Home ଜିଲ୍ଲା ପରିକ୍ରମା ୫୪ତମ ବିଜୟା ମିଳନ, ଉନ୍ନତ ପରମ୍ପରାରୁ ସାହିତ୍ୟ ସଂସ୍କୃତିର ପରିଚୟ ମିଳେ

୫୪ତମ ବିଜୟା ମିଳନ, ଉନ୍ନତ ପରମ୍ପରାରୁ ସାହିତ୍ୟ ସଂସ୍କୃତିର ପରିଚୟ ମିଳେ

5

ଭଦ୍ରକ, ୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଂସ୍କୃତିକ ଜୀବନ ସମାଜକୁ ସୁସ୍ଥ ଓ ସୁନ୍ଦର କରିବାରେ ସହାୟକ ହେବା ସହିତ ଦିଗ୍‌ଦର୍ଶନ ଦେଇଥାଏ। ଯେଉଁଠି ସଂସ୍କୃତିର ଅବକ୍ଷୟ ଦେଖାଯାଏ, ସେଠାରେ ସାଂସ୍କୃତିକ ଜୀବନ ଦୁର୍ବଳ ହୋଇପଡେ ବୋଲି ଭଦ୍ରକ ପୂଜ୍ୟପୂଜା ସଂସଦ ଆନୁକୂଲ୍ୟରେ ଆୟୋଜିତ ୫୪ତମ ବିଜୟା ମିଳନ ଉତ୍ସବରେ ମତପ୍ରକାଶ ପାଇଛି । ଭାଗବତ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଉତ୍ସବକୁ ଭଦ୍ରକର ଜିଲ୍ଲାପାଳ ଦିଲୀପ ରାଉତରାଏ ଉଦ୍‌ଘାଟନ କରି କହିଲେ ଯେ, ଭାଷା ଜ୍ଞାନ ବିଜ୍ଞାନର କଥା କହୁଥିବା ବେଳେ, ସାହିତ୍ୟ ହୃଦୟର କଥା କହିଥାଏ । ମୁଖ୍ୟଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମନୋଜ କୁମାର ରାଉତ ଯୋଗଦେଇ ଓଡ଼ିଶାର ସାହିତ୍ୟ ସଂସ୍କୃତିକୁ ଉଜ୍ଜୀବିତ କରି ରଖିବାରେ ଏପରି ବିଜୟା ମିଳନ ଦୀର୍ଘ ୫୪ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଯେପରି ପାଳନ କରିଆସୁଛି ତାହା ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ । ମୁଖ୍ୟବକ୍ତା ବିଶିଷ୍ଟ ସାହିତ୍ୟିକା ମନୋରମା ବିଶ୍ୱାଳ ମହାପାତ୍ର କହିଲେ ଯେ, ସମାଜକୁ ଦିଗ୍‌ଦର୍ଶନ ଦେବା ଦିଗରେ ସାହିତ୍ୟିକ ଭୀରୁତା ପ୍ରଦର୍ଶନ କରିବା ଉଚିତ ନୁହେଁ । ସମ୍ମାନିତ ବକ୍ତା ଭାବେ ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ ଓ ସୁସାହିତ୍ୟିକା ତଥା ସ୍ମୃତି ସାନ୍ତ୍ୱନାର ସଂପାଦିକା ସବିତାରାଣୀ ବେହେରା ଯୋଗଦେଇ ବିଜୟା ମିଳନ ପରି ଉତ୍ସବ ସାମାଜିକ ଜୀବନରେ ବନ୍ଧୁତା ଓ ପ୍ରୀତି ବଜାୟ ରଖେ ବୋଲି କହିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ସାହିତ୍ୟରତ୍ନ ସ୍ୱର୍ଗତ ଅପୂର୍ବ ରଂଜନ ରାୟଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଚଳିତବର୍ଷ ମର୍ଯ୍ୟାଦାଜନକ ‘ବିଜୟା ସମ୍ମାନ’ ବିଶିଷ୍ଟ ସାହିତ୍ୟ ସମାଲୋଚକ, ନାଟ୍ୟକାର ଏବଂ ପ୍ରାବନ୍ଧିକ ଡ. ବିଜୟ କୁମାର ଶତପଥୀଙ୍କୁ ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ସଭାପତି