ଉଦ୍ୟମରେ ୭ ଦିନ ଧରି ଏହି ବାଲିଯାତ୍ରା ଅନୁଷ୍ଠିତ ହୋଇଥାଏ। ଏଠାରେ ବିଶେଷତ୍ୱ ହେଉଛି ମନ୍ଦିର ପ୍ରତିଷ୍ଠା ଦିନ ନଦୀରୁ ଜଣେ ୬ ବର୍ଷ ପିଲା ଏକ ରୂପାର ତ୍ରିଶୁଳ ପାଇ ପୂଜକଙ୍କୁ ପ୍ରଦାନ କରିଥିଲେ। ସେବେଠାରୁ ଏହି ତ୍ରିଶୁଳ ଲୋକଙ୍କ ସେବାରେ ଲାଗିଛି। ଏହି ତ୍ରିଶୁଳ ଦ୍ୱାରା ଅନେକ ଲୋକଙ୍କ ରୋଗ ଭଲ ହେଉଥିବା ପୂଜକ ଗୌରାଙ୍ଗ ପଣ୍ଡା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.