ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘ ୫ ବର୍ଷ ଧରି ଆଇସିଟିଇ ବିଦ୍ୟାଳୟ ଯୋଜନାରେ କାର୍ଯ୍ୟ କରିଆସୁଥିବା ଚାରି ହଜାର ସ୍କୁଲ କୋଅଡିନେଟରଙ୍କୁ ତୁରନ୍ତ ପୁନଃ ନିଯୁକ୍ତି ପ୍ରଦାନ, ସମସ୍ତଙ୍କୁ କୌଣସି ଘରୋଇ ସଂସ୍ଥା ହାତକୁ ଟେକିନଦେଇ ସରକାରୀ ସ୍ତରରେ ନିଯୁକ୍ତି, ଏହି ଯୋଜନାକୁ ଘରୋଇକରଣ କରାନଯାଇ ସରକାରଙ୍କ ଶିକ୍ଷା ବିଭାଗ ଅଧୀନରେ ପରିଚାଳିତ କରାଯିବା, ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଠ୍ୟକ୍ରମରେ କମ୍ପ୍ୟୁଟର ବିଷୟକୁ ବାଧ୍ୟତାମୂଳକ କରାଯିବା ଏବଂ ଓଡ଼ିଶାର ସମସ୍ତ ଉଚ୍ଚ ବିଦ୍ୟାଳୟରେ ଏହି ଆଇସିଟି-ଇ ବିଦ୍ୟାଳୟ ଯୋଜନାକୁ କାର୍ଯ୍ୟକାରୀ କରାଯିବା ଭଳି ପାଞ୍ଚଦଫା ଦାବିନେଇ ଆଜି ଆଇସିଟି-ଇ ବିଦ୍ୟାଳୟ ସଂଯୋଜକ ସଂଘ ଭଦ୍ରକ ଶାଖା ପକ୍ଷରୁ ଜିଲାପାଳ ଓ ରାଜ୍ୟ ସରକାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଭଦ୍ରକ ସଂଘର ମୁଖ୍ୟ ଉପଦେଷ୍ଟା ଦେବରଂଜନ ମହାପାତ୍ର, ହରିହର ମଣ୍ଡଳ, ସଭାପତି ଶ୍ରୀବତ୍ସ ଖଡିରତ୍ନ, ଉପସଭାପତି ପାର୍ଥସାରଥୀ ଦାସ ଓ ଶ୍ରୀକାନ୍ତ ପଣ୍ଡା, ସାଧାରଣ ସଂପାଦକ ସନ୍ତୋଷ ମହାପାତ୍ର, କାର୍ଯ୍ୟକାରୀ ସଭାପତି ତପନ କୁମାର ବେହେରା, ଯୁଗ୍ମ ସଂପାଦକ କ୍ଷୀରୋଦ ନାୟକ ଓ ଲିପିକା ପାଣିଗ୍ରାହୀ, ଆବାହକ ଧନେଶ୍ୱର ସ୍ୱାଇଁ ଓ କୋଷାଧ୍ୟକ୍ଷ ଅରବିନ୍ଦ ହୋତା ପ୍ରମୁଖ ଜିଲାପାଳଙ୍କୁ ଦେଇଥିବା ଦାବିପତ୍ର ମୂଳେ ଆମ ରାଜ୍ୟରେ ଲକ୍ଷ ଲକ୍ଷ ହାଇସ୍କୁଲ ଛାତ୍ରଛାତ୍ରୀ କମ୍ପ୍ୟୁଟର ଶିକ୍ଷାରୁ ବଂଚିତ ହୋଇଆସୁଥିବାବେଳେ ଚାରି ହଜାର ଉଚ୍ଚ ଶିକ୍ଷିତ ଯୁବକ-ଯୁବତୀ ନିଯୁକ୍ତିରୁ ବଂଚିତ ହୋଇ ବେକାର ହୋଇ ରହିଛନ୍ତି । ସେମାନଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇପଡିଥିବାବେଳେ ୮୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଆଇସିଟି ଲ୍ୟାବ ଗୁଡିକ ମଧ୍ୟ ଅଚଳ ହୋଇ ନଷ୍ଟ ହେବାରେ ଲାଗିଛି ।