କରୁଣାକର ବେହୁରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ‘ବିନୋଦ ବିହାରୀ ସ୍ମୃତି ସମ୍ମାନ’ ପ୍ରଫେସର ଜ୍ୟୋତ୍ସ୍ନା ମହାପାତ୍ର, ‘ନିଶାମଣି ସ୍ମୃତି ସମ୍ମାନ’ ସାହିତ୍ୟିକା ଅନ୍ନପୂର୍ଣ୍ଣା ମହାନ୍ତି, ‘ସରୋଜ କଳା ସ୍ମୃତି ସମ୍ମାନ’ ଚିତ୍ରଶିଳ୍ପୀ କ୍ଷୀରୋଦ ରାଉତ ଏବଂ ‘ଗୌରାଙ୍ଗ ଚନ୍ଦ୍ର ମହାନ୍ତି ସ୍ମୃତି ସମ୍ମାନ’ ଡ. ସୁଚେତା ରାଉତଙ୍କୁ ପ୍ରଦାନ କରାଯାଇଥିଲା । ଅଧ୍ୟାପକ ଦତାତ୍ରେୟ ଦାସ ଉତ୍ସବ ସଂଚଳନା କରିଥିବା ବେଳେ, ଅନୁଷ୍ଠାନର ସହସଂପାଦକ ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ମଂଚ ଆମନ୍ତ୍ରଣ ଓ ସଂପାଦକ ରୂପକ ବିହାରୀ ରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଲିପିପୁଷ୍ପା ରାୟ,ଜାନକୀ ପାଢ଼ୀ, ମନୋରମା ରାୟ, ମମତା ଦାସ ଓ ବିଚିତ୍ରା ନନ୍ଦ ଜେନା ପ୍ରମୁଖ ମାନପତ୍ର ପାଠ କରିଥିଲେ । ମାଷ୍ଟର ରୁଦ୍ରମାଧବ ବାରିକଙ୍କ ନିର୍ଦ୍ଦେଶନାରେ ଶିଶୁ କଳାକାର ସଙ୍ଗୀତ ପରିବେଷଣ କରିଥିଲେ । ଏହି ଅବସରରେ କବି କରୁଣାକର ବେହୁରିଆଙ୍କ ‘ପିଲାଙ୍କ ମନଛୁଆଁ ଗପ’, ବିଚିତ୍ରା ନନ୍ଦ ଜେନାଙ୍କ ‘ଅଙ୍କୁର’ ଓ ବିଜୟା ସ୍ମାରକୀ ପୁସ୍ତକ ଉନ୍ମୋଚିତ ହୋଇଥିଲା । କବି ଅକ୍ଷୟ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ଅଧିବେଶନରେ ଅନୁଷ୍ଠିତ କବିତା ପର୍ବରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଗୋଲୋକ ବିହାରୀ ସାହ ସଭାପତିତ୍ୱ କରିଥିବା ବେଳେ, ସମ୍ମାନିତ ବକ୍ତା ଭାବେ ସୁସାହିତ୍ୟିକ ଡ. ଅଶୋକ କୁମାର ପୁହାଣ ପ୍ରମୁଖ ଯୋଗଦେଇ କବିତା ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । କବୟିତ୍ରୀ ସଂଯୁକ୍ତା ବଳ, କବି ମୁସ୍ତକ ଗହ୍ୱର, ଶରତଚନ୍ଦ୍ର ଜେନା, ପ୍ରମୁଖ କବିତା ସଂଯୋଜନା କରିଥିଲେ । କବି ଅରୂପା ନନ୍ଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ଓଡ଼ିଶାରୁ ବିଭିନ୍ନ ଅଂଚଳରୁ ଭିନ୍ନ ଭିନ୍ନ ଭାଷାଭାଷୀ କବି ଓ କବୟିତ୍ରୀମାନେ ଅଂଶଗ୍ରହଣ କରି ସ୍ୱରଚିତ କବିତା ପାଠ କରିଥିଲେ। ଦିବସବ୍ୟାପୀ ଏହି କାର୍ଯ୍ୟକ୍ରମକୁ କାଳନ୍ଦୀ ମଲ୍ଲିକ, ସୁଶ୍ରୀ ସ୍ୱାଗତିକା ଦାସ, ମନୋଜ ଦାସ, ଆଶିଷ ରାୟ, ସଂଗ୍ରାମ ସାହୁ, ସାଇ ସିଦ୍ଧି ଦାସ, ତ୍ରିଲୋକ ରାୟ ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.