Home ଜିଲ୍ଲା ପରିକ୍ରମା ୫୨ତମ ବିଜୟା ମିଳନ, ସାଂସ୍କୃତିକ ଜୀବନ ସମାଜକୁ ଦିଗ୍‌ଦର୍ଶନ ଦେଇଥାଏ

୫୨ତମ ବିଜୟା ମିଳନ, ସାଂସ୍କୃତିକ ଜୀବନ ସମାଜକୁ ଦିଗ୍‌ଦର୍ଶନ ଦେଇଥାଏ

17

ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଂସ୍କୃତିକ ଜୀବନ ସମାଜକୁ ସୁସ୍ଥ ଓ ସୁନ୍ଦର କରିବାରେ ସହାୟକ ହେବା ସହିତ ଦିଗ୍‌ଦର୍ଶନ ଦେଇଥାଏ । ଯେଉଁଠି ସଂସ୍କୃତିର ଅବକ୍ଷୟ ଦେଖାଯାଏ, ସେଠାରେ ସାଂସ୍କୃତିକ ଜୀବନ ଦୁର୍ବଳ ହୋଇପଡେ ବୋଲି ଭଦ୍ରକ ପୂଜ୍ୟପୂଜା ସଂସଦ ଆନୁକୂଲ୍ୟରେ ଆୟୋଜିତ ୫୨ତମ ବିଜୟା ମିଳନ ଉତ୍ସବରେ ମତପ୍ରକାଶ ପାଇଛି । ଭାଗବତ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଭଦ୍ରକର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଯୋଗଦେଇ ଓଡ଼ିଶାର ସାହିତ୍ୟ ସଂସ୍କୃତିକୁ ଉଜ୍ଜୀବିତ କରି ରଖିବାରେ ପୂଜ୍ୟପୂଜା ସଂସଦ ଏପରି ବିଜୟା ମିଳନ ଉତ୍ସବକୁ ଦୀର୍ଘ ୫୨ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଯେପରି ପାଳନ କରିଆସୁଛି ତାହା ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏପରି ଉତ୍ସବ ସାମାଜିକ ଜୀବନରେ ବନ୍ଧୁତା ଓ ପ୍ରୀତି ବଜାୟ ରଖେ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ପ୍ରଫେସର ଡ. ବାବାଜୀ ଚରଣ ପଟ୍ଟନାୟକ ଯୋଗଦେଇ କହିଲେ ଯେ, ଭାଷା ଜ୍ଞାନ ବିଜ୍ଞାନର କଥା କହୁଥିବା ବେଳେ, ସାହିତ୍ୟ ହୃଦୟର କଥା କହିଥାଏ । ସମାଜକୁ ଦିଗ୍‌ଦର୍ଶନ ଦେବା ଦିଗରେ ସାହିତ୍ୟିକ ଭୀରୁତା ପ୍ରଦର୍ଶନ କରିବା ଉଚିତ ନୁହେଁ । ପ୍ରାରମ୍ଭରେ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ସାହିତ୍ୟରତ୍ନ ସ୍ୱର୍ଗତ ଅପୂର୍ବ ରଂଜନ ରାୟଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଚଳିତବର୍ଷ ମର୍ଯ୍ୟାଦାଜନକ ‘ବିଜୟା ସମ୍ମାନ’ ରେଭେନ୍‌ସା ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର ଡ. ନଟବର ଶତପଥୀଙ୍କୁ ପ୍ରଦାନ କରାଯାଇଥିଲା ।

