ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟର ସମସ୍ତ ଗ୍ରାମାଂଚଳ ଓ ସହରାଂଚଳର ବିକାଶ ସାଧନ କରି ନୂଆ ରୂପରେଖ ଦେବାପାଇଁ ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲାର ସମସ୍ତ ବ୍ଲକ୍ ଓ ସହରାଂଚଳର ଉନ୍ନତି କଳ୍ପେ ଗତକାଲି ଷଷ୍ଠ ଅର୍ଥ କମିଶନ ଅଧ୍ୟକ୍ଷ ଡ. ଅରୁଣ କୁମାର ପଣ୍ଡା ଭଦ୍ରକ ଜିଲା ଗସ୍ତରେ ଆସିଥିଲେ। ଏହି ପରିପ୍ରେକ୍ଷୀରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାର ସମସ୍ତ ପଂଚାୟତ ସମିତି, ପୌରପାଳିକା ଓ ବିଜ୍ଞାପିତ ଅଂଚଳର ଅଧ୍ୟକ୍ଷ, ଅଧ୍ୟକ୍ଷା, କାର୍ଯ୍ୟନିର୍ବାହୀ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କ ସହ ଡ. ପଣ୍ଡା ଆଲୋଚନା କରିଥିଲେ। ବିକାଶ ପାଇଁ ଏବେ ଅର୍ଥର ଅଭାବ ନାହିଁ। ସମସ୍ତ ବ୍ଲକ୍ ଓ ସହରାଂଚଳର ଉନ୍ନତି ମୂଳକ କାର୍ଯ୍ୟକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସଂପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଯେଉଁ ପ୍ରକଳ୍ପ ଗୁଡିକ ଅର୍ଥ ଅଭାବରୁ ସଂପୂର୍ଣ୍ଣ ହୋଇପାରୁନାହିଁ କିମ୍ବା ଯେଉଁଗୁଡିକ ଅର୍ଥାଭାବ କାରଣରୁ ନିର୍ମାଣ କାର୍ଯ୍ୟ ହୋଇପାରୁନାହିଁ, ସେ ସବୁର ଏକ ତାଲିକା ପ୍ରସ୍ତୁତ କରି ରାଜ୍ୟ ପ୍ରଶାସନର ବିଭାଗୀୟ ଉଚ୍ଚ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବୈଠକରେ ସେ ପରାମର୍ଶ ଦେଇଥିଲେ। ଏହି ପ୍ରକଳ୍ପ ଗୁଡିକର ଡିପିଆର ପ୍ରସ୍ତୁତ କରି ମାର୍ଚ୍ଚ ମାସ ଶେଷ ସୁଦ୍ଧା ପଠାଇବା ପାଇଁ ସେ କହିଥିଲେ। ତେବେ ସମୀକ୍ଷା ବୈଠକରେ ଯୋଗ ଦେଇଥିବା ପୌରପାଳିକା ଓ ବିଜ୍ଞାପିତ ଅଂଚଳର ଅଧ୍ୟକ୍ଷ, ଅଧ୍ୟକ୍ଷାମାନେ ଅର୍ଥାଭାବରୁ ସେମାନଙ୍କ ଅଂଚଳରେ ଥିବା ବିଦ୍ୟାଳୟ ଗୁଡିକ ଉନ୍ନତି ହୋଇପାରୁନାହିଁ ବୋଲି ସୂଚନା ଦେଇଥିଲେ। ଏଥିପାଇଁ ଅଧିକ ଅର୍ଥ ପ୍ରଦାନ କରିବାକୁ ସେମାନେ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ସହରାଂଚଳରେ ଥିବା ପୂର୍ତ ବିଭାଗ ରାସ୍ତା ଗୁଡିକ ପୌରପାଳିକାକୁ ହସ୍ତାନ୍ତର କରି ଉନ୍ନତିକରଣ କରିବା ପାଇଁ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକୀ ହବିବ ଡ. ପଣ୍ଡାଙ୍କୁ ଅବଗତ କରାଇଥିଲେ। ଅନ୍ୟପକ୍ଷରେ ସହରାଂଚଳରେ ମିନି ଷ୍ଟାଡିୟମ୍, ଟାଉନ୍ ହଲ୍, ଲାଇବ୍ରେରୀ, ମାର୍କେଟ୍ କମ୍ପେ୍ଲକ୍ସ ର ନିର୍ମାଣ କରିବା ସହ ସହରର ସୌନ୍ଦର୍ଯ୍ୟକରଣ ପାଇଁ ସେ ପ୍ରସ୍ତାବ ଦେଇଥିଲେ। ଜିଲାର ଏହି ପ୍ରସ୍ତାବିତ ପ୍ରକଳ୍ପ ଗୁଡିକ ସହ ସହର ଓ ଗ୍ରାମାଂଚଳର ବିକାଶ ନିମନ୍ତେ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ପ୍ରାୟ ୨ ଶହ ପ୍ରକଳ୍ପକୁ ଆସନ୍ତା ୫ ବର୍ଷ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଡ. ପଣ୍ଡା ସୂଚନା ଦେଇଥିଲେ। ସରକାରଙ୍କ ପ୍ରସ୍ତାବିତ ଏହି ବିକାଶ ମୂଳକ କାର୍ଯ୍ୟଗୁଡିକୁ ଆସନ୍ତା ୫ ବର୍ଷ ମଧ୍ୟରେ ଜିଲାସ୍ତରରେ ନିଷ୍ଠାର ସହ କାର୍ଯ୍ୟ କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସାରିବାକୁ ବୈଠକରେ ଉପସ୍ଥିତ ବିଭାଗୀୟ କର୍ତୃପକ୍ଷଙ୍କୁ ସେ ପରାମର୍ଶ ଦେଇଥିଲେ। ଏହି ଗସ୍ତ ସମୟରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣି ଓ ଚାନ୍ଦବାଲି ଗସ୍ତ କରିଥିଲେ। ଏହି ସମୀକ୍ଷା ବୈଠକରେ ଜିଲାପାଳ ଦିଲ୍ଲୀପ ରାଉତରାଏ, ଉପଜିଲାପାଳ ସୌରଭ ଚକ୍ରବର୍ତୀ, ମୁଖ୍ୟ ଜିଲା ଉନ୍ନୟନ ଅଧିକାରୀ ଜିଲା ପରିଷଦ ଶୁଭେନ୍ଦ୍ର କୁମାର ସାମଲଙ୍କ ସମେତ ବହୁ ପଦାଧିକାରୀ ଯୋଗ ଦେଇଥିଲେ।







