Home ଜିଲ୍ଲା ପରିକ୍ରମା ୬ରେ ବିଜେପିର ମହାମିଶ୍ରଣ ପର୍ବ, ଆଶା ଆଶଙ୍କାରେ ଉଭୟ ଦଳର ତୃଣମୂଳ କର୍ମୀ, ଛାମୁଆ ନେତା

୬ରେ ବିଜେପିର ମହାମିଶ୍ରଣ ପର୍ବ, ଆଶା ଆଶଙ୍କାରେ ଉଭୟ ଦଳର ତୃଣମୂଳ କର୍ମୀ, ଛାମୁଆ ନେତା

16

ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) : ରାଜ୍ୟ ରାଜନୀତିରେ ଭଦ୍ରକକୁ ନେଇ ଚର୍ଚ୍ଚା। ୨୪ ବର୍ଷ ଶାସନ କ୍ଷମତାରେ ଥିବା ବିଜେଡିର ଏବେ ଦୁର୍ଗ ପତନର ବେଳ। ୨୪ ବର୍ଷ ଧରି କ୍ଷମତାରେ ରହି ମଧ୍ୟ ସମ୍ଭବତଃ ଅଣନିଶ୍ୱାସୀ ହୋଇ ରହିଥିବା କେତେକ ବରିଷ୍ଠ ବିଜେଡି ନେତା ଏବେ ମନ ପରିବର୍ତନ କରିଛନ୍ତି। ରାଜ୍ୟର ପ୍ରଗତୀରେ ସାମିଲ ହେବାକୁ ମନ ବଳାଇ ବର୍ତମାନ ଶାସନ କ୍ଷମତାରେ ଥିବା ବିଜେପିରେ ଯୋଗ ଦେଇ ନିଜ ଅଂଚଳର ବିକାଶକୁ ତ୍ୱରାନ୍ୱିତ କରିବାକୁ ସ୍ଥିର କରିଛନ୍ତି। ସେମାନେ ଖୁବ ଶୀଘ୍ର ବିଜେପିରେ ଯୋଗ ଦେବେ। ଚଳିତ ମାସ ୬ ତାରିଖ ବିଜେପିର ମହାମିଶ୍ରଣ ପର୍ବ ହେବ ବୋଲି ଚର୍ଚ୍ଚା ଚାଲିଛି। ଏଥିରେ କିଏ ଯୋଗ ଦେବେ ଓ ଦେଢ଼ ବର୍ଷ ମଧ୍ୟରେ ବିଜେପି ଆଦର୍ଶକୁ ଗ୍ରହଣ କରି ନେଇଥିବା ନେତାମାନଙ୍କୁ ପଦ୍ମ ଟୋପି ପିନ୍ଧାଇବେ ସେ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନି। ତଥାପି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର ଓ ବିଜେପିର ଜିଲ୍ଲା ବରିଷ୍ଠ ପଦାଧିକାରୀ ଓ କାର୍ଯ୍ୟକର୍ତା ଉପସ୍ଥିତ ରହିବେ। ସେହିପରି ଏହି ମିଶ୍ରଣ ପର୍ବରେ କେଉଁମାନେ ପଦ୍ମ ଧରିବେ ସେନେଇ କିଛି ସ୍ପଷ୍ଟ ହୋଇନି। କାରଣ ଏମିତି ଶୁଣିବାକୁ ମିଳୁଛି, କେତେକ ଭଦ୍ରକ ଅନୁଷ୍ଠିତ ମିଶ୍ରଣ ପର୍ବରେ ପଦ୍ମ ଧରିବେ ଓ ଆଉ କେତେକ ବିଜେପି ରାଜ୍ୟ କାର୍ଯ୍ୟାଳୟରେ। ମୋଟ ଉପରେ ବହୁ ବିଜେଡି ହେଭିୱେଟ ଦଳ ଛାଡ଼ି ବିଜେପିରେ ମିଶିବା ଏକପ୍ରକାର ନିଶ୍ଚିତ। ଯାହାକୁ ନେଇ ବିଜେପିିର ଶୀର୍ଷ ନେତୃତ୍ୱ ଉତ୍ସାହିତ ଥିବାବେଳେ ବିଜେଡିର ଶୀର୍ଷ ନେତୃତ୍ୱ ଚିନ୍ତାରେ ପଡିଯାଇଛନ୍ତି। ତେବେ ଏପରି ମିଶ୍ରଣ ପର୍ବ ଦ୍ୱାରା କାହାର ଲାଭ ବା କହାର କ୍ଷତି ସେନେଇ ତତ୍କାଳ ଆକଳନ କରାଯାଇ ନଥିଲେ ବି ସୁଦୂରପ୍ରସାରୀ ରାଜନୈତିକ ଓ କୂଟନୈତିକ ପ୍ରଭାବ ଉଭୟ ଦଳ ଉପରେ ରହିବା ଏକପ୍ରକାର ନିଶ୍ଚିତ ବୋଲି ରାଜନୀତିରେ ଋଚି ରଖୁଥିବା ବିଶେଷଜ୍ଞ ଓ ବ୍ୟକ୍ତି ବିଶେଷଙ୍କ ମତ। କାରଣ ଏହି ମିଶ୍ରଣ ପର୍ବକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ତୃଣମୂଳସ୍ତରରେ ସଂଗଠନ କରି ଆସିଥିବା ବିଜେପିର କର୍ମକର୍ତା ଓ ବିଜେଡିର କର୍ମୀ। ପରିବର୍ତିତ ରାଜନୈତିକ ଦୃଷ୍ୟପଟ୍ଟରେ ଏବେ ଉଭୟ ବିଜେପି ଓ ବିଜେଡିର