ଯାହାକି ଶିକ୍ଷା ବ୍ୟବସ୍ଥାର ଏକ ଦୟନୀୟ ପରିସ୍ଥିତି ସୃଷ୍ଟି କରିଛି । ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ଅନୁଯାୟୀ ସମସ୍ତ ବିଦ୍ୟାଳୟ ଗୁଡିକରେ କମ୍ପ୍ୟୁଟରର ଆବଶ୍ୟକତା ରହିଥିବାବେଳେ ଛାତ୍ରଛାତ୍ରୀମାନଙ୍କ ପାଠପଢା ଠାରୁ ଆରମ୍ଭ କରି ଉତ୍ତୀର୍ଣ୍ଣ ଯାଏ ସମସ୍ତ ତଥ୍ୟ ନାମଲେଖା, ବିଭିନ୍ନ ମେଧାବୃତ୍ତି ପରୀକ୍ଷା, ଏନ୍ରୋଲମେଣ୍ଟ, ମାଟ୍ରିକ୍ ପରୀକ୍ଷା ଫର୍ମପୂରଣ, ଏଚଆରଏମ୍ଏସ୍, ଏସ୍ଡିଏମ୍ଆଇଏସ୍, ଇନ୍ସ୍ପେୟାର ଆୱାର୍ଡ, ମୋ ସ୍କୁଲ ଅଭିଯାନ ଓ ସମସ୍ତ ପ୍ରକାର ଅଫିସ୍ କାର୍ଯ୍ୟାଳୟର ଚିଠିପତ୍ର କାର୍ଯ୍ୟ କମ୍ପ୍ୟୁଟର ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ କରାଯାଉଥିଲା । ଏଥିସହିତ ଶିକ୍ଷାର ଉନ୍ନତି ପାଇଁ ପ୍ରୋଜେକ୍ଟର ମାଧ୍ୟମରେ ପାଠ୍ୟ ବିଷୟ ଗୁଡିକୁ ଶିକ୍ଷା ଦିଆଯାଉଥିଲା । ଏ ସମସ୍ତ ଦୃଷ୍ଟି କୋଣରୁ ଦେଖିବାକୁ ଗଲେ ବିଦ୍ୟାଳୟମାନଙ୍କରେ କମ୍ପ୍ୟୁଟର ଏକ ଅପରିହାର୍ଯ୍ୟ ଅଙ୍ଗ ଅଟେ । ଏଭଳି ଏକ ପରିସ୍ଥିତିରେ ଦୀର୍ଘ ୫ ବର୍ଷ ଧରି ନିଷ୍ଠାପର ଭାବେ ଅତି ସ୍ୱଳ୍ପ ବେତନରେ ବିଦ୍ୟାଳୟରେ ସମସ୍ତ ପ୍ରକାର କାର୍ଯ୍ୟ କରିଆସିଥିବା ଚାରି ହଜାର ସ୍କୁଲ କୋଅଡିନେଟରଙ୍କୁ ନିଯୁକ୍ତିରୁ ବଂଚିତ କରିବା ନିଶ୍ଚିତ ଭାବେ ପରିତାପର ବିଷୟ । ଏଣୁ ଓଡ଼ିଶାରେ ନିଯୁକ୍ତି ହରାଇଥିବା ସମସ୍ତ ବିଦ୍ୟାଳୟ ସଂଯୋଜକମାନଙ୍କ ପରିବାର ଓ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ସେମାନଙ୍କୁ ପୁନଃ ନିଯୁକ୍ତି ଦେବାକୁ ସଂଘ ପକ୍ଷରୁ ନିବେଦନ କରାଯାଇଛି ।