ସେ ତାଙ୍କ ପ୍ରତ୍ୟୁତ୍ତରରେ ବିଜୟା ସମ୍ମାନ ଏକ ରାଜ୍ୟସ୍ତରୀୟ ପୁରସ୍କାର ହୋଇଥିବା ବେଳେ ଏହା ସାରା ଓଡ଼ିଶାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ଏବଂ ଏପରି ସମ୍ମାନରେ ସମ୍ମାନିତ ହୋଇ ସେ ଆନନ୍ଦିତ ବୋଲି କହିଥିଲେ । ଅନୁଷ୍ଠାନର ସଭାପତି କରୁଣାକର ବେହୁରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ‘ବିନୋଦ ବିହାରୀ କଥା ସମ୍ମାନ’ ରମାକାନ୍ତ ଜେନା, ‘ନିଶାମଣି କବିତା ସମ୍ମାନ’ ଡ. ସତ୍ୟପ୍ରିୟ ମହାଳିକ ଏବଂ ‘ସରୋଜ କଳା ସମ୍ମାନ’ ଚିତ୍ରଶିଳ୍ପୀ ରମେଶ ଗୁମାନ ସିଂଙ୍କୁ ପ୍ରଦାନ କରାଯାଇଥିଲା । ସୁଶ୍ରୀ ସ୍ୱାଗତିକା ଦାସ ମଂଚ ଆମନ୍ତ୍ରଣ କରିଥିବା ବେଳେ, ଅନୁଷ୍ଠାନର ସହସଂପାଦକ ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ପ୍ରାକ୍ ସୂଚନା ଓ ଶରତ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂପାଦକ ରୂପକ ବିହାରୀ ରାୟ ସ୍ୱାଗତ ଭାଷଣରେ ଏପରି ବିଜୟା ମିଳନ ସାଂସ୍କୃତିକ ଭାବବିନିମୟ ସହିତ ଲେଖକମାନଙ୍କ ସହିତ ସୁସଂପର୍କ ରଖିବାର ଏକ ମାଧ୍ୟମ ବୋଲି କହିଥିଲେ । ଅଧ୍ୟାପକ ଡ. ବିଶ୍ୱରଂଜନ ଦାସ ବିଜୟା ସମ୍ମାନ ସମ୍ବର୍ଦ୍ଧିତ ଡ. ଶତପଥୀଙ୍କ ଉପରେ ସମ୍ୟକ ଆଲୋକପାତ କରିଥିଲେ । ଲିପିପୁଷ୍ପା ରାୟ, ଗୌତମ ମହାରଣା, ବିଜୟ କୁମାର ବହଳୀ ଓ ଦୀପ୍ତିମୟୀ ସାହୁ ପ୍ରମୁଖ ମାନପତ୍ର ପାଠ କରିଥିଲେ । କଣ୍ଠଶିଳ୍ପୀ ରୁଦ୍ରମାଧବ ବାରିକଙ୍କ ନିର୍ଦ୍ଦେଶନାରେ ସଙ୍ଗୀତ ପରିବେଷଣ କରାଯାଇଥିବା ବେଳେ ସୁଧାକର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ଅଧିବେଶନରେ ଅନୁଷ୍ଠିତ କବିତା ପର୍ବରେ ପ୍ରଫେସର ରାଜକିଶୋର ସାହୁ ସଭାପତିତ୍ୱ କରିଥିବା ବେଳେ, ମୁଖ୍ୟବକ୍ତା ଭାବେ କବି ପ୍ରସଂନ କୁମାର ସ୍ୱାଇଁ ଓ ସମ୍ମାନିତ ବକ୍ତା ଭାବେ ଅଧ୍ୟାପକ ଦତ୍ତାତ୍ରେୟ ଦାସ ପ୍ରମୁଖ ଯୋଗଦେଇ କବିତା: ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ଆଲୋକପାତ କରିଥିଲେ । ଉର୍ଦ୍ଦୁ କବି ମୁସ୍ତାକ ଗହ୍ୱର, କବି ମାନସ ରଞ୍ଜନ ପଣ୍ଡା, କବୟିତ୍ରୀ ମନୋରମା ରାୟ, କବୟିତ୍ରୀ ଗୀତାରାଣୀ ଆଇଚ ଓ କବି ବିପ୍ଳବ ପତି ପ୍ରମୁଖ କବିତା ସଂଯୋଜନା କରିଥିଲେ । କବି ଗୌରାଙ୍ଗ ଚରଣ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଭିନ୍ନ ଭିନ୍ନ ଭାଷାଭାଷୀ କବି ଓ କବୟିତ୍ରୀମାନେ ଅଂଶଗ୍ରହଣ କରି ସ୍ୱରଚିତ କବିତା ପାଠ କରିଥିଲେ । ଏହି ଅବସରରେ ଗଣେଶ ପ୍ରସାଦ କରଶର୍ମାଙ୍କ ପୁସ୍ତକ ‘ଚଉରା ପଞ୍ଚାଶିକା’ ଓ ବିଚିତ୍ରାନନ୍ଦ ଜେନାଙ୍କ ପୁସ୍ତକ ‘ଧୂଳିଖେଳ’ ଉନ୍ମୋଚିତ ହୋଇଥିଲା । ଦିବସବ୍ୟାପୀ ଏହି କାର୍ଯ୍ୟକ୍ରମକୁ ମନୋଜ କୁମାର ଦାସ, ସଂଗ୍ରାମ ସାହୁ, ରାଜେଶ ରାୟ, ସମୀରକାନ୍ତ ଦାସ ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.