କର୍ମକର୍ତା ଓ କର୍ମୀ ଆଶା ଆଶଙ୍କାରେ ରହିଛନ୍ତି। ଜିଲ୍ଲା ବିଜେଡି ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଜିଲ୍ଲାର ୭ ବ୍ଲକ ମଧ୍ୟରୁ ୪ଟି ବ୍ଲକ ଅଧ୍ୟକ୍ଷ ବିଜେଡି ଛାଡ଼ିଛନ୍ତି। ଖୁବଶୀଘ୍ର ସେମାନେ ବିଜେପିରେ ଯୋଗଦେବା ଏକପ୍ରକାର ନିଶ୍ଚିତ। ଏହି ସମୟରେ ଦଳକୁ ବଂଚାଇ ରଖିବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନବୀନ ନିବାସରେ ଏକ ବୈଠକ ଡକାଇଥିଲେ। ଦଳର ବିଜୟୀ ୨ ବିଜେଡି, ୩ ପରାଜିତ ବିଧାୟକ ଓ ସାଂସଦ ପ୍ରାର୍ଥୀ ଏଥିରେ ଯୋଗ ଦେଇ ନବୀନଜୀଙ୍କ ଠାରୁ ଗୁରୁମନ୍ତ୍ର ନେଇଥିଲେ। ଶେଷରେ ଦଳକୁ ବଂଚାଇବାକୁ ଗତ ସାଧାରଣ ନିର୍ବାଚନରେ ଭଦ୍ରକ ବିଧାନସଭା କ୍ଷେତ୍ରରୁ ପରାଜିତ ହୋଇଥିବା ପ୍ରାକ୍ତନ ୫ଥରର ବିଧାୟକ, ମନ୍ତ୍ରୀ ତଥା ବିଜେଡିର ସର୍ବପୁରାତନ ଚେହେରା ପ୍ରଫୁଲ୍ଲ ସାମଲଙ୍କୁ ଦାୟିତ୍ୱ ଦେଲେ। ଯାହାକୁ ଏବେ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ବିଜେଡି କର୍ମୀ। କାରଣ ଶ୍ରୀ ସାମଲଙ୍କ ପୁତ୍ର ପ୍ରାକ୍ତନ ବିଜେଡିର ବରିଷ୍ଠ ଯୁବନେତା ପ୍ରୟାସକାନ୍ତି ଏବେ ଗେମ ଚେଞ୍ଜର ହୋଇ ବିଜେଡିକୁ ଭାଙ୍ଗି ବିଜେପିକୁ ବଢ଼ାଇବାକୁ ବଳ ଗୋଟାଉଥିବା କୁହାଯାଉଛି। କେତେକ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ତାଙ୍କ ବୈଠକର ଫଟୋ ଏହାକୁ ନିର୍ଣ୍ଣିତ କରୁଛି। ଭଦ୍ରକ ରାଜନୀତିରେ ମୋଡ଼ ବଦଳିବା ନିଶ୍ଚିତ। କିନ୍ତୁ ଉଭୟ ବିଜେପି ଓ ବିଜେଡି କର୍ମୀ ଏବେ ଆଶା ଆଶଙ୍କାରେ। କାରଣ ବିରୋଧୀ ବିଜେପିରେ ରହି ବିଜେଡି କର୍ମୀ ଓ ନେତାଙ୍କ ଦ୍ୱାରା ୨୪ ବର୍ଷ ଧରି ଟାହିଟାପରା ଓ ଅତ୍ୟାଚାରର ଶିକାର କର୍ମୀ ଓ କର୍ମକର୍ତା ଏବେ ଆଶଙ୍କାରେ। ଯେଉଁମାନଙ୍କ ବିରୋଧରେ ଳଢ଼ି ଦଳ ପାଇଁ କାମ କରିଥିଲେ, ସେମାନେ ଏବେ ଦଳରେ ପଶି ୨୪ ବର୍ଷର ଅଭିଜ୍ଞତା ଖଟାଇ ଦବଦବା ଜାହିର କରିବେ। ତେଣୁ ବିଜେପି କର୍ମକର୍ତା ଏବେ ନିଜ ଅସ୍ଥିତ୍ୱକୁ ନେଇ ଆଶଙ୍କାରେ। ସେହିପରି ବିଜେପିକୁ ଯିବା ପରେ ନିଜ ଆସନ ଓ ଦବଦବା ସୁରକ୍ଷିତ କି ନୁହେଁ ସେ ନେଇ ଆଶଙ୍କାରେ ଅଛନ୍ତି ଦଳ ତ୍ୟାଗ କରୁଥିବା ନେତା ଓ ସେମାନଙ୍କ ସମର୍ଥକ। ଅପରପକ୍ଷେ ଏଭଳି ଗୋଳିଆ ରାଜନୈତିକ ପାଣିରୁ ଫାଇଦା ଉଠାଇକାବୁ ସତର୍କତାର ସହ ଗୋଟି ଚାଳନା ଉଦ୍ୟମରେ ଅଛି କଂଗ୍ରେସ। ଉଭୟ ବିଜେପି ଓ ବିଜେଡିର ଅସନ୍ତଷ୍ଟ କର୍ମୀଙ୍କୁ ଆପଣେଇ ନେଇ କଂଗ୍ରେସ ନିଜ ସଂଗଠନକୁ ଆଗେଇ ନେବାକୁ ଲକ୍ଷ୍ୟ ରଖିବା ସହ ଉଭୟ ଦଳର ଅସନ୍ତୁଷ୍ଟ କର୍ମୀଙ୍କ ବିସ୍ପୋରକ ପ୍ରତିକ୍ରିୟା ଅପେକ୍ଷାରେ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.